ନୂଆଦିଲ୍ଲୀ: ଛତିଶଗଡ଼ ବିଜେପିର ପୂର୍ବତନ ସଭାପତି ତଥା ପୂର୍ବତନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଷ୍ଣୁଦେବ ସାଏ ଛତିଶଗଡ଼ର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ୫୯ ବର୍ଷୀୟ ସାଏ ଉତ୍ତର ଛତିଶଗଡ଼ର କୁନକୁରିରୁ ବିଜୟୀ ହୋଇଛନ୍ତି। ସେ ଦୁର୍ଗ, ରାୟପୁର ଓ ବିଳାସପୁର ଡିଭିଜନରେ ବହୁ ସଂଖ୍ୟାରେ ଉପସ୍ଥିତି ଥିବା ପ୍ରଭାବଶାଳୀ ତେଲି ସମ୍ପ୍ରଦାୟର ନେତା। ଉଲ୍ଲେଖଯୋଗ୍ୟ, ଗତ ମାସରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭୋଟରମାନଙ୍କୁ ସାଏଙ୍କୁ ନିର୍ବାଚିତ କରିବାକୁ ଅନୁରୋଧ କରିଥିଲେ ଏବଂ ରାଜ୍ୟରେ ଦଳ କ୍ଷମତାକୁ ଆସିଲେ ସାଏଙ୍କୁ ବଡ଼ ପଦବି ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟର ସର୍ବୋଚ୍ଚ ଦାୟିତ୍ୱ ମିଳିବା ପରେ ସାଏ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଶାହ, ବିଜେପି ସଭାପତି ଜେପି ନଡ୍ଡା ଏବଂ ଅନ୍ୟ ଦଳୀୟ ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ବୈଠକ ପରେ ସାଏ ଗଣମାଧ୍ୟମକୁ କହିଛନ୍ତି, ମୁଖ୍ୟମନ୍ତ୍ରୀ ଭାବେ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟି (ବିଜେପି ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି) ପୂରଣ କରିବାକୁ ଚେଷ୍ଟା କରିବି। ସାଏ ଜଣେ ଗ୍ରାମ ସରପଞ୍ଚ ଭାବରେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଏବଂ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଭୂମିକା ପାଇବା ସହିତ କେନ୍ଦ୍ରମନ୍ତ୍ରୀ ଓ ଏକାଧିକ ଥର ଲୋକସଭା ସାଂସଦ ହୋଇଥିଲେ। ସେ ପ୍ରଥମ ମୋଦୀ କ୍ୟାବିନେଟରେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଥିଲେ। ୧୯୬୪ ମସିହା ଫେବ୍ରୁଆରି ୨୧ ତାରିଖରେ ଆଦିବାସୀବହୁଳ ଯଶପୁର ଜିଲ୍ଲାର ବାଗିଆ ଗ୍ରାମରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ସାଏ ୧୯୯୦ରୁ ୧୯୯୮ ପର୍ଯ୍ୟନ୍ତ ଦୁଇ ଥର ଅବିଭକ୍ତ ମଧ୍ୟପ୍ରଦେଶର ବିଧାନସଭା ସଦସ୍ୟ ଥିଲେ ଏବଂ ୧୯୯୯, ୨୦୦୪, ୨୦୦୯ ଓ ୨୦୧୪ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ଜେଜେବାପା ସ୍ୱର୍ଗତ ବୁଦ୍ଧନାଥ ସାଏ ୧୯୪୭ରୁ ୧୯୫୨ ପର୍ଯ୍ୟନ୍ତ ମନୋନୀତ ବିଧାୟକ ଥିଲେ। ତାଙ୍କର ବଡ଼ବାପା ସ୍ୱର୍ଗତ ନରହରି ପ୍ରସାଦ ସାଏ ଜନସଂଘର ସଦସ୍ୟ ଥିଲେ ଏବଂ ଦୁଇ ଥର ବିଧାୟକ ଏବଂ ଥରେ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ।