ନୂଆଦିଲ୍ଲୀ: ଭାରତର ଚନ୍ଦ୍ର ମିସନ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣମେରୁରେ ସଫଳ ଭାବେ ଅବତରଣ କରିବା ପରେ ଅନ୍ତର୍ଜାତୀୟ ଦୃ‌ଷ୍ଟି ଆକର୍ଷଣ କରିଛି। ଅନେକ ରାଷ୍ଟ୍ର ଆଜିଯାଏ ଅସମ୍ଭବ ବୋଲି ମନେ କରାଯାଉଥିବା ଏହି କାର୍ଯ୍ୟକୁ ସମ୍ଭବ କରିଥିବା ଇସ୍ରୋ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ସାମାଜିକ ଗଣମାଧ୍ୟମରେ ଜଣେ ବ୍ରିଟିଶ ସାମ୍ବାଦିକ ଇଂଲଣ୍ଡ ଭାରତକୁ ଦେଇଥିବା ସାହାଯ୍ୟ ବିଷୟ ଉତ୍ଥାପନ କରି ବିତର୍କ ଆରମ୍ଭ କରିଛନ୍ତି। ସୋଫି କରକୋରାନ ନାମକ ଉକ୍ତ ସାମ୍ବାଦିକ ଏକ୍ସ (ଟ୍ବିଟର)ରେ କହିଛନ୍ତି ଯେ, ଯେଉଁ ଦେଶ ମହାକାଶ କାର୍ଯ୍ୟକ୍ରମରେ ଏତେ ଅଗ୍ରଗତି କଲାଣି ଓ ଚନ୍ଦ୍ରକୁ ମହାକାଶଯାନ ପଠାଇଲାଣି ତାକୁ ଇଂଲଣ୍ଡ ସାହାଯ୍ୟ ଦେବା ଉଚିତ ନୁହେଁ। ତେଣୁ ବର୍ତ୍ତମାନ ସମୟ ଆସିଛି ଆମେ ଭାରତରୁ ଆମ ଟଙ୍କା ଫେରାଇ ଆଣିବା ଉଚିତ। ସୋଫି କରକୋରାନଙ୍କ ଏହି ବିବୃତି ଉପରେ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଟ୍ବିଟରର ଭାରତୀୟ ବ୍ୟବହାରକାରୀମାନେ। ସେମାନେ ଦାବି କରିଛନ୍ତି ଯେ, ଇଂଲଣ୍ଡ ଭାରତକୁ ପରାଧୀନ କରି ରଖିଥିବା ସମୟରେ ଭାରତରୁ ୪୫ ଲକ୍ଷ କୋଟି ଡଲାର ଲୁଟିଥିଲା। ତାହାକୁ ଇଂଲଣ୍ଡ ଫେରାଇ ଦେବା ଉଚିତ।

Advertisment

ଶଶାଙ୍କ ଶେଖର ଝା ନାମକ ଟ୍ବିଟର ବ୍ୟବହାରକାରୀ ଲେଖିଛନ୍ତି, ‘‘ବ୍ରିଟେନ୍, ଆମକୁ ୪୪.୯୯୭ ଟ୍ରିଲିୟନ ଡଲାର ଫେରାଅ। ଇଂଲଣ୍ଡ ଆମକୁ ଦେଇଥିବା ସାହାଯ୍ୟ ବିଷୟରେ ମନେ ପକାଇ ଦେଇଥିବାରୁ ଧନ୍ୟବାଦ। ବର୍ତ୍ତମାନ ନିୟମାନୁସାରେ, ଆମକୁ ସାଲ୍ୟୁଟ୍ କର ଓ ୪୫ ଟ୍ରିଲିୟନ (ଲକ୍ଷ କୋଟି) ଲଡାର ଫେରାଅ, ଯାହା ଆମଠାରୁ ଲୁଟିଥିଲ। ଆପଣଙ୍କ କହିବା ଅନୁସାରେ ବ୍ରିଟେନ ଆମକୁ ୨.୩ ବିଲିୟନ ପାଉଣ୍ଡ ବା ୨.୫ ବିଲିୟନ (ଶହ କୋଟି) ଡଲାର ସାହାଯ୍ୟ ଦେଇଛି। ତେବେ ଉକ୍ତ ୪୫ ଲକ୍ଷ କୋଟି ଡଲାରରୁ ସେତକ କାଟି ଦେଇ ଅବଶିଷ୍ଟ ଆମକୁ ଫେରାଅ।’’

ଇଂଲଣ୍ଡ ଭାରତରୁ କେତେ ଲୁଟିଥିଲା, ସେହି ସଂଖ୍ୟା ଜନୈକ ଅର୍ଥନୀତିଜ୍ଞ ଉତ୍ସା ପଟ୍ଟନାୟକଙ୍କ ଗବେଷଣାରୁ ପଦାକୁ ଆସିଥିଲା। ତାଙ୍କର ଏହି ଗବେଷଣା ନିବନ୍ଧ କଲମ୍ବିଆ ୟୁନିଭର୍ସିଟି ପ୍ରେସ୍ ଦ୍ବାରା ପ୍ରକାଶ ପାଇଥିଲା, ଯେଉଁଥିରେ ଦାବି କରାଯାଇଛି ଯେ, ୧୭୬୫ରୁ ୧୯୩୮ ପର୍ଯ୍ୟନ୍ତ ଭାରତକୁ ଶାସନ କରିବା ଭିତରେ ଇଂଲଣ୍ଡ ଭାରତରୁ ୪୫ ଲକ୍ଷ କୋଟି ଡଲାର ଲୁଟିଥିଲା। ଏହା ଏକ ବିଶାଳ ସଂଖ୍ୟା, ଯାହା ବର୍ତ୍ତମାନ ଇଂଲଣ୍ଡର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧୫ ଗୁଣରୁ ଅଧିକ ହେବ। ପ୍ରାୟ ଦୁଇ ଶତାବ୍ଦୀର ଟିକସ ଓ ବାଣିଜ୍ୟ ତଥ୍ୟର ବିଶ୍ଳେଷଣ କରିବା ପରେ ଶ୍ରୀ ପଟ୍ଟନାୟକ ଏହି ତଥ୍ୟ ପ୍ରକାଶ କରିଥିଲେ।
ଚଳତବର୍ଷ ମାର୍ଚ୍ଚ ମାସରେ ଗାର୍ଡିଆନ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ୨୦୧୫ରେ ଇଂଲଣ୍ଡ ଭାରତକୁ ସାହାଯ୍ୟ ଦେବା ବନ୍ଦ କରିବାର ଥିଲା, କାରଣ ଭାରତ କହିଲା ଯେ ତା’ର ଆଉ ସାହାଯ୍ୟ ଦରକାର ନାହିଁ। କିନ୍ତୁ ଇଣ୍ଡିପେଣ୍ଡେଣ୍ଟ କମିସନ ଫର୍ ଏଡ୍ ଇମ୍ପାକ୍ଟର ଏକ ରିଭ୍ୟୁ ଅନୁଯାୟୀ, ୨୦୧୬ରୁ ୨୦୨୧ ଭିତରେ ଇଂଲଣ୍ଡ ଭାରତକୁ ୨.୩ ବିଲିୟନ ପାଉଣ୍ଡ (୨୩,୦୦୦ କୋଟି ଟଙ୍କା) ସାହାଯ୍ୟ ଦେଇଛି। ଏଥିରେ ଛୋଟ ଛୋଟ କମ୍ପାନିକୁ ଦିଆଯାଇଥିବା ଋଣ ଅନ୍ତର୍ଭୁକ୍ତ।