ଲାଗୁ ହେଲା ନୂଆ କୋଭିଡ୍‌ ଟିକା ନୀତି, ଆଜି ୫୦ ଲକ୍ଷ ଲୋକଙ୍କୁ ଦିଆଯିବ ଟିକା

ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ସମସ୍ତଙ୍କୁ ମାଗଣା

ନୂଆଦିଲ୍ଲୀ : କୋଭିଡ୍‌-୧୯ ଟିକାକରଣ ନେଇ କେନ୍ଦ୍ର ସରକାରଙ୍କ ନୂଆ ନୀତି ଆଜି (ଜୁନ୍ ୨୧ ତାରିଖ) ଠାରୁ ସାରା ଦେଶରେ ଲାଗୁ ହେବାକୁ ଯାଉଛି। ଏଣିକି ଟିକାକରଣ ଅଭିଯାନର ସଂପୂର୍ଣ୍ଣ ଦାୟିତ୍ବ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ରହିବ ଏବଂ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ଲୋକଙ୍କ ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ମାଗଣା ଟିକା ଯୋଗାଇ ଦେବେ। ଆସନ୍ତାକାଲି (୨୧ ତାରିଖ) ଅନ୍ତର୍ଜାତୀୟ ଯୋଗ ଦିବସରେ ୫୦ ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଲକ୍ଷ୍ୟ ପୂରଣ ହେଲେ ଏହା ପୂର୍ବରୁ ଦୈନିକ ଟିକାକରଣ କ୍ଷେତ୍ରରେ ରହିଥିବା ସମସ୍ତ ରେକର୍ଡ ଭାଙ୍ଗିବ। ରାଜ୍ୟମାନଙ୍କର ଟିକାକରଣ ଟାର୍ଗେଟ୍‌କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ଜାନୁଆରି ୧୬ରୁ ଟିକାକରଣ ଆରମ୍ଭ ହେବାଠାରୁ ଆଜି ପର୍ଯ୍ୟନ୍ତ ଦେଶରେ ୨୭ କୋଟି ୬୬ ଲକ୍ଷରୁ ଅଧିକ ଲୋକଙ୍କୁ କୋଭିଡ୍‌ ଟିକା ଡୋଜ୍‌ ଦିଆଗଲାଣି। ଗତକାଲି ଗୋଟିଏ ଦିନରେ ୩୩ ଲକ୍ଷ ଲୋକ ଟିକା ନେଇଛନ୍ତି। ମହାରାଷ୍ଟ୍ରରେ ୨ କୋଟି ୭୧ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି ଏବଂ ଟିକାକରଣରେ ଏହା ଦେଶରେ ପ୍ରଥମ ସ୍ଥାନରେ ରହିଛି। ଦ୍ବିତୀୟ ସ୍ଥାନରେ ଉତ୍ତର ପ୍ରଦେଶ ରହିଛି ଏବଂ ଏଠାରେ ୨ କୋଟି ୫୧ ଲକ୍ଷ ଲୋକ ଟିକା ନେଇଛନ୍ତି।

ନୂଆ ଟିକା ନୀତି ଅନୁଯାୟୀ ଟିକା ନିର୍ମାତାଙ୍କଠାରୁ ମୋଟ୍‌ ଉତ୍ପାଦିତ ଟିକାର ୭୫ ପ୍ରତିଶତ କେନ୍ଦ୍ର ସରକାର କିଣିବେ ଏବଂ ତାହା ରାଜ୍ୟମାନଙ୍କୁ ମାଗଣାରେ ଯୋଗାଇ ଦେବେ। ଟିକା କ୍ରୟ ବାବଦରେ ରାଜ୍ୟମାନଙ୍କୁ କୌଣସି ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଟିକା ନିର୍ମାତାଙ୍କଠାରୁ ଘରୋଇ ହସ୍ପିଟାଲମାନେ ବଳକା ୨୫ ପ୍ରତିଶତ ଟିକା ସିଧାସଳଖ କ୍ରୟ କରିପାରିବେ।

ସମ୍ବନ୍ଧିତ ଖବର