ଦେଶର ନୂଆ ସିଏଜି ଭାବେ ଶପଥ ନେଲେ ଗିରୀଶ ଚନ୍ଦ୍ର ମୁର୍ମୁ

ଶପଥ ପାଠ କରାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ଦେଶର ନୂଆ ସିଏଜି(ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ) ଭାବେ ଆଜି ଶପଥ ନେଇଛନ୍ତି ଗିରୀଶ ଚନ୍ଦ୍ର ମୁର୍ମୁ | ରାଷ୍ଟ୍ରପତି ଭବନରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗିରୀଶଙ୍କୁ ଶପଥ ପାଠ କରାଇଛନ୍ତି | ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରମୁଖ ଉପସ୍ଥିତ ଥିଲେ | ଜମ୍ମୁ ଓ କଶ୍ମୀରର ପୂର୍ବତନ ଉପ-ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ଦେଶର କମ୍ପ୍ଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ (ସିଏଜି) ନିଯୁକ୍ତ ହୋଇଛନ୍ତି ।

ସେ ରାଜୀବ ମହର୍ଷିଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୮୫ ବ୍ୟାଚ ଆଇଏଏସ ଅଫିସର ଶ୍ରୀ ମୁର୍ମୁ ଜମ୍ମୁ ଓ କଶ୍ମୀର ଉପରାଜ୍ୟପାଳ ପଦରୁ ୫ ତାରିଖରେ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ମନୋଜ ସିହ୍ନାଙ୍କୁ ଜମ୍ମୁ ଓ କଶ୍ମୀର ଉପରାଜ୍ୟପାଳ ନିଯୁକ୍ତ କରାଯାଇଥିଲା ।

ସେ ଗତ ବର୍ଷ ପ୍ରଥମ ଥର ପାଇଁ ନବଗଠିତ ଜମ୍ମୁ ଓ କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଥମ ଉପରାଜ୍ୟପାଳ ନିଯୁକ୍ତ ହୋଇଥିଲେ । ଶ୍ରୀ ମୁର୍ମୁ ଓଡ଼ିଶାର ମୟୂରଭଞ୍ଜ ମାଟିର ସନ୍ତାନ ଏବଂ ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦପଦବିରେ ଅବସ୍ଥାପିତ ହୋଇ ସଫଳତାର ସହ କାର୍ଯ୍ୟ ତୁଲାଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ୍‌ ଖଡ଼ିଶୋଳ ଗ୍ରାମ ପଞ୍ଚାୟତ କୁଞ୍ଚିଶୋଳ ଗାଁର ସ୍ବର୍ଗତ ଭାଗବତ ମୁର୍ମୁ ଏବଂ ପାର୍ବତୀ ମୁର୍ମୁଙ୍କର ୬ ପୁଅ ଏବଂ ୨ ଝିଅଙ୍କ ମଧ୍ୟରୁ ସବା ବଡ଼ପୁଅ ହେଉଛନ୍ତି ଗିରୀଶ । ୨୧ ନଭେମ୍ବର, ୧୯୫୯ରେ ଜନ୍ମଗ୍ରହଣ କରିଥିବା ଗିରୀଶ ନିଜ ଗାଁରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ। ପରେ ବାରିପଦା ଏବଂ ରାଉରକେଲାରେ ଅଧ୍ୟୟନ ପରେ ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରି ଜେଏନ୍‌ୟୁରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ୧୯୮୫ରେ ‌ଗିରୀଶ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଗୁଜୁରାଟ କ୍ୟାଡର୍‌ ଆଇଏଏସ୍‌ ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର