ନୂଆଦିଲ୍ଲୀ: କରେନାର ଦ୍ବିତୀୟ ଲହର ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। କରୋନାରୁ ସୁସ୍ଥ ହୋଇଥିଲେ ସୁଦ୍ଧା ଅନ୍ୟାନ୍ୟ ସ୍ବାସ୍ଥ୍ୟ ଜଟିଳତା ଶରୀରକୁ ଅତିମାତ୍ରାରେ ରୁଗ୍ଣ କରିଦେଉଛି। କରୋନା ପରେ ବ୍ଲାକ୍ ଫଙ୍ଗସ୍, ମଧୁମେହ, ରକ୍ତ ଜମାଟ ବାନ୍ଧିବା, ଶ୍ବାସକ୍ରିୟାରେ ସମସ୍ୟା ପରି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। କିନ୍ତୁ ଚିକିତ୍ସକମାନଙ୍କ ପାଇଁ ଏବେ ଏକ ନୂଆ ଚିନ୍ତାର କାରଣ ହୋଇଛି ‘ବୋନ୍ ଡେଥ୍’। ଏହି କୋଭିଡ୍ ପରବର୍ତ୍ତୀ ସ୍ବାସ୍ଥ୍ୟ ଜଟିଳତା ଏକ ନୂଆ ଚ୍ୟାଲେଂଜ ସୃଷ୍ଟି କରିଛି। ରିପୋର୍ଟ ଅନୁଯାୟୀ ମୁମ୍ବାଇ ହସ୍ପିଟାଲ୍ର ଡାକ୍ତରମାନେ କିଛି ଏଭିଏନ୍ (ଆଭାସ୍କୁଲାର୍ ନେକ୍ରୋସିସ୍) ମାମଲା ଚିହ୍ନଟ କରିଛନ୍ତି। ଏଭିଏନ୍କୁ ‘ବୋନ୍ ଡେଥ୍’ କୁହାଯାଏ। ଗତ କିଛି ମାସ ଧରି କରୋନାରୁ ସୁସ୍ଥ ହୋଇଥିବା କିଛି ରୋଗୀ ଏହି ‘ବୋନ୍ ଡେଥ୍’ର ଶିକାର ହୋଇଛନ୍ତି ବୋଲି ଡାକ୍ତର କହିଛନ୍ତି। ଏନେଇ ୩ଟି ମାମଲା ସ୍ପଷ୍ଟ ହୋଇଛି। ସମସ୍ତଙ୍କ ବୟସ ୪୦ ତଳେ। ଜଙ୍ଘ ହାଡ଼ରେ ପ୍ରବଳ ଯନ୍ତ୍ରଣା ହେବାପରେ ସେମାନେ ଚିକିତ୍ସା ପାଇଁ ହସ୍ପିଟାଲ୍ ଯାଇଥିଲେ। ତେବେ ଜଣାପଡ଼ିଥିଲା ଯେ, ସେମାନେ ‘ବୋନ୍ ଡେଥ୍’ର ଶିକାର ହୋଇଛନ୍ତି। ଏଭିଏନ୍ ତଥା ବୋନ୍ ଡେଥ୍ ଦ୍ବାରା ଅସ୍ଥି କୋଷ ଗୁଡ଼ିକ ନଷ୍ଟ ହୋଇଯାଉଛି।
ଅସ୍ଥିକୁ ରକ୍ତ ଯୋଗାଣ ବନ୍ଦ ହୋଇଯିବା ଦ୍ବାରା ଏହି ରୋଗ ଦେଖାଦେଉଛି। ରକ୍ତ ଯୋଗାଣରେ ବାଧା ଉପୁଯିବାରୁ ଏହା ଅସ୍ଥି ତନ୍ତୁକୁ ନଷ୍ଟ କରିଦେଉଛି ଫଳରେ ନେକ୍ରୋସିସ୍ର କାରଣ ହେଉଛି। ଶରୀରର ଯେକୌଣସି ଅସ୍ଥିରେ ନେକ୍ରୋସିସ୍ ହୋଇପାରେ। ଏହି ରୋଗର ପ୍ରାଥମିକ ଲକ୍ଷଣଗୁଡ଼ିକ ମୁଖ୍ୟତଃ ଲକ୍ଷଣବିହୀନ। ପ୍ରଭାବିତ ଖଞ୍ଜାଗୁଡ଼ିକ ଉପରେ ବେଶୀ ଚାପ ପଡ଼ିଲେ ସାଂଘାତିକ ଯନ୍ତ୍ରଣା ହେବ। ତେବେ ଆଭାସ୍କୁଲାର ନେକ୍ରୋସିସ୍ ଅତି ସାଂଘାତିକ ସ୍ଥିତି ସୃଷ୍ଟି କରୁଛି। ଅସ୍ଥିଗୁଡ଼ିକ ସଠିକ୍ ଭାବେ କାର୍ଯ୍ୟ ନକରିବାଦ୍ବାରା ଶରୀରର ବିଭିନ୍ନ ଖଞ୍ଜା ନଷ୍ଟ ହୋଇଯାଏ। ଏନେଇ ଅଧିକ ଅଧ୍ୟୟନ ଜାରି ରହିଛି। ତେବେ କରୋନାରୁ ସୁସ୍ଥ ହେବାପରେ ବୋନ୍ ଡେଥ୍ର ଏକ ପ୍ରମୁଖ କାରଣ ହେଉଛି ଷ୍ଟେରଏଡ୍। ଅତ୍ୟଧିକ ଷ୍ଟେରଏଡ୍ ବ୍ୟବହାର ଏହି ବୋନ୍ ଡେଥ୍ର କାରଣ ବୋଲି ବିଶେଷଜ୍ଞମାନେ କହିଛନ୍ତି। କରୋନାରୁ ସୁସ୍ଥ ହେବାପରେ ଯେଉଁମାନଙ୍କର ଜଙ୍ଘ ଏବଂ ଅଣ୍ଟାରେ ସାଂଘାତିକ ଯନ୍ତ୍ରଣା ହେଉଛି ସେମାନେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ସହ ଏମ୍ଆରଆଇ କରିନେବା ଉଚିତ୍ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।