ପୌର ନିଗମର ଅଧ୍ୟକ୍ଷ ହେଲେ ପରିବାବିକାଳୀ: ଶିକ୍ଷାଗତ ଯୋଗ୍ୟତା ସତ୍ତ୍ୱେ ଚାକିରି ନ ପାଇବାରୁ ବିକୁଥିଲେ ପରିବା

ହାଇଦ୍ରାବାଦ: ଦିନେ ପରିବା ବିକୁଥିଲେ, ଆଉ ଆଜି ପୌର ନିଗମର ଅଧ୍ୟକ୍ଷ ହେଲେ | ଆନ୍ଧ୍ରପ୍ରଦେଶର ରାୟଚୋଟି ପୌର ନିଗମର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ଶେଖ ବାସାଙ୍କ କାହାଣୀ ଆଜି ଆମେ ଆପଣଙ୍କୁ କହିବୁ | ରାୟଚୋଟିର ଶେଖ ବାସା | ଡିଗ୍ରୀଧାରୀ ଶେଖଙ୍କୁ ଚାକିରି ଖଣ୍ଡେ ନ ମିଳିବାରୁ ସେ ପରିବା ବିକିବାକୁ ନିଜ ପେସା ଭାବରେ ବାଛିନେଇଥିଲେ | ନିଜର ସୁବ୍ୟବହାର ଓ ଉତ୍ତମ ଚରିତ୍ର ପାଇଁ ସ୍ଥାନୀୟ ଅଂଚଳରେ ଶେଖ ଲୋକପ୍ରିୟ ହୋଇପାରିଥିଲେ | ଆଉ ଶେଖ ବାସାଙ୍କ ବାବଦରେ ସବୁ ତଥ୍ୟ ନେଇଥିଲେ ୱାଇଏସଆର କଂଗ୍ରେସର ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ |

ଏହା ପରେ କାଉନସିଲର ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ୱାଇଏସଆର କଂଗ୍ରେସ ପକ୍ଷରୁ ତାଙ୍କୁ ସୁଯୋଗ ଦିଆଯାଇଥିଲା | ନିଜର ଲୋକପ୍ରିୟତା ଯୋଗୁଁ ପୌର ନିର୍ବାଚନରେ ସେ ଜିତିଥିଲେ | ତେବେ ଶେଖଙ୍କ ୱାର୍ଡ ରାୟଚୋଟି ପୌର ନିଗମ ଅଧୀନରେ ଆସୁଥିବାବେଳେ ଏଠାରେ ଅଧ୍ୟକ୍ଷ କିଏ ହେବେ ତାହାକୁ ନେଇ ଅଙ୍କକଷା ଚାଲିଥିଲା | ଅଧ୍ୟକ୍ଷ ପଦ ପାଇଁ ଅନେକ ଦାବିଦାର ଥିଲେ ବି ଜଗନ ମୋହନ ରେଡ୍ଡୀ, ଶେଖ ବାସାଙ୍କ ନାମରେ ମୋହର ମାରିଥିଲେ |

ଏହି ଖବର ଜାଣିବା ପରେ ଶେଖ ବାଶା ଖୁସି ବ୍ୟକ୍ତ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ଯୋଗୁଁ ସେ ରାୟଚୋଟି ପୌର ନିଗମର ଅଧ୍ୟକ୍ଷ ହୋଇପାରିଛନ୍ତି। ସେ କହିଛନ୍ତି ଯେ ଡିଗ୍ରୀଧାରୀ ହୋଇଥିଲେ ମଧ୍ୟ ଚାକିରି ନ ମିଳିବା କାରଣରୁ ତାଙ୍କୁ ପନିପରିବା ବିକ୍ରି କରିବାକୁ ପଡିଥିଲା । ସେ କହିଥିଲେ ଯେ ଜୀବନରେ ତାଙ୍କର କୌଣସି ଦିଗ ନଥିଲା , କିନ୍ତୁ ୱାଇଏସଆର କଂଗ୍ରେସ ତାଙ୍କ ଉପରେ ଭରସା କରି ଟିକଟ ଦେଇଥିଲା | ସୂଚନା ଥାଉ କି ୱାଇଏସଆର କଂଗ୍ରେସ ରାଜ୍ୟର ୮୬ଟି ପୌର ନିଗମରୁ ୮୪ ଟି ଆସନରେ ଜିତିଥିଲା |

ସମ୍ବନ୍ଧିତ ଖବର