ନେତାଜୀଙ୍କ ମୃତ୍ୟୁ ରହସ୍ୟ: ‘ଗୁମ୍‌ନାମି ବାବା’ଙ୍କ ଡିଏନ୍‌ଏ ନମୁନା ରିପୋର୍ଟ ଦେବାକୁ ମନାକଲେ ସରକାର

ନୂଆଦିଲ୍ଲୀ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଉପରେ ଗବେଷଣା କରୁଥିବା ହୁଗୁଳିର ଜଣେ ବାସିନ୍ଦା ସାୟକ ସେନ୍‌ ନେତାଜୀଙ୍କ ମୃତ୍ୟୁ ରହସ୍ୟ ସଂକ୍ରାନ୍ତରେ ଏକ ଆର୍‌ଟିଆଇ ଫାଇଲ୍‌ କରିଥିଲେ। ନେତାଜୀ ଜଣେ ସାଧୁ ବେଶରେ ରହୁଥିଲେ ବୋଲି କିଛି ଲୋକ ବିଶ୍ବାସ କରନ୍ତି। ଏହି ସାଧୁଙ୍କ ନାମ ହେଉଛି ଗୁମନାମି ବାବା। ସାୟକ ଗୁମନାମି ବାବାଙ୍କ ଡିଏନ୍‌ଏ ନମୁନା ରିପୋର୍ଟ ଆର୍‌ଟିଆଇ (ସୂଚନା ଅଧିକାର ଆଇନ)ରେ ମାଗିଥିଲେ। କିନ୍ତୁ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଥିବା ସିଏଫ୍‌ଏସଏଲ (ସେଣ୍ଟ୍ରାଲ ଫରେନ୍ସିକ ସାଇନ୍ସ ଲା‌ବରୋଟୋରି) ଏହି ରିପୋର୍ଟ ଦେବାପାଇଁ ମନା କରିଦେଇଛନ୍ତି।

ସାୟକ ସେନ୍‌ ସେପ୍ଟେମ୍ବର ୨୪ରେ ଆର୍‌ଟିଆଇ ଫାଇଲ୍‌ କରିଥିଲେ। କିନ୍ତୁ ଆର୍‌ଟିଆଇର ଧାରା ୮ (୧) କହୁଛି ଯେ, ଏଭଳି ତଥ୍ୟ ପ୍ରଘଟ ହେବା ଦ୍ବାରା ଏହା ଦେଶର ସାର୍ବଭୌମତ୍ବ ଏବଂ ଅଖଣ୍ଡତାକୁ ପ୍ରଭାବିତ କରିବ। ସାୟକ ସେନ କହିଛନ୍ତି, ସିଏଫ୍‌ଏସଏଲ ଦ୍ବାରା ତାଙ୍କ ଆର୍‌ଟିଆଇ ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୧୯୪୫ ଅଗଷ୍ଟ ୧୮ ତାରିଖରେ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲା ବୋଲି ଦାବି କରାଯାଏ। କିନ୍ତୁ କିଛି ଲୋକ ଏହା ଦାବି କରନ୍ତି ଯେ ନେତାଜୀ ଏହି ଦୁର୍ଘଟଣାରୁ ବଞ୍ଚିଥିଲେ ଏବଂ ସେ ଛଦ୍ମ ବେଶରେ ରହୁଥିଲେ।

ସମ୍ବନ୍ଧିତ ଖବର