ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୯ ତାରିଖରେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଭାରତର ନୂଆ ପ୍ରଧାନବିଚାରପତି (ସିଜେଆଇ) ଭାବେ ଦାୟିତ୍ବ ଗ୍ରହଣ କରିବାକୁ ଥିବା ବେଳେ ସେ ଏଥର ୬ ଜଣିଆ କଲେଜିୟମ୍ର ମୁଖ୍ୟ ହେବେ। ସାଧାରଣତଃ ପ୍ରଧାନବିଚାରପତିଙ୍କୁ ମିଶାଇ କଲେଜିୟମ୍ର ସଦସ୍ୟ ସଂଖ୍ୟା ୫ ହୋଇଥିବା ବେଳେ ପ୍ରଧାନବିଚାରପତି ତାହାର ମୁଖ୍ୟ ହୋଇଥାନ୍ତି। ପ୍ରଧାନବିଚାରପତିଙ୍କ ଛଡ଼ା ଆଉ ୪ ଜଣ ବରିଷ୍ଠତମ ବିଚାରପତି କଲେଜିୟମ୍ର ସଦସ୍ୟ ହୋଇଥାନ୍ତି। କିନ୍ତୁ ଏଥର ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ପଦୋନ୍ନତି ପରେ କଲେଜିୟମ୍ରେ ସାମାନ୍ୟ ଭିନ୍ନତା ରହିବ।
ପ୍ରତ୍ୟେକ କଲେଜିୟମ୍ରେ ଜଣେ ବରିଷ୍ଠ ବିଚାରପତି ଥାନ୍ତି, ଯିଏ କି ପରବର୍ତ୍ତୀ ପ୍ରଧାନବିଚାରପତି ହୁଅନ୍ତି। କିନ୍ତୁ ଏଥର ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବ ବିଶିଷ୍ଟ ୫ ଜଣିଆ କଲେଜିୟମ୍ରେ ଏମିତି କେହି ନାହାନ୍ତି ଯିଏ କି ଜଷ୍ଟିସ୍ ଏମ୍ଆର୍ ଶାହଙ୍କ ଅବସର ସମୟ ମେ ୧୫, ୨୦୨୩ ଯାଏ ପରବର୍ତ୍ତୀ ପ୍ରଧାନବିଚାରପତି ହୋଇପାରିବେ। ଅର୍ଥାତ୍ ଛଅମାସ ଯାଏ ପ୍ରଧାନବିଚାରପତିଙ୍କ ଉତ୍ତରାଧିକାରୀ ହେବା ଭଳି କେହି କଲେଜିୟମ୍ରେ ରହିବେ ନାହିଁ।
ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ଟିମ୍ରେ ରହିବେ ଜଷ୍ଟିସ୍ ସଞ୍ଜୟ କେ କୌଲ, ଏସ୍ ଅବଦୁଲ ନାଜିର, କେଏମ୍ ଜୋସେଫ ଓ ଏମ୍ଆର୍ ଶାହ। ଏମାନେ କେହି ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ଉତ୍ତରାଧିକାରୀ ହୋଇପାରିବେ ନାହିଁ। ତେଣୁ ତାଙ୍କ ଟିମ୍ରେ ସେ ଜଣେ ଷଷ୍ଠ ବିଚାରପତିଙ୍କୁ ନେବେ। ସେ ହେଉଛନ୍ତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଯିଏ ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ଅବସର ପରେ ତାଙ୍କର ଉତ୍ତରାଧିକାରୀ ହେବେ। ଜଷ୍ଟିସ୍ ଖାନ୍ନା ନଭେମ୍ବର ୧୧, ୨୦୨୪ରେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ଅବସର ପରେ ପରବର୍ତ୍ତୀ ପ୍ରଧାନବିଚାରପତି ହେବେ। ୧୯୯୮ ମସିହାର ଏକ ରାୟରେ ସୁପ୍ରିମ୍କୋର୍ଟ କହିଥିଲେ ଯେ ସମ୍ବିଧାନର ନିୟମ ଅନୁସାରେ କଲେଜିୟମ୍ର ଅନ୍ୟ ଚାରିଜଣ ବରିଷ୍ଠ ବିଚାରପତିଙ୍କ ମଧ୍ୟରୁ ଜଣେ ପରବର୍ତ୍ତୀ ପ୍ରଧାନବିଚାରପତି ହେବା କଥା। କିନ୍ତୁ ଯଦି ଏପରି ପରିସ୍ଥିତି ଉପୁଜେ, ଯାହାଫଳରେ ଉକ୍ତ ଚାରିଜଣଙ୍କ ମଧ୍ୟରୁ କେହି ବି ପରବର୍ତ୍ତୀ ପ୍ରଧାନବିଚାରପତି ହୋଇ ନ ପାରନ୍ତି, ତେବେ ଆଉ ଜଣେ ବରିଷ୍ଠ ବିଚାରପତିଙ୍କୁ ନିଜ ପସନ୍ଦ ଅନୁସାରେ ଷଷ୍ଠ ବିଚାରପତି ଭାବେ କଲେଜିୟମ୍ରେ ଗ୍ରହଣ କରିବାର ଅଧିକାର ବର୍ତ୍ତମାନର ପ୍ରଧାନବିଚାରପତିଙ୍କର ରହିଛି।