ନୂଆଦିଲ୍ଲୀ : କେନ୍ଦ୍ର ସରକାର ଶୁକ୍ରବାରଦିନ ଭି. ଅନନ୍ତ ନାଗେଶ୍ବରନଙ୍କୁ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି । ପୂର୍ବରୁ ସେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟିରେ ସଦସ୍ୟ ଭାବେ କାର୍ଯ୍ୟ କରିସାରିଛନ୍ତି ।

Advertisment

ଗତ ଡିସେମ୍ବର ମାସରେ କେଭି ସୁବ୍ରମଣ୍ୟମ ଇସ୍ତଫା ଦେବା ପରେ ଏହି ପଦବୀଟି ଖାଲି ଥିଲା । କିନ୍ତୁ ସୋମବାରଦିନ ଲୋକସଭାରେ ଅର୍ଥନୈତିକ ସର୍ଭେ ଉପସ୍ଥାପିତ ହେବାକୁ ଥିବାରୁ, ତା ପୂର୍ବରୁ ସରକାର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ପଦବୀକୁ ପୂରଣ କରିଛନ୍ତି । ସାଧାରଣତଃ ଅର୍ଥମନ୍ତ୍ରୀ ଲୋକସଭାରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିବା ପରେ ପରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଏକ ସାମ୍ବାଦିକ ସମ୍ମିଳନୀ କରି ଅର୍ଥନୈତିକ ସର୍ଭେର ବିଭିନ୍ନ ଦିଗ ଉପରେ ବୟାନ ରଖନ୍ତି ।

ଆଇଆଇଏମ ଅହମଦାବାଦର ଜଣେ ଗ୍ରାଜୁଏଟ ନାଗେଶ୍ବରନ ଏବେ ସିଂଗାପୁରର ଏକ ବି-ସ୍କୁଲରେ ଅନ୍ତର୍ଜାତୀୟ ଅର୍ଥନୀତି, ବିନିମୟ ମୁଦ୍ରା, ଉପରେ ଅଧ୍ୟାପନା କରୁଛନ୍ତି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ସୋମବାରଦିନ ଲୋକସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ । ଚଳିତ ଥର ଗୋଟିଏ ଖଣ୍ଡରେ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇବ । ପରଦିନ ଅର୍ଥାତ ୧ ଫେବ୍ରୁଆରି ମଙ୍ଗଳବାରଦିନ ଲୋକସଭାରେ କେନ୍ଦ୍ର ବଜେଟ୍ ଉପସ୍ଥାପନ ହେବ ।