ଉହାନକୁ ପୁଣି ଫେରୁଛି କରୋନା, ୧କୋଟି ଲୋକଙ୍କ ପରୀକ୍ଷା କରିବାକୁ ଚୀନର ପ୍ରସ୍ତୁତି

ବେଜିଂ: ଚୀନର ଶିଳ୍ପ ନଗରୀ ଉହାନରେ ପୁଣି ଥରେ କରୋନା ଭାଇରସ ଫେରିବା ଆଶଙ୍କା ଦେଖାଦେଇଛି । ଉହାନରେ କେତେକ କ୍ଲଷ୍ଟର ସଂକ୍ରମଣ ଦେଖାଦେଇଛି, ଏହାକୁ ନେଇ ଚୀନ ସରକାରଙ୍କ ଚିନ୍ତା ବଢିଯାଇଛି ।

ଏହାକୁ ଦୃଷ୍ଟିରେ ରଖି ଉହାନର ସବୁ ନାଗରିକଙ୍କ ନମୁନା ପରୀକ୍ଷଣ ପାଇଁ ଚୀନ ସରକାର ନିଷ୍ପତ୍ତି ନେଇଛନ୍ତି । ଉହାନର ଜନସଂଖ୍ୟା ପ୍ରାୟ ୧ କୋଟି ୧୦ ଲକ୍ଷ ହୋଇଥିବାବେଳେ ସମସ୍ତଙ୍କର ନ୍ୟୁକ୍ଲିକ ଏସିଡ ପରୀକ୍ଷା କରାଯିବ ।

ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ଯୋଜନା ପ୍ରସ୍ତୁତ କରିବାକୁ ଉହାନର ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ଜିଲ୍ଲା ନିଜ ନିଜ ଅଞ୍ଚଳରେ ଥିବା ସବୁ ଲୋକମାନଙ୍କ ପରୀକ୍ଷା କରିବାକୁ ଯୋଜନା ପ୍ରସ୍ତୁତ କରିବେ ।

ଚୀନର ଏହି ଉହାନ ନଗରୀରେ ହିଁ ପ୍ରଥମ କରୋନା ଭାଇରସ ସଂକ୍ରମଣ ଆରମ୍ଭ ହୋଇଥିଲା । ଏହାପରେ ଉହାନକୁ ପ୍ରାୟ୭୬ ଦିନ ପାଇଁ ଲକଡାଉନ କରାଯାଇଥିଲା । ଗତ ଏପ୍ରିଲ ୮ରେ ଲକଡାଉନ ଖୋଲିବା ପରେ ଉହାନ କରୋନା ମୁକ୍ତ ବୋଲି ଚୀନ ସରକାର ଘୋଷଣା କରିଥିଲେ । ତେବେ ଗତ ରବିବାର ଦିନ ଉହାନର ଡଙ୍ଗସୁ ଜିଲ୍ଲାର ଏକ ଆବାସିକ କଂପ୍ଲେକ୍ସରେ ୬ଟି ନୂଆ ମାମଲା ଦେଖାଯାଇଛି । ଏହା ପରେ ଉହାନରେ ପୁଣି ଥରେ କରୋନା ଫେରିବା ଆଶଙ୍କା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଚୀନ ସରକାର ସମସ୍ତଙ୍କ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସମ୍ବନ୍ଧିତ ଖବର