ନୂଆଦିଲ୍ଲୀ: ଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା । ଅଘଟଣ ସମ୍ବନ୍ଧୀୟ ସବୁ ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆ ଏକ୍ସରୁ ହଟାଇବାକୁ ଭାରତୀୟ ରେଳମନ୍ତ୍ରାଳୟର ନିର୍ଦ୍ଦେଶ । ମୋଟ ୨୫୮ ଭିଡିଓ ହଟାଇବାକୁ କୁହାଯାଇଥିବା ସୂଚନା ମିଳିଛି ।
ତେବେ ଫେବ୍ରୁଆରୀ ୧୫ରେ ଦିଲ୍ଲୀ ଷ୍ଟେସନରେ ବଡ ଅଘଟଣରେ ୧୮ଜଣଙ୍କ ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଥିଲେ । ୧୫ ତାରିଖରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ କୁମ୍ଭମେଳାକୁ ଯାଉଥିବା ତୀର୍ଥଯାତ୍ରୀଙ୍କର ବିରାଟ ଭିଡ଼ ଜମିଥିବା ବେଳେ ଦଳାଚକଟା ପରିସ୍ଥିତି ହୋଇଥିଲା ।
ସ୍ବତନ୍ତ୍ର ଟ୍ରେନର ବିଳମ୍ବ ହେବା ଏବଂ ପ୍ଲାଟଫର୍ମ ପରିବର୍ତ୍ତନ ଘୋଷଣା କାରଣରୁ ଷ୍ଟେସନରେ ଦଳାଚକଟା ହୋଇଥିଲା । ଏହି ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ରେଳମନ୍ତ୍ରାଳୟର ଅବହେଳା ଦର୍ଶାଇ ବିରୋଧି ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଦିଲ୍ଲୀର ଛାତି ଉପରେ ଏଭଳି ମୃତ୍ୟୁର ତାଣ୍ଡବକୁ ସମସ୍ତେ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ ଏବଂ ନିନ୍ଦା ବି କରିଥିଲେ । ଆଉ ଏବେ ସୋସିଆଲ ମିଡିଆ ଏକ୍ସରୁ ସେ ସବୁ ପୋଷ୍ଟ ଡିଲିଟ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।