ବେଜିଂ : ଚୀନ୍ରେ ପୁଣି ସ୍ଥିତି ବିଗିଡ଼ିବାରେ ଲାଗିଛି। ଗତକାଲି ଚୀନ୍ରେ ୯୯ ଟି ନୂଆ ମାମଲା ରିପୋର୍ଟ କରାଯାଇଛି। ପୂର୍ବ ଦିନ ତୁଳନାରେ ଏହା ଦ୍ବିଗୁଣା। କିନ୍ତୁ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଗତ କିଛି ଦିନ ତଳେ ଚୀନ୍ରେ ଗୋଟିଏ ହେଲେ ନୂଆ ମାମଲା ଦେଖିବାକୁ ମିଳିନଥିଲା କିନ୍ତୁ ଏବେ କରୋନା ମାମଲା ବଢ଼ିବାରୁ ପୁଣିଥରେ ସରକାରଙ୍କ ଚିନ୍ତା ବଢ଼ିଛି। କୌଣସି ଲକ୍ଷଣ ନଥିବା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଚୀନ୍ରେ ବଢ଼ିବାରେ ଲାଗିଛି। ୧୧ ତାରିଖରେ ଲକ୍ଷଣ ନଥିବା ୬୩ଟି ମାମଲା ଚିହ୍ନଟ କରାଯାଇଛି। ଏହାର ପୂର୍ବଦିନ କୌଣସି ଲକ୍ଷଣ ନଥାଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪ ଥିଲା ବୋଲି ଏନ୍ଏଚ୍ସି (ଜାତୀୟ ସ୍ବାସ୍ଥ୍ୟ କମିସନ୍) ପକ୍ଷରୁ କୁହାଯାଇଛି। ମାର୍ଚ୍ଚ ୬ ପରଠାରୁ ଗତକାଲିର ୯୯ ମାମଲା ସବୁଠୁ ସର୍ବାଧିକ ରହିଛି। ଏଥିରୁ ୯୭ ଜଣ ବିଦେଶରୁ ଆସିଥିବାବେଳେ ୨ ଜଣ ସ୍ଥାନୀୟ ବୋଲି ଜଣାପଡ଼ିଛି।
ଚୀନ୍ର ବାଣିଜ୍ୟିକ କେନ୍ଦ୍ଇରେ ବିଦେଶରୁ ଆସିଥିବା ଅଧିକାଂଶ ନାଗରିକ କରୋନା ସଂକ୍ରମିତ ହୋଇଛନ୍ତି। ଏପ୍ରିଲ ୧୧ ତାରିଖରେ ଏଠାରେ ୫୨ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ସମସ୍ତେ ଚୀନ୍ର ନାଗରିକ କିନ୍ତୁ ସେମାନେ ବିଦେଶରୁ ଆସିଥିଲେ। ଚୀନ୍ର ଉତ୍ତରପୂର୍ବ ପ୍ରଦେଶ ହେଲଙ୍ଗଜିଆଙ୍ଗ୍ରେ ଏପ୍ରିଲ ୧୧ ତାରିଖରେ ୨୧ଟି ନୂଆ ମାମଲା ସ୍ପଷ୍ଟ ହୋଇଛି। ସାଂଘାଇର ନୂଆ ମାମଲାରୁ ୫୧ ଜଣ ସମାନ ବିମାନରେ ଏପ୍ରିଲ ୧୦ ତାରିଖରେ ରୁଷ୍ରୁ ଫେରିଥିଲେ। ଚୀନ୍ରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨,୦୫୨ ଥିବାବେଳେ ମୃତ୍ୟୁସଂଖ୍ୟା ୩,୩୩୯କୁ ବୃଦ୍ଧି ପାଇଛି। ଇତି ମଧ୍ୟରେ କରୋନାର କେନ୍ଦ୍ରସ୍ଥଳ ଉହାନ୍ରୁ ପ୍ରାୟ ୩ ମାସ ପରେ ଲକ୍ଡାଉନ୍ ହଟିଥିବାବେଳେ ଏଠାରେ ବି ଲୋକଙ୍କ ମଧ୍ୟରେ ଭୟ ବଢ଼ିଛି। ହଜାର ହଜାର ଲୋକ ଏବେ ଉହାନ୍ ଛାଡ଼ିଦେବାପାଇଁ ପ୍ରସ୍ତୁତ ହେଉଛନ୍ତି।
କରୋନା ମୁକାବିଲାରେ ଭାରତ ଗୋଟିଏ ପାଦ ଆଗରେ
ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ମାତ୍ର ୨୪ ଘଣ୍ଟାରେ ଭାରତରେ ୧୦୦୦ ଜଣ କରୋନା ଆକ୍ରାନ୍ତ ହେବା ଏବେ ଚିନ୍ତା ବଢ଼ାଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି କୁହାଯାଇଛି ଯେ ଭାରତ କରୋନା ମୁକାବିଲା ଦିଗରେ ସର୍ବାଧିକ ପ୍ରସ୍ତୁତ ଅଛି ଏବଂ ଏହା ସବୁବେଳେ ଗୋଟିଏ ପାଦ ଆଗରେ ରହିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍ କହିଛନ୍ତି, କରୋନା ମୁକାବିଲା ପାଇଁ ଭାରତ ଠିକ୍ ଭାବେ ପରୀକ୍ଷା କରୁଛି ଏବଂ ରୋଗୀମାନଙ୍କ ପାଇଁ ସଠିକ୍ ଚିକିତ୍ସା ବ୍ୟବସ୍ଥା ବି କରାଯାଇଛି। ଆଜିର ଦିନରେ ଆମକୁ କୋଭିଡ୍ -୧୯ ରୋଗୀଙ୍କ ପାଇଁ ୧୬୭୧ ବେଡ୍ ଦରକାର ପଡ଼ିବାରେ କିନ୍ତୁ ଆମ ପାଖରେ ୧ ଲକ୍ଷ ୫ ହଜାରରୁ ଅଧିକ ବେଡ୍ ରହିଛି। ସେହିପରି ଭାରତରେ ପରୀକ୍ଷା ବି ବଢ଼ାଯାଇଛି। ୨୧୯ଟି ଲ୍ୟାବ୍ରେ ଏବେ ପରୀକ୍ଷା କରାଯାଉଛି। ଭାରତରେ ଗତ ୫ ଦିନ ଧରି ଲଗାତାର ୧୫,୦୦୦ରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ଏଯାବତ୍ ୧ ଲକ୍ଷ ୮୬ ହଜାର ୯୦୬ ଟି ନମୁନା ପରୀକ୍ଷା କରାଯାଇଛି।