ମଧ୍ୟପ୍ରଦେଶ : ବହୁ ନେତାଙ୍କଠାରୁ ସେମାନଙ୍କ ପତ୍ନୀଙ୍କ ବାର୍ଷିକ ରୋଜଗାର ଅଧିକ

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ବାଚନ ଆୟୋଗ ନିକଟରେ ଦାଖଲ ହୋଇଥିବା ସତ୍ୟପାଠରୁ ଏକ କୌତୁହଳପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଅନେକ ନେତାଙ୍କର ବାର୍ଷିକ ଆୟ ସେମାନଙ୍କର ପତ୍ନୀଙ୍କର ବାର୍ଷିକ ଆୟଠାରୁ କମ୍‌।

ସୂଚନା ମୁତାବକ, ରାଜ୍ୟରେ ଅଧାରୁ ଅଧିକ ପ୍ରମୁଖ ରାଜନେତାଙ୍କ ପତ୍ନୀଙ୍କ ରୋଜଗାର ସ୍ୱାମୀଙ୍କଠାରୁ ଅଧିକ ରହିଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନଙ୍କ ବାର୍ଷିକ ରୋଜଗାର ୧୯.୭ଲକ୍ଷ ଟଙ୍କା ହୋଇଥିବା ବେଳେ ପତ୍ନୀ ସାଧନାଙ୍କ ବାର୍ଷିକ ରୋଜଗାର ୩୭.୯୪ ଲକ୍ଷ ଟଙ୍କା ବୋଲି ଜଣାପଡ଼ିିଛି। ଗତ ନିର୍ବାଚନ ସମୟରେ ଶିବରାଜ ଘୋଷଣା କରିଥିଲେ କି, ଟିକସ ଦେବା ପରେ ତାଙ୍କ ବାର୍ଷିକ ଆୟ ୧୭.୧୨ ଲକ୍ଷ ଟଙ୍କା ଥିବା ବେଳେ ସାଧନ ସିଂହଙ୍କ ଥିଲା ୨୦.୫୦ଲକ୍ଷ ଟଙ୍କା।

ସେହିପରି ମନ୍ତ୍ରୀ ଭୂପେନ୍ଦ୍ର ସିଂହଙ୍କ ପତ୍ନୀ ସରୋଜ ସିଂହଙ୍କ ବାର୍ଷିକ ଆୟ ୪.୫ କୋଟି ଟଙ୍କା ହୋଇଥିବା ବେଳେ ଭୂପେନ୍ଦ୍ର ସିଂହଙ୍କ ବାର୍ଷିକ ଆୟ ୯୭ ଲକ୍ଷ ଟଙ୍କା ରହିଛି।

ସମାନ ଉଦାହରଣ ମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଳାଙ୍କ କ୍ଷେତ୍ରରେ ବି ଦେଖିବାକୁ ମିଳେ। ସତ୍ୟପାଠ ମୁତାବକ, ଶୁକ୍ଳାଙ୍କ ବାର୍ଷିକ ଆୟ ମାତ୍ର ୬.୬ ଲକ୍ଷ ଟଙ୍କା ଥିବା ବେଳେ ତାଙ୍କ ପତ୍ନୀଙ୍କ ବାର୍ଷିକ ରୋଜଗାର ୨୬.୨୨ଲକ୍ଷ ଟଙ୍କା ରହିଛି।

୨୦୧୩ରେ ନିର୍ବାଚନ ପରେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ମନ୍ତ୍ରୀ ସଞ୍ଜୟ ପାଠକଙ୍କ ପତ୍ନୀ ନିଧି ପାଠକଙ୍କ ବାର୍ଷିକ ଆୟ ୧.୪ କୋଟି ଟଙ୍କା। ଏହି କ୍ରମରେ ମନ୍ତ୍ରୀ ସଞ୍ଜୟ ପାଠକଙ୍କ ବାର୍ଷିକ ରୋଜଗାର ୮୫ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି।

ଏହି କ୍ରମରେ କଂଗ୍ରେସର ବରିଷ୍ଠ ନେତା ସୁରେଶ ପଚୌରି ବି ସାମିଲ ଅଛନ୍ତି। ସୁରେଶ ନିଜ ସତ୍ୟପାଠ ସମୟରେ ଜଣାଇଥିଲେ କି, ତାଙ୍କର ବାର୍ଷିକ ଆୟ ୧୯.୯୯ଲକ୍ଷ ଟଙ୍କା ତଥା ତାଙ୍କ ପତ୍ନୀ ସୁପର୍ଣ୍ଣା ଶର୍ମାଙ୍କ ବାର୍ଷିକ ରୋଜଗାର ୨୨.୬୧ ଲକ୍ଷ ଟଙ୍କା ରହିଛି।

ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ଜିତୁ ପଟଓ୍ଵାରିଙ୍କ ପତ୍ନୀଙ୍କ ବାର୍ଷିକ ଆୟ ୧୭.୫ଲକ୍ଷ ଟଙ୍କା ଥିବା ବେଳେ ତାଙ୍କର ବାର୍ଷିକ ଆୟ ୧୫ଲକ୍ଷ ଟଙ୍କା ରହିଥିବା ସେ ଜଣାଇଛନ୍ତି।
ପୂର୍ବତନ ମନ୍ତ୍ରୀ ତଥା ୪ ଥର ବିଧାୟକ ଥିବା ବାଲା ବଚ୍ଚନଙ୍କ ବାର୍ଷିକ ରୋଜଗାର ୭.୨ଲକ୍ଷ ଟଙ୍କା ଏବଂ ତାଙ୍କ ପତ୍ନୀଙ୍କ ଆୟ ୧୦.୩୨ ଲକ୍ଷ ଟଙ୍କା ରହିଛି।

ମଧ୍ୟପ୍ରଦେଶରେ ସମୁଦାୟ ୨୩୦ଟି ଆସନ ରହିଛି। ପ୍ରଥମ ପର୍ଯ୍ୟାୟ ଭୋଟିଂ ନଭେମ୍ବର ୨୮ରେ ଥିବା ବେଳେ ଫଳାଫଳ ଡିସେମ୍ବର ୧୧ରେ ବାହାରିବ। ଏହି କ୍ରମରେ ରାଜ୍ୟର ନେତାମାନଙ୍କ ପତ୍ନୀଙ୍କ ବାର୍ଷିକ ରୋଜଗାର ନେଇ ବି ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର