ଡରାଇଲା ଓମିକ୍ରନ: ପଞ୍ଜାବରେ ସ୍କୁଲ-କଲେଜ ବନ୍ଦ, ସିନେମା ହଲ ଓ ରେସ୍ତୋରାଁ ଉପରେ ବି କଟକଣା

ଚଣ୍ଡିଗଡ଼: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ରାଜ୍ୟରେ କୋଭଡି କଟକଣାକୁ ଆହୁରି କଡାକଡି କରିବାକୁ ନିଷ୍ପତ୍ତି ନେଇଛନ୍ତି । ପଞ୍ଜାବ ସରକାରଙ୍କ ତରଫୁରୁ ଜାରି ହୋଇଥିବା ଆଦେଶ ମୁତାବକ ରାଜ୍ୟରେ ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ । ଏହାସହ ସ୍କୁଲ କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ପଞ୍ଜାବରେ ଏବେ ବସ୍, ସିନେମା ହଲ, ଜିମ୍, ରେସ୍ତୋରାଁଗୁଡିକ ୫୦ ପ୍ରତିଶତ କ୍ଷମତା ସହ ଚାଲିବ । ବଢୁଥିବା କରୋନା ସଂକ୍ରମଣକୁ ନେଇ ପଞ୍ଜାବ ସରକାର ତରଫରୁ ମଙ୍ଗଳବାର ଏକ ଅଧିକାରୀ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକର ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି। ଏହି ବୈଠକ ପରେ ଏସବୁ କଟକଣା କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟ ସରକାରଙ୍କ ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ରାଜ୍ୟରେ ରାତି ୧୦ରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ । ଏହା ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଓ ଏହାପରେ ପରିସ୍ଥିତି ଦେଖି ନିର୍ଣ୍ଣୟ ନିଆଯିବ । ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ତୁରନ୍ତ ପ୍ରଭାବରେ ବନ୍ଦ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସିନେମା ହଲ, ରେସ୍ତାରାଁ ଓ ବସଗୁଡିକ ୫୦ ପ୍ରତିଶତ କ୍ଷମତା ସହ ଚଳାଇପାରିବେ ବୋଲି କୁହାଯାଇଛି ।

ସମ୍ବନ୍ଧିତ ଖବର