ସ୍ଥଗିତ ରଖିବ ନା ଆମେ ଅଟକାଇବୁ : କୃଷି ଆଇନ ନେଇ କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମ କୋର୍ଟ

ରକ୍ତପାତ ହେଲେ କିଏ ଦାୟୀ ରହିବ?

ନୂଆଦିଲ୍ଲୀ : ‘ନୂଆ କୃଷି ଆଇନର କାର୍ଯ୍ୟକାରିତାକୁ କେନ୍ଦ୍ର ସରକାର ସ୍ଥଗିତ ରଖୁ, ନହେଲେ ଆମେ ରୋକ୍‌ ଲଗାଇବୁ।’ ଚାଷୀ ଆନ୍ଦୋଳନକାରୀ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା କଥାବାର୍ତାରେ ଅସନ୍ତୋଷ ପ୍ରକାଶ କରି ସୁପ୍ରିମ କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ଏଭଳି ବାର୍ତା ‌ଦେଇଛନ୍ତି। କହିଛନ୍ତି ଯେ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାର ଯେଉଁ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ତାହା ଠିକ୍ ରାସ୍ତାରେ ଯାଉନଥିବ‌ା ଭଳି ଲାଗୁଛି। ଏହା ପ୍ରଭାବୀ ହେଉନାହିଁ। ତେଣୁ ଆମକୁ କିଛି କରିବାକୁ ପଡ଼ିବ। କମିଟି ଗଠନ ପାଇଁ ଆମେ ପ୍ରସ୍ତାବ ଦେଉଛୁ। ଏଭଳି ପରିସ୍ଥିତିରେ ସରକାର ନୂଆ କୃଷି ଆଇନର କାର୍ଯ୍ୟକାରିତାକୁ ସ୍ଥଗିତ ରଖନ୍ତୁ। ନହେଲେ ଆମେ ରୋକ୍ ଲଗାଇବୁ। ସରକାର ବିଫଳ ହୋଇଥିବାରୁ ଆମକୁ ଏଭଳି ପଦକ୍ଷେପ ନେବାକୁ ପଡ଼ୁଛି। କେନ୍ଦ୍ର ସରକାରଙ୍କୁ ଦାୟିତ୍ବ ନେବାକୁ ପଡ଼ିବ।

କୃଷି ଆଇନକୁ ଚାଲେଞ୍ଜ ଏବଂ ଚାଷୀ ଆନ୍ଦୋଳନକୁ ନେଇ ଆଗତ ପିଟିସନ ଉପରେ ସୋମବାର ଶୁଣାଣି ଚାଲିଥିବା ବେ‌ଳେ ‌ସୁପ୍ରିମ କୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରି ଏଭଳି ଟିପ୍ପଣି ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌ଏ ବୋବଡେ, ଜଷ୍ଟିସ ଏଏସ୍ ବୋପନ୍ନା ଏବଂ ଜଷ୍ଟିସ ଭି ରାମସୁମ୍ରମଣ୍ୟନଙ୍କୁ ନେଇ ଗଠିତ ବେଞ୍ଚ ଏହି ମାମଲାର ଶୁଣାଣି କରୁଛନ୍ତି। କୋର୍ଟଙ୍କ ଏଭଳି ଆଭିମୁଖ୍ୟକୁ ସରକାର ବିରୋଧ କରିଥିଲେ ମଧ୍ୟ କୋର୍ଟ ଆସନ୍ତାକାଲି ଏସଂପର୍କରେ ନିର୍ଦେଶ ଦେବେ ବୋଲି ଜଣାପଡ଼ିଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେକେ‌ ବେଣୁଗୋପାଳ ମାନ୍ୟବର ବେଞ୍ଚଙ୍କ ଟିପ୍ପଣିକୁ ବିରୋଧ କରି କହିଥିଲେ ଯେ କୃଷି ଆଇନ ସଂପର୍କରେ କୋର୍ଟ ତରବରିଆ ଭାବେ କୌଣସି ଆଦେଶ ଦେବା ଠିକ୍ ହେବନାହିଁ। ଏଥିରେ ବିରକ୍ତି ପ୍ରକାଶ କରି ବେଞ୍ଚ କହିଥିଲେ ଯେ ଆମେ କେନ୍ଦ୍ରକୁ ଲମ୍ବା ସମୟ ଦେଇଛୁ। ଧୈର୍ଯ୍ୟ ସଂପର୍କରେ ଆମକୁ ଉପଦେଶ ଶୁଣାଅ ନାହିଁ। କେବେ ଆଦେଶ ଦିଆଯିବ ତାହା ଆମେ ସ୍ଥିର କରିବୁ।

ବେଞ୍ଚ କହିଥିଲେ ଯେ ନୂଆ ଆଇନ ଯୋଗୁଁ ଆନ୍ଦୋଳନ ଆରମ୍ଭ ହୋଇଛି। ତେଣୁ ଏହାର ସମାଧାନ କରିବାକୁ ପଡ଼ିବ। ଏହାର ସମାଧାନ ପାଇଁ କୋର୍ଟ କମିଟି ଗଠନ କରିଛନ୍ତି। ଆନ୍ଦୋଳନକାରୀମାନଙ୍କ ସହିତ ଆଲୋଚନା ପାଇଁ ସୌହାର୍ଦ୍ୟପୂର୍ଣ୍ଣ ଏବଂ ଅନୁକୂଳ ବାତାବରଣ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ସେପର୍ଯ୍ୟନ୍ତ ଆଇନର କାର୍ଯ୍ୟକାରିତାକୁ ଅଟକା ଯାଇପାରିବ। ରକ୍ତପାତ ହେଲେ ଏଥିପାଇଁ କିଏ ଦାୟୀ ହେବ?

ଏହାପୂର୍ବରୁ ଯୁକ୍ତି ଉପସ୍ଥାପନ କରି ବେଣୁଗୋପାଳ କହିଥିଲେ ଯେ ଆଇନର କାର୍ଯ୍ୟକାରିତାକୁ ଅଟକାଇବା ଲାଗି କୋର୍ଟଙ୍କ ପ୍ରସ୍ତାବ ଠିକ୍ ନୁହେଁ। ଏହା ସାଂଘାତିକ ଘଟଣା ହେବ। କାରଣ ଏହି ଆଇନର କୌଣସି ଧାରାର ସାମ୍ବିଧାନିକ ବୈଧତାକୁ ପିଟିସନରେ କେହି ଚାଲେଞ୍ଜ କରି ନାହାନ୍ତି। ତେଣୁ ଆଇନ ଉପରେ ରୋକ୍ ଲଗାଯାଇପାରିବ ନାହିଁ। ଏହି ସମୟରେ ପ୍ରଧାନ ବିଚାରପତି କହିଥିଲେ ଯେ ଆମେ ଏହାକୁ ଅସାମ୍ବିଧାନିକ ବୋଲି ଘୋଷଣା କରିବାକୁ ଯାଉନୁ।

ବେଣୁଗୋପାଳ କହିଥିଲେ ଯେ ଆନ୍ଦୋଳନକାରୀ ଚାଷୀ ସଂଗଠନ ଆଗେଇ ଅସନ୍ତୁ ଏବଂ କମିଟି ସହ ଆଲୋଚନା କରନ୍ତୁ। ତେଣୁ କୋର୍ଟ ଆଇନର କାର୍ଯ୍ୟକାରିତା ଉପରେ ରୋକ୍ ଲଗାନ୍ତୁ ନାହିଁ।

ସମ୍ବନ୍ଧିତ ଖବର