ପାକ୍‌ ଆତଙ୍କବାଦୀ ସଂଗଠନର ନୂଆ ପ୍ରୟୋଗ : ଆପ୍‌ ମାଧ୍ୟମରେ କାଶ୍ମୀରରେ ଆତଙ୍କବାଦୀ ନିଯୁକ୍ତି

ଶ୍ରୀନଗର : ପାକିସ୍ତାନରେ ଥିବା ପ୍ରମୁଖ ଆତଙ୍କବାଦୀ ସଂଗଠନଗୁଡ଼ିକ ଜମ୍ମୁ କାଶ୍ମୀରରେ ଏବେ ଆତଙ୍କବାଦୀ ନିଯୁକ୍ତି ପାଇଁ ନୂଆ ରାସ୍ତା ଆପଣାଇଛନ୍ତି। ତୁର୍କୀର କେତେକ ସଂସ୍ଥା ଦ୍ବାରା ବିକଶିତ କରାଯାଇଥିବା ୩ଟି ମେସେଜିଂ ଆପ୍‌ ମାଧ୍ୟମରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନମାନେ କାଶ୍ମୀରରେ ଆତଙ୍କବାଦୀ ନିଯୁକ୍ତି ଦେଇଥିବା ଜଣାପଡ଼ିଛି। ନିକଟରେ ଏନ୍‌କାଉଣ୍ଟରରେ ନିହତ ହୋଇଥିବା ଏବଂ ଆତ୍ମସମର୍ପଣ କରିଥିବା ଆତଙ୍କବାଦୀ ସଂପର୍କରେ ଯାଞ୍ଚ ବେଳେ ଏହି ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ତେବେ ସୁରକ୍ଷା ଦୃଷ୍ଟିରୁ ଏହି ଆପ୍‌ଗୁଡ଼ିକ ସଂପର୍କରେ ସବିଶେଷ ତଥ୍ୟ ଦିଆଯାଇ ନାହିଁ। ପାକିସ୍ତାନରେ ରହିଥିବା ଆତଙ୍କୀ ନେଟ୍‌ୱର୍କ ଏବଂ କାଶ୍ମୀରରେ ରହିଥିବା ସେମାନଙ୍କ ସଂଚାଳକଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା ପାଇଁ ମଧ୍ୟ ସ୍ବତନ୍ତ୍ର ଆପ୍‌ ବ୍ୟବହାର ହେଉଛି । ଫେସ୍‌ବୁକ୍‌ ଏବଂ ହ୍ବାଟ୍ସଆପ୍‌ରେ ସକ୍ରିୟ ରହିଲେ ଆତଙ୍କବାଦୀ ତୁରନ୍ତ ଧରା ପଡ଼ିଯାଉଥିବାରୁ ସେମାନେ ଏବେ ନୂଆ କୌଶଳ ଅବଲମ୍ବନ କରିଛନ୍ତି ଏବଂ ତୁର୍କୀରେ ବିକଶିତ ହୋଇଥିବା ୩ଟି ଆପ୍‌କୁ ସ୍ବତନ୍ତ୍ର କୋଡ୍‌ ଦ୍ବାରା ସଂଚାଳନ କରାଯାଉଛି।

କାଶ୍ମୀର ଘାଟିରେ ନୂଆ ଆତଙ୍କବାଦୀଙ୍କୁ ନିଯୁକ୍ତି ଦେବାପାଇଁ ବ୍ୟବହାର ହେଉଥିବା ଏହି ଆପ୍‌ରେ ଫୋନ୍‌ ନମ୍ବର କିମ୍ବା ଇ-ମେଲ ଠିକଣା ଆବଶ୍ୟକ ପଡ଼ୁନାହିଁ। ଏହାକୁ ବ୍ୟବହାର କରୁଥିବା ଲୋକଙ୍କ ଗୋପନୀୟତା ମଧ୍ୟ ପ୍ରଘଟ ହେବା ଏତେ ସହଜ ନୁହେଁ। ଜୈସ୍‌ ଏ ମହମ୍ମଦ ଆତଙ୍କବାଦୀ ସଂଗଠନ ଏହି ଆପ୍‌କୁ ବହୁଳ ଭାବେ ବ୍ୟବହାର କରି କାଶ୍ମୀରରେ ଯୁବକମାନଙ୍କୁ ପ୍ରଲୋଭିତ କରୁଛି ।

ପୁଲ୍‌ୱାମା ଆକ୍ରମଣ ସମୟରେ ମଧ୍ୟ ଏକ ସ୍ବତନ୍ତ୍ର ଆପ୍‌ ସଂପର୍କରେ ଗୁଇନ୍ଦା ବିଭାଗକୁ ସୁରାକ୍‌ ମିଳିଥିଲା। ଆକ୍ରମଣ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଆତଙ୍କବାଦୀମାନେ ୪୦ଟି ଭର୍ଚୁଆଲ୍‌ ସିମ୍‌ ବ୍ୟବହାର କରିଥିଲେ। ଏବେ ଅନୁପ୍ରବେଶ ଉଦ୍ୟମ ସଫଳ ହେଉନଥିବାରୁ ସ୍ଥାନୀୟ ଆତଙ୍କବାଦୀଙ୍କୁ ଅଧିକ ସକ୍ରିୟ କରିବା ପାଇଁ ଜୈସ୍‌ ଯୋଜନା କରୁଛି।

ସମ୍ବନ୍ଧିତ ଖବର