ନୂଆଦିଲ୍ଲୀ : ଭାରତ ୨ ମାସ ମଧ୍ୟରେ କରୋନା ପରୀକ୍ଷା ପାଇଁ ନୂଆ ସେରୋଲୋଜିକାଲ୍ ଡାଇଗ୍ନୋଷ୍ଟିକ୍ ଟେଷ୍ଟିଂ କିଟ୍ ତିଆରି କରିବ। ବିଭିନ୍ନ ଗବେଷଣା ସଂସ୍ଥା ଦ୍ବାରା ଭାଇରସ୍କୁ ପୃଥକ୍ କରାଯିବାପରେ ଏଦିଗରେ ଗୁଡ଼ାଏ ପଦକ୍ଷେପ ନିଆଯାଇଛି। ଆଇସିଏମ୍ଆରର ମହାମାରୀ ରୋଗ ବିଶେଷଜ୍ଞ ଡା ଆର ଆର ଗଙ୍ଗାଖେଡକର କହିଛନ୍ତି, ଥରେ ଭାଇରସ୍ ପୃଥକ୍ ହୋଇଯିବାପରେ ଟେଷ୍ଟିଂ କିଟ୍, ମେଡିସିନ୍ ଏବଂ ଟିକା ଆରମ୍ଭ କରିବା ଦିଗରେ ଗବେଷଣାରେ ଏହା ସହାୟକ ହୋଇଥାଏ। ଭାରତ ଏ ଦିଗରେ କାର୍ଯ୍ୟ କରୁଛି। ଆସନ୍ତା ୨ ମାସ ମଧ୍ୟରେ ଭାରତ ଏକ ସେରୋଲୋଜିକାଲ୍ ଟେଷ୍ଟିଂ କିଟ୍ ତିଆରି କରିବାରେ ସକ୍ଷମ ହେବ ବୋଲି ସେ କହିଛନ୍ତି। ତେବେ କରୋନା ଚିକିତ୍ସା ପାଇଁ ଟେଷ୍ଟିଂ କଟ୍ ଏବଂ ଟିକା ପାଇଁ ଆଇସିଏମ୍ଆର କାମ କରୁଥିବାବେଳେ ଡିବିଟି ଏବଂ ସିଏସ୍ଆଇଆର ମଧ୍ୟ ଭାଇରସ୍ ମୁକାବିଲା ଦିଗରେ ଟିକା ଆରମ୍ଭ ପାଇଁ କାର୍ଯ୍ୟ କରୁଛନ୍ତି।
ପ୍ରଖ୍ୟାତ ଭାରତୀୟ ବଂଶୋଦ୍ଭବ ଭୂତାଣୁ ବିଜ୍ଞାନୀଙ୍କର କୋଭିଡ୍-୧୯ରେ ମୃତ୍ୟୁ
ଜୋହାନ୍ସବର୍ଗ : ବିଶ୍ବର ଜଣେ ପ୍ରଖ୍ୟାତ ଭୂତାଣୁ ବିଜ୍ଞାନୀ ଗୀତା ରାମ୍ଜୀଙ୍କର କରୋନାରେ ମୃତ୍ୟୁ ହୋଇଯାଛି। ଦକ୍ଷିଣ ଆଫ୍ରିକାରେ କୋଭିଡ୍-୧୯ରେ ପ୍ରାଣ ହରାଇବାରେ ସେ ହେଉଛି ପ୍ରଥମ ଭାରତୀୟ ବଂଶୋଦ୍ଭବ। ଦକ୍ଷିଣ ଆଫ୍ରିକାରେ କରୋନାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରଖ୍ୟାତ ଭୂତାଣୁ ବିଜ୍ଞାନୀ ଗୀତା ବି ବାଦ୍ ପଡ଼ିନାହାନ୍ତି। ଗୀତା ରାମ୍ଜୀ ଜଣେ ଷ୍ଟେଲାର ଟିକା ବୈଜ୍ଞାନିକ ଏବଂ ଏଚ୍ଆଇଭି ନିରାକରଣ ବିଶେଷଜ୍ଞ । ଗତ ଗୋଟିଏ ସପ୍ତାହ ପୂର୍ବେ ସେ ଲଣ୍ଡନ୍ରୁ ଫେରିଥିଲେ। କିନ୍ତୁ ପ୍ରଥମେ ତାଙ୍କ ଶରୀରରେ ଭାଇରସ୍ର କୌଣସି ଲକ୍ଷଣ ଦେଖା ଦେଇନଥିଲା। କୋଭିଡ୍ ସଂକ୍ରାନ୍ତ ସଙ୍କଟ ଯୋଗୁଁ ୬୪ ବର୍ଷୀୟ ଗୀତାଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଉଛି। ଦକ୍ଷିଣ ଆଫ୍ରିକାରେ ବି କରୋନା ପାଇଁ କଡ଼ା କଟକଣା ଜାରି ହୋଇଛି।