ଭାରତୀୟ ନୋଟରେ ନେତାଜୀଙ୍କ ଚିତ୍ର ରଖିବାକୁ ଦାବି କଲେ ନାତି ଚନ୍ଦ୍ର ବୋଷ୍

କୋଲକାତା : ସ୍ବାଧୀନତା ସଂଗ୍ରାମର ମହାନ ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଫଟୋ ଭାରତୀୟ ନୋଟରେ ରଖିବାକୁ ଦାବି କରିଛନ୍ତି ତାଙ୍କ ନାତି ତଥା ବିଜେପି ନେତା ଚନ୍ଦ୍ର ବୋଷ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ପତ୍ର ଲେଖି ନିଜର ଦାବି ଜଣାଇଛନ୍ତି ।

ନିଜର ୯-ପୃଷ୍ଠାର ଦାବିପତ୍ରରେ ସେ ନେତାଜୀଙ୍କ ସମ୍ମାନ ପାଇଁ ଆଉ କେତେକ ଦାବି ଉପସ୍ଥାପନ କରିଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ଜାନୁଆରି ୨୩ ନେତାଜୀ ଜୟନ୍ତୀକୁ ଜାତୀୟ ଛୁଟି ଦିବସ ଘୋଷଣା କରିବା, ନେତାଜୀଙ୍କ ସହ ଜଡ଼ିତ ବିଭିନ୍ନ ସାମଗ୍ରୀ ଥିବା ଏକ ଟ୍ରେନକୁ ମ୍ୟୁଜିୟମରେ ପରିଣତ କରିବା, ପ୍ରତିବର୍ଷ ଅକ୍ଟୋବର ୨୧ରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା, ସେହିପରି ପ୍ରତିବର୍ଷ ଡିସେମ୍ବର ୩୦ରେ ଆଣ୍ଡାମାନ ଓ ନିକୋବରରେ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ ଅନ୍ୟତମ ।

ଗତ ବର୍ଷ ନୋଟରେ ନେତାଜୀଙ୍କ ଫଟୋ ରଖିବାକୁ କୋଲକାତାର ହରେନ୍ଦ୍ରନାଥ ବିଶ୍ବାସ ନାମକ ବ୍ୟକ୍ତି କାଲକାଟା ହାଇକୋର୍ଟରେ ଏକ ପିଟିସନ ଦାଏର କରିଥିଲେ । ଏହାର ବିଚାର କରି ଗତ ଡିସେମ୍ବର ୧୪ରେ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଆଠ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

୯୪ ବର୍ଷୀୟ ଏହି ସ୍ବାଧୀନତା ସଂଗ୍ରାମୀ ନିଜ ପିଟିସନରେ ଦର୍ଶାଇଛନ୍ତି ଯେ ସରକାର ନେତାଜୀଙ୍କୁ ତାଙ୍କ ନାର୍ଯ୍ୟ ସ୍ବୀକୃତି ଦେଇନାହାନ୍ତି ।

ସମ୍ବନ୍ଧିତ ଖବର