ଆତଙ୍କବାଦୀ ଆକ୍ରମଣର ନୂଆ ଦିଗ: ରାଜନୈତିକ ପ୍ରକ୍ରିୟାକୁ ଭଣ୍ଡୁର କରିପାରେ, ଶସ୍ତା ପ୍ରଯୁକ୍ତି
ନୂଆଦିଲ୍ଲୀ: ଜମ୍ମୁସ୍ଥିତ ବାୟୁସେନା ଘାଟିରେ ଆତଙ୍କବାଦୀମାନେ ଶନିବାର ରାତିରେ ଡ୍ରୋନ ମାଧ୍ୟମରେ ଆକ୍ରମଣ କରିଛନ୍ତି। ଭାରତର ବିଭିନ୍ନ ସ୍ଥାନରେ ପୂର୍ବରୁ ଡ୍ରୋନ୍ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ପକା ଯାଇଥିଲା, କିନ୍ତୁ ପ୍ରଥମ ଥର ପାଇଁ ଆକ୍ରମଣ କରାଯାଇଛି। ସିରିୟା ଏବଂ ତୁର୍କୀରେ ଏଭଳି ଆକ୍ରମଣ ଯୋଜନା ପ୍ରଥମେ ହୋଇଥିଲା। ୨୦୧୪ ନଭେମ୍ବରରେ ତୁର୍କୀ ସହର ସନଲିୟୁରଫାରେ ଏକ ଡେଲିଭରି ଭ୍ୟାନ ଭିତରେ ରିମୋଟ କଣ୍ଟ୍ରୋଲ, ପ୍ରୋଗ୍ରାମ ପ୍ୟାଡ଼, ସିମୁଲେଟର ସଫ୍ଟୱେର, ଆଣ୍ଟିନା, କ୍ୟାମେରା ପଡ୍, ମାଇକ୍ରୋ ଟର୍ବାଇନ ଇଞ୍ଜିନ ଆଦି ମିଳିଥିଲା। ଏସବୁ ଉତ୍ପାଦ ମାନବ ରହିତ ଯାନ ନିର୍ମାଣରେ ବଡ଼ ପରିବର୍ତ୍ତନ ଆଣିଛି। ତୁର୍କୀର ସହରଠାରୁ କିଛି ଦୂର ସିରିୟାର ରକ୍କାଠାରେ ବାଂଲାଦେଶରେ ଜନ୍ମିତ ଏବଂ ବ୍ରିଟେନରେ କମ୍ପ୍ୟୁଟର ଇଞ୍ଜିନିୟରିଂ ଡିଗ୍ରି ହାସଲ କରିଥିବା ଯୁବକ ସିଲଫୁଲ ହକ୍ ସୁଜାନ ସେସବୁ ଉପକରଣକୁ ଯୋଡ଼ାଯୋଡ଼ି କରିବା ପାଇଁ ଅପେକ୍ଷା କରି ରହିଥିଲା। ସେବେଠାରୁ ସୁଜାନ ସୃଷ୍ଟ ଏଭଳି ଡ୍ରୋନ ଆତଙ୍କବାଦୀଙ୍କ ପାଇଁ ଏକ ଆଶୀର୍ବାଦରେ ପରିଣତ ହୋଇଛି। ବାଂଲାଦେଶୀ ଯୁବକ ସୁଜାନ୍ ତା’ର ଭାଇ ଅତୌଲ ହକ୍ ସୋବୁଜ୍ ସହ ମିଶି ବିଶ୍ବର ବିଭିନ୍ନ ସ୍ଥାନରୁ ଡ୍ରୋନ ନିର୍ମାଣରେ ବ୍ୟବହୃତ ଉପକରଣ କିଣିଥିଲା। ପେପଲ୍ ମାଧ୍ୟମରେ ଅର୍ଥ ପଇଠ ହୋଇଥିଲା। ତେବେ ସୁଜନ ପକ୍ଷରୁ ପ୍ରଥମେ ଯେଉଁ ଡ୍ରୋନ ନିର୍ମାଣ କରାଯାଉଥିଲା