ଗାନ୍ଧୀନଗର: ଗୁଜରାଟରେ ଆଜି ବିଜେପି ସରକାରର ମନ୍ତ୍ରିମଣ୍ଡଳ ପୁନର୍ଗଠନ ହୋଇଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ଆଜି ରାଜଭବନରେ ୨୫ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଏହି ପୁନର୍ଗଠନ ସହିତ ମନ୍ତ୍ରିମଣ୍ଡଳର ସଂଖ୍ୟା ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୬ରେ ପହଞ୍ଚିଛି। ପଟେଲଙ୍କ କ୍ୟାବିନେଟ୍ରେ ଆଜି ୧୯ ଜଣ ନୂଆ ମୁହଁଙ୍କୁ ସ୍ଥାନ ମିଳିଛି, ଯେଉଁମାନଙ୍କ ମଧ୍ୟରେ କ୍ରିକେଟର୍ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ମଧ୍ୟ ଅଛନ୍ତି। ଯୁବଶକ୍ତି, ମହିଳା ପ୍ରତିନିଧିତ୍ୱ ଓ ଆଞ୍ଚଳିକ ସନ୍ତୁଳନକୁ ଗୁରୁତ୍ୱ ଦେଇ ମନ୍ତ୍ରିମଣ୍ଡଳ ପୁନର୍ଗଠନ କରାଯାଇଛି। ଯୁବନେତା ହର୍ଷ ସଂଘ୍ଭୀଙ୍କୁ ଉପ-ମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯାଇଛି। ପୂର୍ବରୁ ଗୃହମନ୍ତ୍ରୀ ଥିବା ସଂଘ୍ଭୀ ଏବେ ଗୃହ ବିଭାଗ ସହିତ ଆଇନ ଓ ନ୍ୟାୟ ବିଭାଗର ଦାୟିତ୍ୱ ତୁଲାଇବେ। ୨୦୨୨ ବିଧାନସଭା ନିର୍ବାଚନରେ ସଂଘଭୀ ଆପ୍ ପ୍ରାର୍ଥୀଙ୍କୁ ୧ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଥିଲେ। ଗାନ୍ଧିନଗର ରାଜଭବନରେ ଆଜି ନୂଆ ମନ୍ତ୍ରୀମାନଙ୍କୁ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଶପଥ ପାଠ କରାଇଥିଲେ।
୧୯ ନୂଆ ମୁହଁ, ହର୍ଷ ସଂଘ୍ଭୀ ଉପମୁଖ୍ୟମନ୍ତ୍ରୀ
ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ମନ୍ତ୍ରୀ ହେଲେ
ଜାମନଗର ଉତ୍ତର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟିକା ରିଭାବା ଜାଡେଜା (୩୪) ଏହି ନୂଆ ମୁହଁଙ୍କ ମଧ୍ୟରୁ ଅନ୍ୟତମ। ସେ ୨୦୧୬ରେ କ୍ରିକେଟର୍ ରବୀନ୍ଦ୍ର ଜାଡେଜାଙ୍କୁ ବିବାହ କରିଥିଲେ। ସୁକନ୍ୟା ସମୃଦ୍ଧି ଯୋଜନାର ପ୍ରଚାର ପ୍ରସାର ନିମନ୍ତେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ପ୍ରଶଂସା କରିଥିଲେ। ସୂଚନାଯୋଗ୍ୟ, ମନ୍ତ୍ରିମଣ୍ଡଳ ପୁନର୍ଗଠନ ପାଇଁ ଗତକାଲି ୧୬ ଜଣ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା। ଆଜି ଶପଥ ନେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ଓବିସିରୁ ୮ ଜଣ ଥିବା ବେଳେ ପଟିଦାର ସଂପ୍ରଦାୟରୁ ୬ ଜଣ, ଆଦିବାସୀ ବର୍ଗରୁ ୪ ଏବଂ ଅନୁସୂଚିତ ଜାତି ବର୍ଗରୁ ୩ ମନ୍ତ୍ରୀ ଅଛନ୍ତି। ଏହି ପୁନର୍ଗଠନ ୨୦୨୭ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଇଛି। ଆଜି ଶପଥ ଗ୍ରହଣ ଉତ୍ସବରେ ବିଜେପିର ଜାତୀୟ ସଭାପତି ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ।
ଗତକାଲି ଇସ୍ତଫା ଦେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରୁ ୬ ଜଣ ପୁନର୍ଗଠନ ପ୍ରକ୍ରିୟାରେ କ୍ୟାବିନେଟ୍କୁ ଫେରିଛନ୍ତି। ସେମାନେ ହେଲେ ଋଷିକେଶ ପଟେଲ, କାନୁଭାଇ ଦେଶାଇ, କୁଅଁରଜୀ ବାବାଲିଆ, ପ୍ରଫୁଲ୍ଲ ପାନସେରିଆ, ପୁରୁଷୋତ୍ତମ ସୋଲାଙ୍କି ଏବଂ ହର୍ଷ ସଂଘ୍ଭୀ। ସଂପ୍ରସାରଣ ପରେ ଏବେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ବାଦ୍ ଦେଇ କ୍ୟାବିନେଟରେ ୮ ଜଣ କ୍ୟାବିନେଟ ମନ୍ତ୍ରୀ, ୩ ଜଣ ରାଷ୍ଟ୍ରମନ୍ତ୍ରୀ-ସ୍ବାଧୀନ ଦାୟିତ୍ବ ଏବଂ ୧୩ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି।