ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ମାସିକ ବେତାର ଅଭିଭାଷଣ ଶୁଣୁ ନ ଥିବାରୁ ତାଙ୍କୁ ମଧ୍ୟ କ’ଣ ଶାସ୍ତି ମିଳିବ ଏବଂ ଘରୁ ବାହାରକୁ ଛଡ଼ାଯିବ ନାହିଁ ବୋଲି ‘ପିଜିଆଇଏମ୍‌ଇଆର୍‌’ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନକୁ ବିଦ୍ରୂପ କରି ଆଜି ‘ତୃଣମୂଳ କଂଗ୍ରେସ’ ସାଂସଦ ମହୁଆ ମୈତ୍ର କହିଛନ୍ତି।

Advertisment

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ‘ମନ୍‌ କୀ ବାତ୍‌’ର ୧୦୦ତମ ସଂସ୍କରଣ ଏଡ଼ାଇ ଥିବାରୁ ୩୬ଜଣ ନର୍ସିଙ୍ଗ୍‌ ଶିକ୍ଷାର୍ଥୀମାନଙ୍କୁ ହଷ୍ଟେଲ୍‌ରୁ ଛଡ଼ାଯିବ ନାହିଁ କହି ଚଣ୍ଡୀଗଡ଼ର ‘ପିଜିଆଇଏମ୍‌ଇଆର୍‌’ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବେତାର କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’କୁ  ‘ମଙ୍କି ବାତ’ (ବାନର କଥା) ବୋଲି ଅଭିହିତ କରି ମହୁଆ ମୈତ୍ର ଟୁଇଟ୍‌ରେ ଲେଖିଛନ୍ତି: ମୁଁ ମଧ୍ୟ ‘ମଙ୍କି ବାତ୍‌’ ଶୁଣେନାହିଁ। ଥରେ ହେଲେ ଶୁଣି ନାହିଁ। କେବେ ବି ଶୁଣିନାହିଁ। ମତେ ମଧ୍ୟ କ’ଣ ଶାସ୍ତି ମିଳିବ? ମତେ କ’ଣ ସପ୍ତାହକ ପାଇଁ ଘରୁ ବାହାରକୁ ଛଡ଼ାଯିବ ନାହିଁ। ସତରେ ମୁଁ ଖୁବ୍‌ ଚିନ୍ତିତ।

publive-image

ଏଥିସହିତ ସାଂସଦ ମୈତ୍ର ଘଟଣାର ‘ନିଉଜ୍‌ ରିପୋର୍ଟ’ ମଧ୍ୟ ସଂଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଏପ୍ରିଲ୍‌ ୩୦ ତାରିଖ ଦିନ କ୍ୟାମ୍ପ୍‌ସରେ ଆୟୋଜିତ କାର୍ଯ୍ୟକ୍ରମରେ ‘ମନ୍‌ କୀ ବାତ୍‌’ ପ୍ରସାରଣ କରାଯିବ ଏବଂ ଏଥିରେ ‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନର୍ସିଙ୍ଗ୍‌ ଏଜୁକେସନ୍‌’ର (ଏନ୍‌ଆଇଏନ୍‌ଇ) ସମସ୍ତ ନର୍ସିଙ୍ଗ୍‌ ଶିକ୍ଷାର୍ଥୀ ଯୋଗ ଦେବେ ବୋଲି ‘ପିଜିଆଇଏମ୍‌ଇଆର୍‌’ କର୍ତ୍ତୃପକ୍ଷ ଲିଖିତ ଆଦେଶନାମା ଜାରି କରିଥିଲେ।

କିନ୍ତୁ, ୨୮ଜଣ ତୃତୀୟ ବାର୍ଷିକୀ ଓ ୮ଜଣ ପ୍ରଥମ ବାର୍ଷିକୀ ନର୍ସିଙ୍ଗ୍‌ ଶିକ୍ଷାର୍ଥୀ ଏହି କାର୍ଯ୍ୟକ୍ରମକୁ ଆସି ‘ମନ୍‌ କୀ ବାତ୍‌’ ଶୁଣିଲେ ନାହିଁ କି, ନ ଆସିବାର ସନ୍ତୋଷଜନକ କାରଣ ଦର୍ଶାଇ ପାରିଲେ ନାହିଁ। ତେଣୁ, ‘ପିଜିଆଇଏମ୍‌ଇଆର୍‌’ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣସ୍ବରୂପ ସେମାନଙ୍କୁ ଏକ ସପ୍ତାହ ପର୍ଯ୍ୟନ୍ତ ହଷ୍ଟେଲ୍‌ରୁ ବାହାରକୁ ଛଡ଼ାଯିବ ନାହିଁ ବୋଲି ନିର୍ଦେଶ ଦେଇଥିଲେ।