ସେଥିରେ କେବଳ ହ୍ୟାଣ୍ଡଗ୍ରେନେଡ ନିଆଯାଇ ପାରୁଥିଲା। ପରେ ଏଥିରେ ଅନେକ ଉନ୍ନତି ଆସିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ଲସ୍କର-ଏ-ତୋଇବା ଏଲଓସିରେ ୨୦୧୮ ମସିହାରେ ଡ୍ରୋନ ବ୍ୟବହାର କରିଥିଲା। ଏହାମାଧ୍ୟମରେ ଅସ୍ତ୍ରଶସ୍ତ୍ର ପକାଇଥିଲା। କିନ୍ତୁ ପ୍ରଥମ ଥର ପାଇଁ ସୁଜାନ୍ର ୨୦୧୪ ମସିହାର ପରିକଳ୍ପନାକୁ ଭାରତରେ ପ୍ରୟୋଗ କରାଯାଇଛି। ଶନିବାର-ରବିବାର ରାତିରେ ଜମ୍ମୁରେ ଯେଉଁ ଆକ୍ରମଣ ହେଲା ସେଥିରୁ ବାୟୁସେନାର ଲଢ଼ୁଆ ବିମାନ ଅଳ୍ପକେ ବର୍ତ୍ତିଯାଇଛି। ସମ୍ଭବତଃ ଗ୍ଲୋବାଲ ପୋଜିସନିଂ ସିଷ୍ଟମ୍ (ଜିପିଏସ୍) ସେଟିଂରେ ତ୍ରୁଟି ଯୋଗୁ ଡ୍ରୋନଦ୍ବୟ ଲକ୍ଷ ହାସଲରେ ବିଫଳ ହୋଇଥିଲା। ଡ୍ରୋନର ଆକାର ଛୋଟ। ତେଣୁ ଏଗୁଡ଼ିକ ଆକ୍ରମଣ ପାଇଁ ଆସିବା ବେଳେ ସେଗୁଡ଼ିକୁ ଠାବ କରିବା ଏବଂ ଅକାମୀ କରିବା କେବଳ କଷ୍ଟ ନୁହେଁ ବ୍ୟୟବହୁଳ ମଧ୍ୟ। କିନ୍ତୁ ୨୬/୧୧ ମୁମ୍ବାଇ ଆକ୍ରମଣ ଭଳି ଆତ୍ମଘାତୀ ଆକ୍ରମଣ କରି ଧରା ପଡ଼ିବା ଏବଂ ପରେ ଅନ୍ତର୍ଜାତୀୟ ସମୁଦାୟରେ ନିନ୍ଦିତ ହେବା ଅପେକ୍ଷା ଡ୍ରୋନକୁ ଆତଙ୍କବାଦୀମାନେ ଆକ୍ରମଣର ମାଧ୍ୟମ ଭାବେ ବାଛି ନେଇଛନ୍ତି। ଯଦିଓ ଡ୍ରୋନର ପଥକୁ ଜାଣିବାର ପ୍ରଯୁକ୍ତି ରହିଛି ତଥାପି ଭାରତରେ ରହୁଥିବା ଜିହାଦୀଙ୍କ ମାଧ୍ୟମରେ ସେଗୁଡ଼ିକୁ ବ୍ୟବହାର କରିବାର ସମ୍ଭାବନା ରହିଛି।
ଶସ୍ତା ପ୍ରଯୁକ୍ତି
୨୦୦୩ ମସିହାରେ ଆମେରିକାର ଏଫ୍ବିଆଇ ପକ୍ଷରୁ ନୂଆ ତଥ୍ୟ ସାମ୍ନାକୁ ଅଣାଯାଇଥିଲା। ସେଥିରେ କୁହାଯାଇଥିଲା ଯେ, ଲାହୋରରେ ଜନ୍ମିତ ଏବଂ ମେରିଲାଣ୍ଡରେ ବାସ କରୁଥିବା ଅଲ୍ଲି ଅସଦ୍ ଚାନ୍ଦିଆ ଲସ୍କର-ଏ-ତୋଏବାକୁ ଡ୍ରୋନ, ନାଇଟ-ଭିଜନ ସାମଗ୍ରୀ ଏବଂ ଅନ୍ୟାନ୍ୟ ଉପକରଣ ଯୋଗାଉଥିଲା। ତେବେ ସେସବୁ ଡ୍ରୋନ୍ ଆକ୍ରମଣ ପରିବର୍ତ୍ତେ ନିରୀକ୍ଷଣ ପାଇଁ ବ୍ୟବହୃତ ହେଉଥିଲା। ତେବେ ଡ୍ରୋନ ନିର୍ମାଣ ପାଇଁ ସେତେଟା ଅଧିକ ଅର୍ଥ ଆବଶ୍ୟକ ନାହିଁ। ଚୀନରେ ନିର୍ମିତ ଶସ୍ତା ଉପକରଣ ମାଧ୍ୟମରେ ଗୋଟିଏ ଡ୍ରୋନ ନିର୍ମାଣ ପାଇଁ ୨୫୦ ଡଲାର ଅର୍ଥ ଆବଶ୍ୟକ ହେଉଛି ବୋଲି ୨୦୧୬ରେ ଆମେରିକାର ପୂର୍ବତନ ବାୟୁସେନା ଅଫିସର ମାର୍କ ଜାକୋବ୍ସେ କହିଥିଲେ। ଏହି ଡ୍ରୋନରେ ୧ କେଜିର ସାମଗ୍ରୀ ୧୨ ମାଇଲ ପର୍ଯ୍ୟନ୍ତ ପଠାଯାଇ ପାରୁଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଜମ୍ମୁ ବାୟୁସେନା ଷ୍ଟେସନର ଦୂରତା ସୀମାଠାରୁ ମାତ୍ର ୧୪ କିଲୋମିଟର ଦୂର।
ରାଜନୈତିକ ପ୍ରକ୍ରିୟାକୁ ଭଣ୍ଡୁର କରିପାରେ
ଭାରତ ଏବଂ ପାକିସ୍ତାନ ପକ୍ଷରୁ ଏବେ ଅସ୍ତ୍ରବିରତି ରାଜିନାମା ବଳବତ୍ତର ରହିଛି। ଗତ ସପ୍ତାହରେ ପାକିସ୍ତାନର ଲାହୋର ସହରରେ କୁଖ୍ୟାତ ଆତଙ୍କବାଦୀ ହାପିଜ ସୟିଦ ଘର ନିକଟରେ ଆତଙ୍କବାଦୀ ବିସ୍ଫୋରଣ ହୋଇଥିଲା। ଏଥିରେ ଭାରତର ଗୁଇନ୍ଦା ସଂସ୍ଥାର ହାତ ରହିଛି ବୋଲି ଆଇଏସଆଇ ସହେନ୍ଦ କରୁଛି। ତେଣୁ ଜମ୍ମୁରେ ଆକ୍ରମଣ ପାକିସ୍ତାନୀ ଗୁଇନ୍ଦାର କାର୍ଯ୍ୟ ହୋଇପାରେ ବୋଲି ଅନୁମାନ କରାଯାଇପାରେ। ଏତଦ୍ବ୍ୟତୀତ ଜମ୍ମୁ କାଶ୍ମୀରରେ ଭାରତ ଏବେ ରାଜନୈତିକ ପ୍ରକ୍ରିୟା ଆରମ୍ଭ ପାଇଁ ଯୋଜନା ଚଳାଇଛି। କିନ୍ତୁ ଆତଙ୍କବାଦୀ ଆକ୍ରମଣ କରି ସେହି ପ୍ରକ୍ରିୟା ଭଣ୍ଡୁର କରିବା ଆତଙ୍କବାଦୀ ଏବଂ ଦେଶବିରୋଧୀଙ୍କ କାର୍ଯ୍ୟ ହୋଇଥାଇପାରେ ବୋଲି କିଛି ବ୍ୟକ୍ତି ମତ ଦେଉଛନ୍ତି।