ନୂଆଦିଲ୍ଲୀ: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସେଲ୍ଫି ନେବା ପରେ ଏକ୍ସ (ଟ୍ୱିଟର) ‘ମେଲୋଦୀ’ ହ୍ୟାସଟ୍ୟାଗ୍ରେ ଭର୍ତ୍ତି ହୋଇଯାଇଛି। ଶନିବାର ସକାଳ ସୁଦ୍ଧା ଏହି ଫଟୋକୁ ୫୨.୩ ହଜାରରୁ ଅଧିକ ପ୍ରତିକ୍ରିୟା ମିଳିଛି। ମୋଦୀ ଏବଂ ମେଲୋନି ଦୁବାଇରେ ଜଳବାୟୁ ଉପରେ ମିଳିତ ଜାତିସଂଘର ‘କନଫରେନ୍ସ ଅଫ୍ ଦ ପାର୍ଟିଜ୍’ (ସିଓପି୨୮) ସମୟରେ ପରସ୍ପରକୁ ସାକ୍ଷାତ୍ କରିଥିଲେ, ଯେଉଁଠାରେ ୪୬ ବର୍ଷୀୟ ଇଟାଲୀୟ ନେତା ମୋଦୀଙ୍କ ସହ ସେଲ୍ଫି ଉଠାଇଥିଲେ ଏବଂ ଏହାର କ୍ୟାପସନରେ ଲେଖିଥିଲେ ‘#Melodi’ (ମେଲୋଦୀ)। ଦୁଇ ନେତାଙ୍କ ଉପନାମକୁ ମିଶାଇ ଏହି ହ୍ୟାସ୍ଟ୍ୟାଗ୍ ପ୍ରସ୍ତୁତ କରାଯାଇଛି। ଏହାପରେ ଶନିବାର ଅପରାହ୍ଣରେ ପ୍ରଧାନମନ୍ତ୍ରୀ ମୋଦୀ ମେଲୋନିଙ୍କ ଫଟୋର ଉତ୍ତର ଦେଇ ଲେଖିଛନ୍ତି, ବନ୍ଧୁମାନଙ୍କୁ ଭେଟିବା ସବୁବେଳେ ଆନନ୍ଦଦାୟକ ହୋଇଥାଏ।
ଏହି ଫଟୋ ଦେଖିବା ମାତ୍ରେ ନେଟିଜେନ (ନେଟ୍ ବ୍ୟବହାରକାରୀ)ମାନେ ଶାନ୍ତ ରହି ପାରିନଥିଲେ, ଯାହାକୁ ନେଇ ସୋସିଆଲ ମିଡିଆ ମିମ୍ସରେ ଭରି ଯାଇଥିଲା। ମେଲୋନିଙ୍କ ଏହି ଫଟୋକୁ ଏପର୍ଯ୍ୟନ୍ତ ୨୧.୭ ମିଲିୟନ ମନ୍ତବ୍ୟ ଏବଂ ୨୮୧ ହଜାରରୁ ଅଧିକ ଲାଇକ୍ ମିଳିସାରିଛି। କେହି କେହି ୟଶରାଜ ମୁଖାଟେଙ୍କ ଭାଇରାଲ ଟ୍ରେଣ୍ଡିଂ ଗୀତ ‘ଜଷ୍ଟ ଲୁକିଂ ଲାଇକ୍ ଏ ୱାଓ’ (କେତେ ସୁନ୍ଦର ଦେଖାଯାଉଛ) ବ୍ୟବହାର କରି ମେଲୋନିଙ୍କ ବିଭିନ୍ନ ଫଟୋ ସହ ଏହାକୁ ଯୋଡ଼ିଥିଲେ ତ ଆଉ କିଏ ସେଲ୍ଫିକୁ ବର୍ଣ୍ଣନା କରିବା ପାଇଁ ବଲିଉଡ୍ ଫିଲ୍ମର ଲୋକପ୍ରିୟ ସଂଳାପ ବ୍ୟବହାର କରିଥିଲେ। ଏପରିକି ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ଏକ ଗୋଷ୍ଠୀ ଏହାକୁ ‘ବର୍ଷର ଶ୍ରେଷ୍ଠ ସେଲ୍ଫି’ ବୋଲି କହିଛନ୍ତି।