ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଅଳଂକୃତ କରିବେ ବୋଲି କେବେ ହେଲେ ଦିନକ ପାଇଁ ସୁଦ୍ଧା ସ୍ବପ୍ନ ଦେଖି ନଥିବା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଶେଷରେ ଆସନ୍ତା ଡିସେମ୍ବର ୧ ତାରିଖରେ ରାଜ୍ୟର ପରବତ୍ତର୍ତ୍ତୀ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଆଜି ରାତିରେ ଶିବସେନା- ଏନ୍‌ସିପି- କଂଗ୍ରେସ ମେଣ୍ଟ ପକ୍ଷରୁ ଘୋଷଣା କରାଯିବା ସହ ଏ ସଂକ୍ରାନ୍ତୀୟ ଏକ ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏନ୍‌ସିପି ସୁପ୍ରିମୋ ଶରଦ ପାୱାର। ଡିସେମ୍ବର ପହିଲା ସଂନ୍ଧ୍ୟା ୫ଟା ସମୟରେ ମୁମ୍ବାଇର  ଶିବାଜୀ ପାର୍କରେ ଅନୁଷ୍ଠିତ ହେବ ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ।

Advertisment

publive-image LiveMint

ଶିବସେନା- ଏନ୍‌ସିପି- କଂଗ୍ରେସ ମେଣ୍ଟକୁ ‘ମହା ବିକାଶ ଅଗାଧି’ ନାମରେ ନାମକରଣ କରାଯାଇଛି। ଏବଂ ଖୁବ୍‌ ଶୀଘ୍ର ମେଣ୍ଟର ନେତାମାନେ ରାଜ୍ୟପାଳ କୋଶୟାରୀଙ୍କୁ ଭେଟିବା ସହ ନୂତନ ସରକାର ଗଠନ ପାଇଁ ଦାବି ଜଣାଇବେ।

ନିଜର ଦ୍ବିତୀୟ ପାଳିରେ ବିଜେପିର ଦେବେନ୍ଦ୍ର ଫଡ଼ନଭିସ୍‌ ମୁଖ୍ୟମନ୍ତ୍ରୀ ପଦରେ ମାତ୍ର ୮୦ ଘଣ୍ଟା ରହିବା ପରେ ଆଜି ସନ୍ଧ୍ୟାରେ ରାଜ୍ୟପାଳ କୋଶୟାରୀଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତେବେ, ରାଜ୍ୟରେ ନୂତନ ସରକାର ଗଠିତ ହେବା ପର୍ଯ୍ୟନ୍ତ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବାକୁ ରାଜ୍ୟପାଳ ତାଙ୍କୁ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ପ୍ରେଟେମ୍‌ ବାଚସ୍ପତି ରୂପେ ନିଯୁକ୍ତି ପାଇ ରାଜ୍ୟପାଳଙ୍କ ଦ୍ବାରା ଶପଥ କରିଥିବା କାଳିଦାସ କୋଲାମ୍ବକର କହିଛନ୍ତି ଯେ ନୂତନ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତାକାଲି (ବୁଧବାର) ସକାଳ ୮ଟା ସମୟରେ ଅନୁଷ୍ଠିତ ହେବ ଏବଂ ସମସ୍ତ ନବ ନିର୍ବାଚିତ ବିଧାୟକ ସେମାନଙ୍କର ଶପଥ ଗ୍ରହଣ କରିବେ।