ନୂଆଦିଲ୍ଲୀ : ଚଳିତ ମାସ ୮ ତାରିଖରେ ଇଣ୍ଡିଆ ଗେଟ୍‌ରେ ସ୍ଥାପିତ ହେବ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉନ୍ମୋଚନ କରିବେ। ଇଣ୍ଡିଆ ଗେଟ୍‌ରେ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ତାଙ୍କର ୧୨୫ତମ ଜନ୍ମବାର୍ଷିକୀ ପୂର୍ବରୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ।

Advertisment

ନେତାଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପୂର୍ବରୁ ନ୍ୟାସନାଲ ଗ୍ୟାଲେରୀ ଅଫ ମଡର୍ନ ଆର୍ଟ (ଏନ୍‌ଜିଏମ୍‌ଏ)ର ମହାନିର୍ଦ୍ଦେଶକ ତଥା ଖ୍ୟାତନାମା ସ୍ଥପତି ଅଦ୍ବୈତ ଗଡ଼ନାୟକଙ୍କ ନେତୃତ୍ବରେ ପ୍ରତିମୂର୍ତ୍ତିର ଢାଞ୍ଚା ପ୍ରସ୍ତୁତ କରାଯାଇଥିଲା। ଏହାକୁ ଅନୁମୋଦନ କରାଯିବା ପରେ ପ୍ରତିମୂର୍ତ୍ତିର ନିର୍ମାଣ କାର୍ଯ୍ୟ ମହୀଶୂରର ଖ୍ୟାତନାମା ସ୍ଥପତି ତଥା ଭାସ୍କର୍ଯ୍ୟ ଶିଳ୍ପୀ ଅରୁଣ ଯୋଗୀରାଜଙ୍କୁ ନ୍ୟସ୍ତ କରାଯାଇଥିଲା।

ନିର୍ମାଣ କାର୍ଯ୍ୟରେ ଅରୁଣଙ୍କୁ ସହଯୋଗ କରିଛନ୍ତି ୪୦ ଶିଳ୍ପୀ। କଳା ମୁଗୁନି ପଥରର ୩୦ ଫୁଟ ଉଚ୍ଚତା ଓ ୬ ଫୁଟ ଓସାର ବିଶିଷ୍ଟ ନେତାଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟକୁ ଶେଷ କରିବାକୁ ନିୟୋଜିତ ଶିଳ୍ପୀମାନଙ୍କୁ ତିନି ମାସ ସମୟ ଲାଗିଛି। ନେତାଜୀଙ୍କ ପ୍ରତିମୂର୍ତ୍ତକୁ ବାସ୍ତବ ରୂପ ଦେବା ପାଇଁ ଶିଳ୍ପୀମାନେ ନେତାଜୀଙ୍କ ପରିବାର ତଥା ଆଇଏନ୍‌ଏର ସଦସ୍ୟଙ୍କ ଠାରୁ ବିରଳ ଚିତ୍ର ହାସଲ କରିବା ସହ ତାକୁ ଅନୁସରଣ କରିଥିଲେ। ଇଣ୍ଡିଆ ଗେଟ୍‌ର ଏକ ସାମିୟ‌ାନା ତଳେ ନେତାଜୀଙ୍କ ପ୍ରତିମୂର୍ତ୍ତି ରହିବ। ପୂର୍ବରୁ ଏହି ସାମିୟାନା ତଳେ ରାଜା ଜର୍ଜଙ୍କ (ପଞ୍ଚମ) ପ୍ରତିମୂର୍ତ୍ତି ରହିଥିଲା, ଯାହାକୁ କି ୧୯୬୮ରେ ହଟାଇ ଦିଆଯାଇଥିଲା।