ଖୁବ୍‌ଶୀଘ୍ର ନୂଆ ଆମିକସ୍‌ କ୍ୟୁରି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଶ୍ରୀମନ୍ଦିର ପରିଚାଳନାଗତ ଅବ୍ୟବସ୍ଥା ମାମଲାରେ କୋର୍ଟଙ୍କୁ ସହାୟତା କରିବାପାଇଁ ନିଯୁକ୍ତ ହୋଇଥିବା ଆମିକସ୍‌ କ୍ୟୁରି ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମ୍‌ ମାମଲାରୁ ଓହରିଯିବା ପରେ ଏହି ମାମଲାରେ ନୂଆ ଆମିକସ୍‌ କ୍ୟୁରି ନିଯୁକ୍ତ ‌ହେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଆଜି ସୁପ୍ରିମକୋର୍ଟର ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଗୋପାଳ ସୁବ୍ରମଣ୍ୟମ୍‌ ମାମଲାରୁ ଓହରିବାକୁ ଗ୍ରହଣ କରିନେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ଦ୍ବିତୀୟ ସପ୍ତାହରେ ହେବ ବୋଲି କୋର୍ଟ କହିଛନ୍ତି। ତେବେ ଶୁଣାଣି ନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇନି। ଆଜି ଶୁଣାଣି ସମୟରେ ଇଣ୍ଟରକଣ୍ଟିନାଲ୍‌ ଆସୋସିଏସନ୍‌ ସଂସ୍ଥାର ଅଧ୍ୟକ୍ଷ ତଥା ଆଇନଜୀବୀ ଦେବାଶିଷ ମିଶ୍ର ନୂଆ ଆମିକସ୍‌ କ୍ୟୁରିଙ୍କ ନିଯୁକ୍ତି ବେଳେ ଜଗନ୍ନାଥ ସଂସ୍କୃତିରେ ଅଗାଧ ଜ୍ଞାନ ଥିବା ବ୍ୟକ୍ତିଙ୍କୁ ବିଚାରକୁ ନେବାପାଇଁ କହିଥିଲେ। ଶ୍ରୀମନ୍ଦିର ମାମଲାରେ ପୂର୍ବରୁ ଯେଉଁସବୁ ଆଦେଶ ଦିଆଯାଇଛି, ସେଗୁଡ଼ିକୁ ପାଞ୍ଚ ଜଣିଆ ଖଣ୍ଡପୀଠରେ ଶୁଣାଣି କରିବାପାଇଁ ସେ ଯୁକ୍ତି ବାଢ଼ିଥିଲେ।

ସମ୍ବନ୍ଧିତ ଖବର