ନୂଆଦିଲ୍ଲୀ: ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନ୍ୟାସନାଲ ଏଲିଜିବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ୨୦୨୪ରେ ବଡ଼ ଧରଣର କାରସାଦି ଦେଖିବାକୁ ମିଳିଛି। ଏହି ଦୁର୍ନୀତିର ମୂଳରେ ଅଛି ଗୁଜରାଟ ଓ ବିହାର, ଯେଉଁଠାରୁ କାରସାଦିର ଚେର ଲମ୍ବିଛି। ମେ ୫ ତାରିଖରେ ନିଟ୍ ପରୀକ୍ଷା ସମୟରେ ଗୋଧ୍ରାର ଏକ ପରୀକ୍ଷା କେନ୍ଦ୍ରରେ କର୍ତ୍ତୃପକ୍ଷ ଚଢ଼ଉ କରିବା ପରେ ଏହି ଦୁର୍ନୀତି ପଦାକୁ ଆସିଥିଲା। ଏହି ଚଢ଼ାଉରୁ ଏକ କୋଚିଂ ସେଣ୍ଟର, ସ୍କୁଲ କର୍ମଚାରୀ ଓ ଅନେକ ଛାତ୍ରଛାତ୍ରୀ ଜାଲିଆତିରେ ସଂପୃକ୍ତି ଥିବା ଜଣା ପଡ଼ିଥିଲା। ବଡ଼ୋଦରାର ରାୟ ଓଭରସିଜ୍ କୋଚିଂ ଇନଷ୍ଟିଚ୍ୟୁଟ୍ ଏବଂ ଜୟ ଜଲାରାମ ସ୍କୁଲ ପରୀକ୍ଷା କେନ୍ଦ୍ରର କର୍ମଚାରୀଙ୍କ ମଧ୍ୟରେ ଅସାଧୁ ମେଣ୍ଟ ଏହି ଦୁର୍ନୀତିର ମୂଳ ଥିଲା। ଗୁଜରାଟରେ ଛାତ୍ରଛାତ୍ରୀଙ୍କୁ କୁହାଯାଇଥିଲା କୌଣସି ପ୍ରଶ୍ନର ଉତ୍ତର ଦେଇ ନ ପାରିଲେ ସେଥିପାଇଁ ଜାଗା ଖାଲି ଛାଡ଼ିଦେବେ। ମୋଟା ଅଙ୍କର ଲାଞ୍ଚ ବଦଳରେ ଏହି ଉତ୍ତରଗୁଡ଼ିକୁ ପରେ ଦୁର୍ନୀତିରେ ସମ୍ପୃକ୍ତ ଶିକ୍ଷକମାନେ ପୂରଣ କରିଥିଲେ। ପରୀକ୍ଷା ଶେଷ ହେବା ଓ ଉତ୍ତର ଖାତା ସଂଗ୍ରହ ମଧ୍ୟରେ ଥିବା ସମୟ ବ୍ୟବଧାନରୁ ଫାଇଦା ଉଠାଇ କୋଚିଂ ଇନଷ୍ଟିଚ୍ୟୁଟ୍ ପରୀକ୍ଷା ଶେଷ ହେବାର ୩୦ ମିନିଟ୍ ମଧ୍ୟରେ ଦାୟିତ୍ବରେ ଥିବା ଶିକ୍ଷକମାନଙ୍କୁ ‘ଉତ୍ତର କୀ’ ପ୍ରଦାନ କରିଥିଲେ, ଯାହାକୁ ସମ୍ପୃକ୍ତ ପିଲାଙ୍କ ଖାତାରେ ଲେଖି ଦିଆଯାଇଥିଲା।
ଏହି ତଦନ୍ତରୁ ଅନେକ ପ୍ରମୁଖ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି- ୧. ପର୍ଶୁରାମ ରାୟ - ବଡ଼ୋଦରାସ୍ଥିତ ରାୟ ଓଭରସିଜ୍ କୋଚିଂ ଇନଷ୍ଟିଚ୍ୟୁଟର ମାଲିକ। ୨. ବିଭୋର ଆନନ୍ଦ - ଶିକ୍ଷା ପରାମର୍ଶଦାତା ଯିଏ ରାୟଙ୍କ ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ନାମଲେଖାରେ ସହାୟକ ଥିଲେ। ୩. ପୁରୁଷୋତ୍ତମ ଶର୍ମା - ନିଟ୍ ପରୀକ୍ଷା କେନ୍ଦ୍ର ହୋଇଥିବା ଜୟ ଜଲାରାମ ସ୍କୁଲର ପ୍ରଧାନ ଶିକ୍ଷକ। ୪. ତୁଷାର ଭଟ୍ଟ - ନିଟ୍ କେନ୍ଦ୍ରର ଡେପୁଟି ସୁପରିଟେଣ୍ଡେଣ୍ଟ ଏବଂ ପଦାର୍ଥ ବିଜ୍ଞାନ ଶିକ୍ଷକ। ୫. ଆରିଫ ଭୋରା - ଭଟ୍ଟଙ୍କ ଜଣେ ସହଯୋଗୀ।
ନିଜ ପିଲାଙ୍କ ସଫଳତାକୁ ସୁନିଶ୍ଚିତ କରିବା ପାଇଁ ଅଭିଭାବକମାନେ ହାରାହାରି ୧୦ ଲକ୍ଷ ଟଙ୍କା ଦେଇଥିବା ବେଳେ କିଛି ଲୋକ ୨ କୋଟିରୁ ଅଧିକ ଟଙ୍କା ଦେଇଥିଲେ। ଜୁନ୍ ୧୩ ତାରିଖରେ ପୁଲିସରେ ଦାଖଲ ହୋଇଥିବା ଅଭିଯୋଗରୁ ଜଣାପଡ଼ିଛି ଯେ ପ୍ରାୟ ଏକ ଡଜନ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଏଥିରେ ସମ୍ପୃକ୍ତ ଥିଲେ। ସମସ୍ତେ ଶିକ୍ଷକଙ୍କ ଦ୍ୱାରା ପରିଚାଳିତ କୋଚିଂ ସେଣ୍ଟର ସହ ଜଡ଼ିତ ଥିଲେ। ଓଡ଼ିଶା, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ କର୍ଣ୍ଣାଟକର ୧୬ ଛାତ୍ରଛାତ୍ରୀ ଗୋଧ୍ରା କେନ୍ଦ୍ରରେ ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ସହାୟତାରେ ପୁଲିସ ଏବେ ଏହି ସଂଗଠିତ ଠକେଇ ରାକେଟରୁ ଉପକୃତ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବା ପାଇଁ କାର୍ଯ୍ୟ କରୁଛି। ନିଟ୍ ଜାଲିଆତିକୁ ନେଇ ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ନ୍ୟାୟ ଦାବି କରିଛନ୍ତି।