ତେଲ୍ ଅଭିଭ୍: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ଅତି କ୍ଷୀପ୍ର ଗତିରେ ପରିବର୍ତ୍ତନଶୀଳ ବିଶ୍ବରେ ବୈଶ୍ବିକ ଶକ୍ତିଗୁଡ଼ିକ ଏକାକୀ ରହିପାରିବେନି। ମହାଶକ୍ତିମାନଙ୍କର ବି ସହଯୋଗୀ ଆବଶ୍ୟକ ବୋଲି ନେତାନ୍ୟାହୁ ଗୁରୁତ୍ବାରୋପ କରି କହିଛନ୍ତି। ଇସ୍ରାଏଲ ଏକ୍ଷେତ୍ରରେ ବିପଦକୁ ମୁକାବିଲା କରିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ଅଂଶୀଦାର ହୋଇଛି ବୋଲି ସେ କହିଛନ୍ତି। ଏକ ସାକ୍ଷାତକାରରେ ନେତାନ୍ୟାହୁ କହିଛନ୍ତି, ସୁରକ୍ଷା, ପ୍ରଯୁକ୍ତିବିଦ୍ୟା ଉନ୍ନତି ଏବଂ (ଇଣ୍ଟେଲିଜେନ୍ସ ସେୟାରିଂ) ପାଇଁ ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ମଧ୍ୟ ମିତ୍ରଙ୍କ ଉପରେ ନିର୍ଭର କରନ୍ତି। ‘ଆମେରିକା ପ୍ରଥମ’ ମାନେ ନୁହେଁ ଯେ ଆମେରିକା ଏକାକୀ କିମ୍ବା ‘କେବଳ ଆମେରିକା’। ସାଂପ୍ରତିକ ଦୃଶ୍ୟପଟରେ ସମସ୍ତରାଷ୍ଟ୍ର ସହଯୋଗୀ ଆବଶ୍ୟକ କରୁଛନ୍ତି। ମହାଶକ୍ତିର ବି ସହଯୋଗ ଆବଶ୍ୟକ। ଚୀନ୍ ଓ ରୁଷ୍ର ବି ସହଯୋଗୀ ଅଛନ୍ତି। ରଣନୈତିକ ଲାଭ ବଜାୟ ରଖିବା ପାଇଁ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଆମେରିକା ହୃଦ୍ବୋଧ କରବା ଆବଶ୍ୟକ ବୋଲି ନେତାନ୍ୟାହୁ ଚେତାଇ ଦେଇଛନ୍ତି।
ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ୍ ଆକ୍ରମଣର ଠିକ୍ ୨ ବର୍ଷ ପରେ ନେତାନ୍ୟାହୁ ଏହି ଟିପ୍ପଣୀ ଦେଇଛନ୍ତି। ଇସ୍ରାଏଲକୁ ଏକ ଲଢ଼ୁଆ ରାଷ୍ଟ୍ର ଭାବେ ବର୍ଣ୍ଣନା କରି ନେତାନ୍ୟାହୁ କହିଛନ୍ତି, ତାଙ୍କ ଦେଶ ଦଶନ୍ଧି ଧରି ବିଦେଶୀ ସୈନ୍ୟ ନଖୋଜି ନିଜକୁ ରକ୍ଷା କରିଆସିଛି। ଆମେ ଆମେରିକୀୟଙ୍କୁ ସହଯୋଗ ମାଗୁନାହୁଁ। ଗତ ୭୭ ବର୍ଷ ଧରି ଆମେ ନିଜକୁ ରକ୍ଷା କରିବାର କାମ ବହୁତ ଭଲ ଭାବରେ କରିଛୁ ବୋଲି ନେତାନ୍ୟାହୁ କହିଛନ୍ତି। ସେ ଦାବି କରିଛନ୍ତି ଯେ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରୁଥିବା ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବିକଶିତ କରିବା ପାଇଁ ତେହେରାନର ପ୍ରୟାସ ଆଗାମୀ ଦିନରେ ଆମେରିକା ପାଇଁ ସିଧାସଳଖ ବିପଦ ସୃଷ୍ଟି କରିବ।
ନେତାନ୍ୟାହୁ ଚେତାବନୀ ଦେଇ କହିଛନ୍ତି ଯେ ଇରାନ୍ ଏବେ ୮ ହଜାର କିମି ଦୂରତା ବିଶିଷ୍ଟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବିକଶିତ କରୁଛି। ଏହି କ୍ଷମତାକୁ ଆଉ ୩ ହଜାର କିମି ବଢ଼ାଇଦେଲେ ଇରାନର ପରମାଣୁ ଅସ୍ତ୍ର ନିକ୍ଷେପ କ୍ଷମତା ଅଧୀନରେ ନ୍ୟୁୟର୍କ, ୱାସିଂଟନ, ବୋଷ୍ଟନ, ମିଆମି, ମାର୍-ଏ-ଲାଗୋ ଏହାର ରେଂଜ୍ରେ ଆସିପାରିବ। ଉଲ୍ଲେଖଯୋଗ୍ୟ, ଇରାନର ପରମାଣୁ କ୍ଷମତା ବୃଦ୍ଧି ଏବଂ କୂଟନୈତିକ ଓ ଆର୍ଥିକ ଉପାୟରେ ତେହେରାନର ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମକୁ ରୋକିବା ପାଇଁ ଆମେରିକାର ଜାରି ରହିଥିବା ପ୍ରୟାସକୁ ନେଇ ମଧ୍ୟପ୍ରାଚ୍ୟରେ ନୂତନ ଉତ୍ତେଜନା ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କର ଏହି ମନ୍ତବ୍ୟ ଆସିଛି।