ଅହମଦାବାଦ: ଗୁରୁବାର ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନର୍ ବିମାନ (ଉଡ଼ାଣ ନମ୍ବର ଏଆଇ ୧୭୧) ଦୁର୍ଘଟଣାଗ୍ରସ୍ତ ହୋଇଥିିଲା। ଏଥିରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ମଧ୍ୟ ଯାତ୍ରା କରୁଥିଲେ। ବିମାନରେ କ୍ରୁ ସଦସ୍ୟଙ୍କ ସମେତ ୨୪୨ ଜଣ ଯାତ୍ରା କରୁଥିଲେ। ଜଣକର ଜୀବନ ବଞ୍ଚିଥିବା ବେଳେ ବିମାନରେ ଥିବା ୨୪୧ଜଣକର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ବିଜୟ ରୂପାଣୀ ମଧ୍ୟ ଥିଲେ।
ବିଜୟ ରୂପାଣୀ ପଞ୍ଜାବ-ଚଣ୍ଡିଗଡ଼ ଭାରତୀୟ ଜନତା ପାର୍ଟି (ବିଜେପି)ର ଦାୟିତ୍ୱରେ ଥିଲେ। ଗତ ତିନି ବର୍ଷ ଧରି ସେ ଏହି ଦାୟିତ୍ୱ ତୁଲାଉଥିଲେ। ତେବେ ତାଙ୍କର ଦେହାନ୍ତ ପରେ ଏବେ ସେ କେତେ କୋଟିର ସମ୍ପତ୍ତି ଛାଡ଼ିଯାଇଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିଜୟ ରୂପାଣୀ ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ବରିଷ୍ଠ ନେତା ଥିଲେ ଏବଂ ୨୦୧୬ରୁ ୨୦୨୧ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।
ବିଜୟ ରୂପାଣୀ ୨୦୧୭ ନିର୍ବାଚନ ପାଇଁ ଦେଇଥିବା ସତ୍ୟପାଠରେ ତାଙ୍କର ମୋଟ ସମ୍ପତ୍ତି ୩.୪ କୋଟି ଟଙ୍କା ବୋଲି ଘୋଷଣା କରିଥିଲେ। ସେ ସୂଚନା ଦେଇଥିଲେ ଯେ, ସେ ୨୦୧୬-୧୭ରେ ୧୮ ଲକ୍ଷ ଟଙ୍କାର ଆୟକର ରିଟର୍ଣ୍ଣ ଦାଖଲ କରିଥିଲେ। ଏହା ସହ ତାଙ୍କ ପତ୍ନୀ ଅଞ୍ଜଳି ରୂପାନୀ ୩.୩୭ ଲକ୍ଷ ଟଙ୍କାର ଆୟକର ରିଟର୍ଣ୍ଣ ଦାଖଲ କରିଥିଲେ। ବିଜୟ ରୂପାଣୀଙ୍କ ପାଖରେ ନଗଦ ୨,୧୦,୨୩୩ ଟଙ୍କା ଥିଲା ଏବଂ ବ୍ୟାଙ୍କ ଜମାରେ ୭୪,୯୩,୧୫୮ ଟଙ୍କା ଥିଲା। ବିଜୟ ୩,୦୦,୯୬,୪୧୨ ଟଙ୍କା ସେୟାର ଏବଂ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରିଥିଲେ।
ବିଜୟ ରୂପାଣୀଙ୍କ ଉପରେ ସେତେବେଳେ ପ୍ରାୟ ୮୨ଲକ୍ଷ ଟଙ୍କା ଋଣ ଥିଲା। ଏହା ସହ ୧୭,୯୪,୬୭୨ଟଙ୍କା ମୂଲ୍ୟର ସୁନା ଏବଂ ରୂପା ଅଳଙ୍କାର ଥିଲା।