ସମ୍ପ୍ରସାରଣ ପୂର୍ବରୁ ଇସ୍ତଫା ଦେଲେ ଗେହ‌ଲଟ୍‌ ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀ

ଜୟପୁର: ରବିବାର ଅପରାହ୍ଣ ପ୍ରାୟ ୪ଟା ବେଳେ ଅଶୋକ ଗେହ‌ଲଟ୍‌ ନେତୃତ୍ବାଧୀନ ରାଜସ୍ଥାନ ସରକାରରେ କ୍ୟାବିନେଟ୍‌ ପୁନର୍ଗଠନ ହେବାର ସମ୍ଭାବନା ଅଛି ବୋଲି କୁହାଯାଉଛି। ଏହା ପୂର୍ବରୁ ଆଜି ରାଜସ୍ଥାନ କଂଗ୍ରେସର ସବୁ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଆଜି ଅଶୋକ ଗେହ‌ଲଟଙ୍କ ବାସଭବରେ ହୋଇଥିବା ବୈଠକ‌ରେ ସବୁ ମନ୍ତ୍ରୀ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଅଶୋକ ଗେହ‌ଲଟଙ୍କୁ ଦେଇଛନ୍ତି।

ଆସନ୍ତାକାଲି ଦଳର ସମସ୍ତ ନେତା ଓ ବିଧାୟକମାନେ ଅପରାହ୍ନ ୨ଟାରେ ଦଳୀୟ କାର୍ଯ୍ୟାଳୟରେ ଏକଜୁଟ ହେବା ସହ ନୂତନ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ସନ୍ଧ୍ୟା ୪ଟାରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ମନ୍ତ୍ରୀ ପରିଷଦର ବୈଠକ ପରେ ରାଜ୍ୟ ପରିବହନ ମନ୍ତ୍ରୀ ପ୍ରତାପ ସିଂ ଖାଚରିୟାବାସ ଏହି ସୂଚନା ଦେଇଛନ୍ତି। ଖାଚରିୟାବାସ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଗେହ‌ଲଟଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି।

ସ୍ମରଣଯୋଗ୍ୟ, ଶୁକ୍ରବାର ଦିନ ଗୋବିନ୍ଦ ସିଂହ ଡୋଟାସରା ଏବଂ ଅନ୍ୟ ଦୁଇଜଣ ରାଜସ୍ଥାନ ମନ୍ତ୍ରୀ- ହରିଶ ଚୌଧୁରୀ ଏବଂ ରଘୁ ଶର୍ମା କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଦେଇଥିଲେ। ପଦବୀରୁ ଓହରି ଯାଇ ଦଳରେ ରହି କାମ କରିବାକୁ ଆଗ୍ରହ ଥିବା କଥା ସେମାନେ ସୋନିଆ ଗାନ୍ଧୀଙ୍କୁ ଲେଖିଥିଲେ। ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ତିନି ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର