ଫେବ୍ରୁଆରି ୧ ତାରିଖ ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ

ନୂଆଦିଲ୍ଲୀ: ଘୋଷଣା ହୋଇଛି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ନୂଆ ଫାଶୀ ତାରିଖ। ନିର୍ଭୟା ଦୋଷୀଙ୍କୁ ଫେବ୍ରୁଆରି ୧ ତାରିଖ ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲାଇବାକୁ ସ୍ଥିିର ହୋଇଛି ।  ଶୁକ୍ରବାର ଦିଲ୍ଲୀର ପାଟିଆଲା ହାଉସ୍ କୋର୍ଟ ପୁଣି ଥରେ ୪ ଦୋଷୀଙ୍କ ମୃତ୍ୟୁ ପରୱାନା ଜାରି କରିଛନ୍ତି । ଆଜି ସକାଳେ ମୁକେଶ ସିଂହର ରାଜକ୍ଷମା ଆବେଦନ ରାଷ୍ଟ୍ରପତି ଖାରଜ କରିବା ପରେ କୋର୍ଟ ନୂତନ ତାରିଖ ଘୋଷଣା କରିଛନ୍ତି । ରାଜକ୍ଷମା ଆବେଦନ ଉପରେ ଫଏସଲା ନ ହେବା ପର୍ଯ୍ୟନ୍ତ ଫାଶୀ ହୋଇପାରିବ ନାହିଁ ବୋଲି ଦର୍ଶାଇ ଦୋଷୀ ମୁକେଶ ସିଂହ ପକ୍ଷରୁ ତଳ କୋର୍ଟରେ ମାମଲା ରୁଜୁ ହୋଇଥିଲା। ଗତକାଲି ରାଜକ୍ଷମା ଆବେଦନ ସଂପର୍କରେ ରାଷ୍ଟ୍ରପତିଙ୍କ ରାୟ ଆସି ନ ଥିବାରୁ କୋର୍ଟ ୨୨ ତାରିଖରେ ମୃତ୍ୟୁ ପରୱାନା କାର୍ଯ୍ୟକାରୀ ହୋଇପାରିବ ନାହିଁ  ବୋଲି ମନ୍ତବ୍ୟ ରଖି ତିହାର ଜେଲ୍ କର୍ତ୍ତୃପକ୍ଷଙ୍କୁ ଫାଶୀ ନ ହେବା ନେଇ ରିପୋର୍ଟ ମାଗିଥିଲେ।

ଗୁରୁବାର କୋର୍ଟ ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂହର ଆବେଦନ ଉପରେ ଶୁଣାଣି କରି ତା’ର କ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ବିଚାରାଧୀନ ଥିବାରୁ ଫାଶୀ ଉପରେ ରହିତାଦେଶ ଲଗାଇଥିଲେ । ପୂର୍ବରୁ ୩ ଦୋଷୀଙ୍କୁ ୨୨ ତାରିଖରେ ଫାଶୀ ଦେବା ପାଇଁ ଡେଥ୍‌ ୱାରେଣ୍ଟ ଜାରି ହୋଇଥିଲା। କୋର୍ଟ ତିହାର ଜେଲ୍‌ ପ୍ରଶାସନକୁ ଶୁକ୍ରବାର ସୁଦ୍ଧା ଫାଶୀ ସଂକ୍ରାନ୍ତ ସବିଶେଷ ରିପୋର୍ଟ ଦାଖଲ କରିବା ପାଇଁ କହିଥିଲେ । ଏହାପରେ  ତିହାର ଜେଲ୍‌ କର୍ତ୍ତୃପକ୍ଷ ଦିଲ୍ଲୀ ସରକାରଙ୍କୁ ପତ୍ର ଲେଖି ଫାଶୀ ପାଇଁ ନୂଆ ତାରିଖ ମାଗିଥିଲେ। ଆଜି ମୁକେଶ ସିଂହର ରାଜକ୍ଷମା ଆବେଦନ ଖାରଜ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପଟିଆଲା ହାଉସ୍‌ କୋର୍ଟ ଫେବ୍ରୁଆରି ୧କୁ ନୂତନ ଫାଶୀ ତାରିଖ ଘୋଷଣା କରିଛନ୍ତି।

livelaw.in

ଗତକାଲି ୪ ଜଣଙ୍କ ମଧ୍ୟରୁ ଦେ‌ାଷୀ ମୁକେଶ ସିଂହର ରାଜକ୍ଷମା ଆବେଦନ ଉପରେ ନିଷ୍ପତ୍ତି ଆସି ନ ଥିବାରୁ ତା ନାମରେ ଜାରି ମୃତ୍ୟୁ ପରୱାନା ସ୍ଥଗିତ ରହିଥିଲା। ତେଣେ ଜେଲ୍ ମାନୁଆଲରେ ଥିବା ନିୟମ ଅନୁଯାୟୀ, ରାଜକ୍ଷମା ଆବେଦନ ଉପରେ ନିଷ୍ପତ୍ତି ଆସିବାର ୧୪ ଦିନ ପରେ ଦୋଷୀକୁ ଫାଶୀ ଦିଆଯାଇପାରିବ। ଫଳରେ ଜାନୁଆରି ୨୨ରେ ନିର୍ଭୟା ଦୋଷୀ ଫାଶୀ ନ ପାଇବା ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା।

ମୁକେଶ ସିଂହ ପକ୍ଷରୁ ମୃତ୍ୟୁ ପରୱାନା ପ୍ରତ୍ୟାହାର ଲାଗି କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ଟ୍ରାଏଲ୍ କୋର୍ଟର ବିଚାରପତି କହିଥିଲେ, ‘ମୁଁ  ଜାରି ହୋଇଥିବା ମୃତ୍ୟୁ ପରୱାନାର ସମୀକ୍ଷା କରୁନାହିଁ। ଯେହେତୁ ଦୋଷୀର ରାଜକ୍ଷମା ଆବେଦନ ବିଚାରାଧୀନ ରହିଛି ତେଣୁ ମୃତ୍ୟୁ ପରୱାନାର କାର୍ଯ୍ୟକାରୀତା ସ୍ଥଗିତ ରହୁଛି। ଏଥିସହ ଜେଲ୍ କର୍ତ୍ତୃପକ୍ଷ ମତେ ୨୨ ତାରିଖରେ ଫାଶୀ ହେଉନାହିଁ ବୋଲି ରିପୋର୍ଟ ପ୍ରଦାନ କରିବେ।’

ଗତକାଲି ଶୁଣାଣି ସମୟରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଅଦାଲତଙ୍କୁ କୁହାଯାଇଥିଲା କି ୨୨ ତାରିଖରେ ୪ ଦୋଷୀଙ୍କୁ ଫାଶୀ ଦିଆଯାଇ ପାରିବ ନାହିଁ, ଯେହେତୁ ମୁକେଶ ସିଂହର ରାଜକ୍ଷମା ଆବେଦନ ଉପରେ ରାୟ ଆସିନାହିଁ। ଅନ୍ୟ ପକ୍ଷରେ ନିର୍ଭୟାଙ୍କ  ପରିବାର ପକ୍ଷରୁ ଅଦାଲତଙ୍କୁ ଦର୍ଶାଯାଇଥିଲା କି ମୁକେଶ ଦାଖଲ କରିଥିବା ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ପହଞ୍ଚିଛି କି ନାହିଁ ତାହା ଏଯାବତ୍  ସ୍ପଷ୍ଟ ହୋଇନାହିଁ।   ତେଣୁ ଏହାକୁ ଆଳ କରି ଫାଶୀ ରୋକା ନ ଯାଉ।

ସମ୍ବନ୍ଧିତ ଖବର