ଇଣ୍ଡିଆ ଗେଟ୍‌ରେ ସ୍ଥାପନ ହେବ ନେତାଜୀଙ୍କ ବିଶାଳ ପ୍ରତିମୂର୍ତ୍ତି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ‘ଇଣ୍ଡିଆ ଗେଟ୍‌’ରେ ପ୍ରଖ୍ୟାତ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ଆଜି ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରି ଜଣାଇଛନ୍ତି। ଏହି ପ୍ରତିମୂର୍ତ୍ତି ହେବ ତାଙ୍କ ପ୍ରତି ଦେଶର ଅନୁଗ୍ରହ ଏବଂ ସ୍ବାଧୀନତା ଆନ୍ଦୋଳନକୁ ତାଙ୍କ ଅବଦାନର ସଙ୍କେତ।

କିନ୍ତୁ, ଗ୍ରେନାଇଟ୍‌ ପଥରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଶେଷ ହେବା ପର୍ଯ୍ୟନ୍ତ ଇଣ୍ଡିଆ ଗେଟ୍‌ରେ ତାଙ୍କର ଏକ ‘ହଲୋଗ୍ରାମ୍‌ ଷ୍ଟାଚ୍ୟୁ’ ପ୍ରଦର୍ଶନ କରାଯିବ।

ଜାନୁଆରି ୨୩ ତାରିଖ ଦିନ ନେତାଜୀଙ୍କ ୧୨୫ଶ ଜନ୍ମବାର୍ଷିକୀ ଅବସରରେ ସେ ଉକ୍ତ ‘ହଲୋଗ୍ରାମ୍‌ ଷ୍ଟାଚ୍ୟୁ’ ଉନ୍ମୋଚନ କରିବେ ବୋଲି ଟୁଇଟ୍‌ରେ ସୂଚନା ଦେଇଛନ୍ତି। ନେତାଜୀଙ୍କ ପ୍ରତିମୂର୍ତ୍ତି ପ୍ରସଙ୍ଗରେ ଜାଣିଥିବା ବ୍ୟକ୍ତିବିଶେଷଙ୍କ କହିବା ଅନୁସାରେ, ଆକାର ପ୍ରକାର ୨୮ଫୁଟ୍‌ X ୬ ଫୁଟ୍‌ ହେବ।

ସୂଚନାଯୋଗ୍ୟ, ଯେଉଁ ସ୍ଥାନରେ ନେତାଜୀଙ୍କର ଗ୍ରେନାଇଟ୍‌ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ସେଠାରେ ପୂର୍ବରୁ ଇଂଲଣ୍ଡର୍‌ ରାଜା ୫ମ ଜର୍ଜଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଥିଲା। କିନ୍ତୁ, ୧୯୬୮ ମସିହାରେ ରାଜା ୫ମ ଜର୍ଜଙ୍କ ପ୍ରତିମୂର୍ତ୍ତିଟିକୁ ସେଠାରୁ ହଟାଇ ଦିଆଯାଇଥିଲା।

ଦିଲ୍ଲୀସ୍ଥିତ ‘ଇଣ୍ଡିଆ ଗେଟ୍‌’ ସମ୍ମୁଖରେ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ଲାଗି ପୂର୍ବରୁ ‘ବିଜେପି’ ନେତା ଚନ୍ଦ୍ର‌ ବୋଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା ଖୋଲା ଚିଠିରେ ଉଲ୍ଲେଖ କରିଥିଲେ। ଟଙ୍କାରେ ନେତାଜୀଙ୍କ ପ୍ରତିକୃତି ଛାପିବା ସହ ଜାନୁଆରି ୨୩ ତାରିଖକୁ ଜାତୀୟ ଛୁଟି ଦିବସ ଘୋଷଣା କରିବା ପାଇଁ ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର