ପରାଗଙ୍କ ବଦଳରେ ଏହି ବ୍ୟକ୍ତି ହୋଇପାରନ୍ତି ଟ୍ୱିଟରର ସିଇଓ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ଟ୍ୱିଟରର ନୂଆ ମାଲିକ ହୋଇଛନ୍ତି ଟେସଲା ସିଇଓ ଏଲୋନ୍ ମସ୍କ। ଏଲୋନ୍ ମସ୍କ ଟ୍ୱିଟରକୁ ସେୟାର ପିଛା ୫୪.୨୦ ଡଲାରରେ କିଣିବାକୁ ଅଫର୍ ଦେଇଥିଲେ, ଯାହାକୁ ଟ୍ୱିଟର ବୋର୍ଡ ଗ୍ରହଣ କରିଥିଲା । ଟ୍ୱିଟର ପକ୍ଷରୁ କୁହାଯାଇଥିଲା ଯେ ମସ୍କ ୪୪ ବିଲିୟନ ଆମେରିକୀୟ ଡଲାର ଦେଇ କମ୍ପାନିକୁ କିଣିଛନ୍ତି। ତେବେ ଏବେ ଗୋଟିଏ ପ୍ରଶ୍ନ ଲଗାତାର ଉଠୁଛି ଯେ, ମାଲିକ ବଦଳିବା ପରେ କମ୍ପାନିର ନୂଆ ସିଇଓ କିଏ ହେବ? ମସ୍କଙ୍କ ହାତକୁ ଟ୍ବିଟର ଯିବା ପରେ ପରାଗଙ୍କୁ ହଟାଇ ଆଉ କାହାକୁ ସିଇଓ କରିବେ କି ମସ୍କ? ଏଭଳି ଅନେକ ପ୍ରଶ୍ନକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ଏକ ବଡ ଖବର ସାମ୍ନାକୁ ଆସୁଛି।

କୁହାଯାଉଛି ଯେ ଏଲୋନ୍ ମସ୍କ ଟ୍ୱିଟରକୁ କିଣିବା ପରେ ବର୍ତ୍ତମାନ ସିଇଓ ପରାଗ ଅଗ୍ରୱାଲଙ୍କୁ ମଧ୍ୟ ଚାକିରିରୁ ବାହାର କରିପାରନ୍ତି | ନ୍ୟୁଜ୍ ଏଜେନ୍ସି ରଏଟର୍ସ କହିଛି ଯେ ଏଲୋନ୍ ମସ୍କ ଟ୍ୱିଟର ପାଇଁ ଜଣେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ କଥା ହୋଇଛନ୍ତି ଯିଏ କମ୍ପାନୀ ବିକ୍ରୟ ପ୍ରକ୍ରିୟା ସମାପ୍ତ ହେବା ପରେ ବର୍ତ୍ତମାନର ସିଇଓ ପରାଗ ଅଗ୍ରୱାଲଙ୍କ ସ୍ଥାନ ନେବେ। ରଏଟର୍ସ ଅନୁଯାୟୀ, ଟୁଇଟରର ପୁରୁଣା ପରିଚାଳନା ଟିମ ଉପରେ ଏଲୋନ୍ ମସ୍କଙ୍କର ବିଶ୍ୱାସ ନାହିଁ ଏବଂ ସେ ଏହା ମଧ୍ୟ କହିଛନ୍ତି। ଏଥିରୁ ଅନୁମାନ କରାଯାଇପାରେ ଯେ ବିକ୍ରୟ ସମାପ୍ତ ହେବା ପରେ କମ୍ପାନିରେ ବିପୁଳ ପରିମାଣର ଛଟେଇ ହୋଇପାରେ |

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜ୍ୟାକ୍ ଡୋର୍ସିଙ୍କୁ ପୁଣି ଥରେ କମ୍ପାନିର ସିଇଓ ଭାବରେ ନିଯୁକ୍ତ କରାଯାଇପାରେ | ତେବେ ଯଦି ଟ୍ୱିଟର ସିଇଓ ପରାଗ ଅଗ୍ରୱାଲଙ୍କୁ ବରଖାସ୍ତ କରାଯାଏ, ତେବେ କମ୍ପାନୀ ତାଙ୍କୁ ୪୨ମିଲିୟନ ଡଲାର ବା ୨୯୬ କୋଟି ଟଙ୍କା ଦେବ | ଯଦି ଏହି ଡିଲର ୧୨ମାସ ମଧ୍ୟରେ ତାଙ୍କୁ କମ୍ପାନିରୁ ବରଖାସ୍ତ କରାଯାଏ, ତେବେ ତାଙ୍କୁ ୪୨ ମିଲିୟନ୍ ଡଲାର୍ ମିଳିବ।

ସମ୍ବନ୍ଧିତ ଖବର