ନୂଆଦିଲ୍ଲୀ : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏକ ଆଣ୍ଡ୍ରଏଡ଼ଭିତ୍ତିକ ମୋବାଇଲ ଆପ୍ଲିକେଶନ ଆରମ୍ଭ କରିଛନ୍ତି । ଏହାର ନାମ ଟ୍ରାଇବାଲ୍ ଡ଼ାଏରିଜ୍ ରଖାଯାଇଛି । ଆଭ୍ୟନ୍ତରୀଣ ମନିଟରିଂ ତଥା ବିଭିନ୍ନ ଆଦିବାସୀ ଉନ୍ନୟନ ଯୋଜନା/ କାର୍ଯ୍ୟକ୍ରମମାନଙ୍କର ପ୍ରବର୍ତ୍ତନ ସମୟରେ ଅଧିକାରୀ କିମ୍ବା କର୍ମଚାରୀମାନଙ୍କ ମଧ୍ୟରେ ସଂଯୋଗ ସ୍ଥାପନ ସକାଶେ ଏହା ବେଶ୍ ଉପଯୋଗୀ ହୋଇପାରିବ । ଏହା କେବଳ ସ୍ୱୀକୃତିପ୍ରାପ୍ତ ବ୍ୟବହାରକାରୀମାନଙ୍କ ସକାଶେ ଉପଲବ୍ଧ ହେବ । ଏହି ଆପ୍ଲିକେଶନ ଫଟୋଗ୍ରାଫ୍, ଭିଡ଼ିଓ, ସରକାରୀ ଗସ୍ତ/ ପର୍ଯ୍ୟବେକ୍ଷଣର ରିପୋର୍ଟ ଅପ୍ଲୋଡ଼ ଏବଂ ଉତ୍ତମ କାର୍ଯ୍ୟଧାରାର ବଣ୍ଟନ ଆଦି ସକାଶେ ଭିଜୁଆଲ୍ ଫିଡ଼ବ୍ୟାକ୍ ଦିଗରୁ ବିଶେଷ ସୁଯୋଗ ପ୍ରଦାନ କରିବ । ଏକଲବ୍ୟ ମଡ଼େଲ ଆବାସିକ ବିଦ୍ୟାଳୟ ଯାହାକି ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଆର୍ଥିକ ଅନୁଦାନରେ ଦେଶବ୍ୟାପୀ ସ୍ଥାପନ କରାଯାଇଛି ତାହା ସଂପର୍କରେ ସବିଶେଷ ତଥ୍ୟାବଳୀ ସଂଗ୍ରହରେ ଏହି ଆପ୍ଲିକେଶନ ବ୍ୟାପକ ଭାବେ ସହାୟକ ବ୍ୟବହାର କରାଯାଇପାରିବ ।
ସେହିପରି ଅଭାବ ଅସୁବିଧାଗୁଡ଼ିକ ସଂପର୍କରେ, କେନ୍ଦ୍ରୀୟ ଜନ ଅଭିଯୋଗ ସମାଧାନ ଓ ମନିଟରିଂ ବ୍ୟବସ୍ଥା ଅନ୍ୟଏକ ଅନଲାଇନ୍ ୱେବଭିତ୍ତିକ ପ୍ଲାଟଫର୍ମ ବ୍ୟବସ୍ଥା ଯାହା ମାଧ୍ୟମରେ ନାଗରିକମାନେ ସେମାନଙ୍କର ଯେକୌଣସି ସମସ୍ୟା ସଂପର୍କରେ ଅଭିଯୋଗ ଦରଜ କରିପାରିବେ । ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସମୟରେ ଏହି ଅଭିଯୋଗ ଦରଜ କରାଯାଇପାରିବ । ଏହା ବ୍ୟତୀତ ମନ୍ତ୍ରଣାଳୟ ପକ୍ଷରୁ ସିଧାସଳଖ ଭାବେ ଅଭିଯୋଗ ଗ୍ରହଣର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିସବୁ ଅଭିଯୋଗଗୁଡ଼ିକର ଆଶୁ ସମାଧାନ ସକାଶେ ମନ୍ତ୍ରଣାଳୟ ତରଫରୁ ସେସବୁର ତର୍ଜମା ତଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଏହାକୁ ଟ୍ରାକିଂର ବ୍ୟବସ୍ଥା ରହିଛି । ଏଥି ପାଇଁ ଏକ ସମର୍ପିତ ଡ଼ିଭିଜନ୍ ଗଠନ କରାଯାଇଛି ।