ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା ନୂଆ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ ଭାରତରେ ଠାବ ହୋଇଛି। ପ୍ରଥମେ ଏହା ବ୍ରିଟେନ୍ରେ ଠାବ ହୋଇଥିଲା ଏବଂ ଏବେ ପ୍ରାୟ ୧୨ଟି ଦେଶକୁ ବ୍ୟାପିଗଲାଣି। ଭାରତରେ ଆଜି ନୂଆ ଭାଇରସ୍ ଚିହ୍ନଟ ହେବାପରେ କେତେକ ଜରୁରୀ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି । ବିଜୟୱାଡ଼ାରେ ଜଣେ ଏଂଗ୍ଲୋ ଇଣ୍ଡିଆନ୍ ମହିଳା ଏହି ନୂତନ ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ମହିଳାଙ୍କ ନାମ ମେରୀ ୱିନ୍ଫ୍ରେଡ୍ ଆନ୍ ଏବଂ ସେ ରାଜମହେନ୍ଦ୍ରୀର ଏକ ଘରୋଇ ସ୍କୁଲ୍ରେ ଶିକ୍ଷୟିତ୍ରୀ ଅଛନ୍ତି। ମହିଳା ଜଣକ ନିକଟରେ ବ୍ରିଟେନ୍ରୁ ଫେରିଥିଲେ ଏବଂ ତାଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ପରବର୍ତ୍ତୀ ପରୀକ୍ଷଣ ପାଇଁ ପଠାଯାଇଥିଲା। ଉକ୍ତ ମହିଳା ନୂଆ ଭାଇରସ୍ରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହେବାପରେ ତାଙ୍କୁ ତୁରନ୍ତ ଠାବ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଯାଇଥିଲା ଏବଂ ଦିଲ୍ଲୀରୁ ରାଜମହେନ୍ଦ୍ରୀ ଯାଉଥିବା ଏକ ଟ୍ରେନ୍ର ପ୍ରଥମ ଶ୍ରେଣୀ କୋଚ୍ରେ ରେଳବାଇ ପୁଲିସ ତାଙ୍କୁ ପାଇଥିଲା।
ମହିଳାଙ୍କୁ ରାଜମହେନ୍ଦ୍ରୀ ଅଣାଯାଇଛି ଏବଂ ତାଙ୍କୁ ପୃଥକ୍ ଆଇସୋଲେସନରେ ରଖିବାକୁ ପ୍ରଶାସନ ବ୍ୟବସ୍ଥା କରିଛି। ମହିଳା ଜଣକ ଅନ୍ୟ ରେଳ ଯାତ୍ରୀ ଏବଂ ରେଳବାଇ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବାରୁ ଏହା ଚିନ୍ତା ବଢ଼ାଇଛି। ଆଜି ପୂର୍ବ ଗୋଦାବରୀ ପ୍ରଶାସନ ଦ୍ବାରା ଆଲର୍ଟ ଜାରି କରାଯାଇଛି ଏବଂ ଲୋକଙ୍କୁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ସେହିଭଳି ଗତ ନଭେମ୍ବର ୨୯ ତାରିଖରେ ବ୍ରିଟେନରୁ ନାଗପୁର ଫେରିଥିବା ଜଣେ ୨୮ ବର୍ଷୀୟ ଭାରତୀୟ ବିମାନଯାତ୍ରୀଙ୍କ ଠାରେ ମଧ୍ୟ ନୂଆ କରୋନା ଭାଇରସ୍ ରହିଥିବା ସନ୍ଦେହ କରାଯାଉଛି। ନାଗପୁର ସ୍ଥିତ ସରକାରୀ ଭେଷଜ ମହାବିଦ୍ୟାଳୟର ଅଧୀକ୍ଷକ ଡା. ଅବିନାଶ ଗଵାଣ୍ଡେଙ୍କ କହିବାନୁଯାୟୀ, ସଂପୃକ୍ତ ଯୁବକ ଜଣକ ଭାରତରେ ପହଞ୍ଚିବା ଦିନ(ନଭେମ୍ବର ୨୯) ବିମାନବନ୍ଦରରେ ତାଙ୍କର ନମୁନା ପରୀକ୍ଷଣ କରିବାରେ ତାହା କରୋନା ନେଗେଟିଭ୍ ବାହାରିଥିଲା। ତେବେ ଘରକୁ ଆସିବା ପରେ ସାତଦିନ ଯାଏ ତାଙ୍କ ଠାରେ ଘ୍ରାଣଶକ୍ତି ହ୍ରାସ ସମେତ କୋଭିଡ୍ର ବିଭିନ୍ନ ଲକ୍ଷଣ ଦେଖାଦେବାରୁ ଗତ ୧୫ ତାରିଖରେ ପୁଣି ଥରେ ନମୁନା ପରୀକ୍ଷା କରାଯିବାରେ ତାହା ପଜିଟିଭ୍ ବାହାରିଛି। ସଂପୃକ୍ତ ଯୁବକଙ୍କ ଠାରେ ବ୍ରିଟେନ୍ରେ ଦେଖାଦେଇଥିବା ନୂଆ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ ଥିବା ଡା. ଗଵାଣ୍ଡେ ସନ୍ଦେହ ପ୍ରକଟ କରିଛନ୍ତି।