ବାଜପେୟୀ ନଥିବା ସଭାରେ ଯୋଗଦେବି ବୋଲି ଭାବିନଥିଲି: ଆଡ୍‌ଭାନି

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳି ସଭା ଆଜି ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସବୁ ରାଜନୈତିକ ଦଳର ବରିଷ୍ଠ ନେତାମାନେ ଯୋଗଦେଇଥିଲେ। ସଭାରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପୂର୍ବକ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ୍‌ଭାନି କହିଥିଲେ, ଯେବେ ବି କୌଣସି ସଭାରେ ଯୋଗଦେଇଛି, ସାଙ୍ଗରେ ବାଜପେୟୀ ରହିଥିଲେ। ବାଜପେୟୀ ନଥିବା ସଭାରେ ଯୋଗଦେବି ବୋଲି କଳ୍ପନା କରିନଥିଲି। ପୂର୍ବରୁ ଅନେକ ସଭାରେ ଉଦ୍‌ବୋଧନ ଦେଇଛି। କିନ୍ତୁ ଦିନେ ମୋତେ ଏଭଳି ସଭାରେ ଯୋଗଦେଇ କହିବାକୁ ପଡ଼ିବ ବୋଲି କଳ୍ପନା କରିନଥିଲି।

ଉଲ୍ଲେଖଯୋଗ୍ୟ, ଗତ ୧୬ ତାରିଖରେ ପୂର୍ବ ପ୍ରଧାନମନ୍ତ୍ରୀ ବାଜପେୟୀ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଏହାର ପରଦିନ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ତେବେ ଆଜି ତାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସବୁ ଦଳର ନେତା ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ନେତା ଗୁଲାମନବୀ ଆଜାଦ, ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗଓ୍ଵତ୍‌, ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଓ ଫାରୁକ୍‌ ଅବ୍‌ଦୁଲ୍ଲା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର