ଇଣ୍ଡିଆ ଗେଟ୍‌ରେ ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମୂର୍ତ୍ତି ଉନ୍ମୋଚିତ

ନୂଆଦିଲ୍ଲୀ : ଇଣ୍ଡିଆ ଗେଟ୍‌ଠାରେ ରବିବାର ଦିନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‌ଙ୍କ ହୋଲୋଗ୍ରାମ ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ବତନ୍ତ୍ର ଉତ୍ସବରେ ଉନ୍ମୋଚନ କରିଛନ୍ତି। ୧୨୫ତମ ଜୟନ୍ତୀ ଅବସରରେ ଏହି ହୋଲୋଗ୍ରାମ ପ୍ରତିମା ଉନ୍ମୋଚିତ ହୋଇଛି। ଏହି ଅବସରରେ ‘ସୁଭାଷ ଚନ୍ଦ୍ର ବୋଷ୍‌ ଆପଦା ପ୍ରବନ୍ଧନ ପୁରସ୍କାର’ ପ୍ରଧାନମନ୍ତ୍ରୀ ପ୍ରଦାନ କରିଥିଲେ। ବର୍ଷ ୨୦୧୯, ୨୦୨୦, ୨୦୨୧ ଏବଂ ୨୦୨୨ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନେତାଜୀଙ୍କ ୧୨୫ତମ ଜୟନ୍ତୀରେ ପୂରା ଦେଶ ପକ୍ଷରୁ ସେ କୋଟି କୋଟି ପ୍ରଣାମ କରୁଛନ୍ତି। ଆଜିର ଦିନ ଐତିହାସିକ ଏବଂ ଏହି କାଳଖଣ୍ଡ ବି ଐତିହାସିକ। ନେତାଜୀଙ୍କ ଏହି ପ୍ରତିମୂର୍ତ୍ତି ଆମ ଗଣତାନ୍ତ୍ରିକ ସଂସ୍ଥା ଏବଂ ଦେଶବାସୀଙ୍କୁ ଦାୟିତ୍ବବୋଧ ସଂପର୍କରେ ସଚେତନ କରାଇବ। ଏହି ପ୍ରତିମୂର୍ତ୍ତି ବର୍ତ୍ତମାନର ପିଢ଼ି ଏବଂ ଆଗାମୀ ପିଢ଼ି ପାଇଁ ନିରନ୍ତର ପ୍ରେରଣା ଯୋଗାଇବ। ଭାରତର ମହାନ୍‌ ସଂଗ୍ରାମୀଙ୍କ ଇତିହାସକୁ ସଙ୍କୁଚିତ କରି ଯେଉଁ ଭୁଲ୍‌ କରାଯାଇଛି ତାହାକୁ ଏବେ ଦେଶ ସୁଧାରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ଭାରତ ସ୍ବାଧୀନ ହେବା ପରେ ଅନେକ ଭୁଲ ପଦକ୍ଷେପ ନିଆଯାଇଥିଲା। ସେଥିରେ ସଂଶୋଧନ କରାଯିବାକୁ ଉଦ୍ୟମ କରାଯାଉଛି।

ସୂଚନାଯୋଗ୍ୟ ଯେ ନେତାଜୀଙ୍କ ଏକ ଗ୍ରାନାଇଟ୍‌ ପ୍ରତିମୂର୍ତ୍ତି ଇଣ୍ଡିଆ ଗେଟ୍‌ରେ ସ୍ଥାପନ କରାଯିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। ତେବେ ଏହି ମୂର୍ତ୍ତି ତିଆରି ହୋଇ ସ୍ଥାପିତ ହେବା ପର୍ଯ୍ୟନ୍ତ ଏହି ହୋଲୋଗ୍ରାମ ପ୍ରତିମୂର୍ତ୍ତି ସେଠାରେ ରହିବ। ନେତାଜୀଙ୍କ ଗ୍ରାନାଇଟ୍‌ ପ୍ରତିମୂର୍ତ୍ତି ୨୮ ଫୁଟ ଉଚ୍ଚ ଏବଂ ୬ ଫୁଟ ଚଉଡ଼ା ହେବ ଏବଂ ଏହାକୁ ଏକ ମଣ୍ଡପରେ ସ୍ଥାପନ କରାଯିବ। ପୂର୍ବରୁ ଯେଉଁଠି କିଙ୍ଗ୍‌ ଜର୍ଜ ପଞ୍ଚମଙ୍କ ପ୍ରତିମୂର୍ତ୍ତି ଥିଲା ତାହାକୁ ୧୯୬୮ରେ ହଟାଇ ଦିଆଯାଇଥିଲା‌ ଏବଂ ସେହି ସ୍ଥାନରେ ନେତାଜୀଙ୍କ ମୂର୍ତ୍ତି ସ୍ଥାପନ କରାଯିବ।

ସମ୍ବନ୍ଧିତ ଖବର