ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ଜଣେ ‘ନୂତନ ସଦସ୍ୟ’କୁ ସ୍ୱାଗତ କରିଛନ୍ତି। ଏହି ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘ଆମ ଶାସ୍ତ୍ରରେ ଅଛି- ‘ଗାବଃ ସର୍ବସୁଖପ୍ରଦାଃ’।

Advertisment

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ଗାଈ ବାଛୁରି ଜନ୍ମ ଦେଇଥିଲା, ଯାହାକୁ ସେ ‘ଦୀପଜ୍ୟୋତି’ ନାମ ଦେଇଛନ୍ତି। ବାଛୁରିର ମଥାରେ ଏକ ନିଆରା ଚିହ୍ନ ରହିଛି। ଏହି ଭିଡିଓକୁ ସେୟାର କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବାଛୁରିଟିର କପାଳରେ ଆଲୋକର ପ୍ରତୀକ ଥିବାରୁ ସେ ଏହାର ନାମ ‘ଦୀପଜ୍ୟୋତି’ ରଖିଛନ୍ତି। ଏକ୍ସରେ ସେୟାର କରାଯାଇଥିବା ଭିଡିଓରେ ସେ ବାଛୁରି ସହ ତାଙ୍କ ବାସଭବନର ମନ୍ଦିରରେ ବସିଥିବାର ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ବାଛୁରି ସହିତ ଖେଳୁଥିବା, ତା’ର କପାଳରେ ଥିବା ଚିହ୍ନକୁ ଆଉଁଶୁଥିବା ଓ ଚୁମ୍ବନ ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି। ସେ ବାଛୁରିଟିକୁ ଧରି ନିଜ ବାସଭବନରେ ଥିବା ବଗିଚା ଦେଇ ବୁଲୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ଚଳିତ ବର୍ଷ ମକର ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ପୁଙ୍ଗାନୁର ଗାଈମାନଙ୍କୁ ତାଙ୍କ ବାସଭବନରେ ଖାଇବାକୁ ଦେଉଥିବାର ଦେଖିବାକୁ ମିଳିଥିଲା। ପୁଙ୍ଗାନୁର ପ୍ରଜାତି ଦକ୍ଷିଣ ଭାରତ, ବିଶେଷକରି ଆନ୍ଧ୍ରପ୍ରଦେଶର ରାୟଲସୀମା ଅଞ୍ଚଳର ମୂଳ ବାସିନ୍ଦା। ଏହି ଦେଶୀ ପ୍ରଜାତି ପୃଥିବୀର ସବୁଠାରୁ କ୍ଷୁଦ୍ର ଗାଈ ପ୍ରଜାତି ମଧ୍ୟରୁ ଅନ୍ୟତମ।