ମିରଟ: ଉତ୍ତରପ୍ରଦେଶର ମିରଟରେ ସୌରଭ ରାଜପୁତଙ୍କ ହତ୍ୟା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ସୌରଭଙ୍କୁ ତାଙ୍କ ପତ୍ନୀ ଏବଂ ପତ୍ନୀଙ୍କ ପ୍ରେମିକଙ୍କ ଦ୍ୱାରା ହତ୍ୟା କରାଯାଇଥିବା ବେଳେ ଏହାକୁ ଅଭିଯୁକ୍ତା ମୁସ୍କାନ ସ୍ବୀକାର ବି କରିସାରିଛନ୍ତି। ତେବେ ଝିଅର ଏଭଳି ଆଚରଣରେ କ୍ଷୋଭ ପ୍ରକାଶ କରିଥିଲେ ତାଙ୍କ ବାପାମାଆ। ଏପରିକି ଝିଅକୁ ଫାଶୀ ଦିଆଯାଉ ବୋଲି ବି କହିଥିଲେ।

Advertisment

ଏବେ ଜାଣିବାକୁ ମିଳିଛି କି ମୁସ୍କାନ ସତ ସ୍ବୀକାର କରିବା ପ‌ଛରେ ବି ତାଙ୍କ ବାପାଙ୍କର ହିଁ ଭୂମିକା ରହିଛି। ଯେତେବେଳେ ମୁସ୍କାନଙ୍କୁ ପୁଲିସ୍‌ ବାନ୍ଧି ନେଇ ଯାଉଥିଲା; ସେହି ସମୟରେ ତାଙ୍କ ବାପା ସ୍କୁଟର୍‌ରେ ଯାଇ ତାଙ୍କୁ ଅଟକାଇ ପୁଲିସ୍‌ ଆଗରେ ସତ ସ୍ବୀକାର କରିବାକୁ ପରାମର୍ଶ ଦେଇଥିଲେ। ଯାହାପରେ ମୁସ୍କାନ ସତ ମାନିଥିଲେ। ତେବେ ଏନେଇ ମୁସ୍କାନଙ୍କ ମାଆ କୁହନ୍ତି କି ସେ କିଛି ବି କଥା ନିଜ ବାପାମାଆଙ୍କୁ ଲୁଚାନ୍ତି ନାହିଁ। 

ସୌରଭ ରାଜପୁତଙ୍କ ମୃତଦେହ ୧୫ ଖଣ୍ଡରେ କାଟି ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ୍‌ ସୂଚନା ପ୍ରଦାନ କରିଛି। ସେ ତାଙ୍କ ଝିଅର ଜନ୍ମଦିନ ପାଳନ କରିବାକୁ ବିଦେଶରୁ ଫେରିବାର ଏକ ସପ୍ତାହରୁ ଅଧିକ ସମୟ ପରେ ତାଙ୍କ ପତ୍ନୀ ମୁସ୍କାନ ଏବଂ ବନ୍ଧୁ ସାହିଲ ଶୁକ୍ଳା ତାଙ୍କର ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ପରେ ଗିରଫ କରାଯାଇଛି।

ଉଲ୍ଲେଖଯୋଗ୍ୟ, ମିରଟର ଇନ୍ଦିରା ନଗରର ବାସିନ୍ଦା ସୌରଭ ଏବଂ ମୁସ୍କାନଙ୍କର ୨୦୧୬ ମସିହାରେ ପ୍ରେମ ବିବାହ ହୋଇଥିଲା। ତା’ପରେ, ମୁସ୍କାନର ପ୍ରେମ ପାଇଁ, ସୌରଭ ମର୍ଚ୍ଚାଣ୍ଟ ନେଭି ଚାକିରି ମଧ୍ୟ ଛାଡି ଦେଇଥିଲେ। ପ୍ରେମ ବିବାହ ନିଷ୍ପତ୍ତି ଏବଂ ଚାକିରି ଛାଡିବା ଯୋଗୁଁ, ସୌରଭଙ୍କର ତାଙ୍କ ପରିବାର ସହିତ ବିବାଦ ଆରମ୍ଭ ହୋଇଗଲା। ପରିସ୍ଥିତି ଏତେ ଖରାପ ହେଲା ଯେ ସୌରଭ ଏବଂ ମୁସ୍କାନ ଅଲଗା ହୋଇ ଏକ ଭଡା ଘରେ ରହିବା ଆରମ୍ଭ କଲେ।

୨୦୧୯ ମସିହାରେ, ମୁସ୍କାନ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହି ସମୟରେ ମୁସ୍କାନଙ୍କର, ସାହିଲ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯେତେବେଳେ ସୌରଭ ଏହା ଜାଣିବାକୁ ପାଇଲେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ‌ହୋଇ କଥା ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଗଲା। କିନ୍ତୁ ତା’ପରେ ସୌରଭ ତାଙ୍କ ଝିଅର ଭବିଷ୍ୟତକୁ ଧ୍ୟାନରେ ରଖି ୨୦୨୩ ମସିହାରେ ପୁଣି କାମ କରିବା ପାଇଁ ବିଦେଶ ଚାଲିଗଲେ। ଝିଅର ଜନ୍ମଦିନ ପାଇଁ ସେ ଫେରିବା ପରେ ମୁସ୍କାନ ଓ ସାହିଲ ମାର୍ଚ୍ଚ ୪ରେ ତାଙ୍କୁ ରାସ୍ତାରୁ ହଟାଇଥିଲେ। ପ୍ରାୟ ୧୪ଦିନ ପରେ ଡ୍ରମରେ ସୌରଭଙ୍କୁ ଖଣ୍ଡ ଖଣ୍ଡ କରି ସିଲ୍ କରାଯାଇଥିବା ଜଣାପଡ଼ିଥିଲା।