ଓ୍ଵାସିଂଟନ୍: ବେସାମରିକ ଆଣବିକ ଶକ୍ତି ସହଯୋଗ ବୃଦ୍ଧି କରାଇବା ଉଦ୍ଦେଶ୍ୟରେ ଭାରତରେ ଛଅଟି ଆମେରିକୀୟ ଆଣବିକ ପାଓ୍ଵାର୍ ପ୍ଲାଣ୍ଟ୍ ନିର୍ମାଣ କରାଇବାକୁ ରାଜି ହୋଇଥିବା କଥା ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା କହିଛନ୍ତି।
ବୁଧବାର ଦିନ ଶେଷ ହୋଇଥିବା ୯ମ ପର୍ଯ୍ୟାୟ ‘ଭାରତ-ଯୁକ୍ତରାଷ୍ଟ୍ର ଆମେରିକ ଷ୍ଟ୍ରାଟେଜିକ୍ ସିକ୍ୟୁରିଟି ଡାଇଲଗ୍’ରେ ଏକ ମିଳିତ ଇସ୍ତାହାର ପ୍ରକାଶ କରି ଦୁଇ ଦେଶ ଏ କଥା କହିଛନ୍ତି। ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଭାରତର ବୈଦେଶିକ ସଚିବ ବିଜୟ ଗୋଖଲେ ଏବଂ ଆମେରିକାର ବୈଦେଶିକ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଏବଂ ଆନ୍ତର୍ଜାତିକ ନିରାପତ୍ତା ବିଭାଗର ଅଣ୍ଡର୍-ସେକ୍ରେଟାରି ଆଣ୍ଡ୍ରିଆ ଟମ୍ପ୍ସନ୍।
ଅକ୍ଟୋବର ୨୦୦୯ ମସିହାରେ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ବେସାମରିକ ଆଣବିକ ଶକ୍ତି ସେକ୍ଟର୍ରେ ସହଯୋଗ କରିବାକୁ ଏକ ଐତିହାସିକ ରାଜିନାମା ସ୍ୱାକ୍ଷର କରିଥିଲେ।
ଏହି ରାଜିନାମାର ଗୋଟାଏ ପ୍ରମୁଖ କଥା ହେଲା, ଡଜନାଧିକ ଦେଶ ସହ ସଯୋଗ ଚୁକ୍ତି କରିବା ଲାଗି ନ୍ୟୁକ୍ଲିୟର୍ ସପ୍ଲାୟର୍ସ ଗ୍ରୁପ୍ (ଏନ୍ଏସ୍ଜି) ଭାରତକୁ ଅନୁମତି ଦେଇଥିଲା।
ଏହା ପରେ ଭାରତ ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ୍, ରୁଷ୍, କାନାଡା, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଇଂଲଣ୍ଡ୍, ଜାପାନ, ଭିଏତ୍ନାମ୍, ବାଂଲାଦେଶ, କାଜାକ୍ସ୍ଥାନ ଏବଂ ଦକ୍ଷିଣ କୋରିଆ ସହ ଭାରତ ଚୁକ୍ତି ସ୍ୱାକ୍ଷର କରିଛି।
ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ୪୮ ସଦସ୍ୟବିଶିଷ୍ଟ ଏନ୍ଏସ୍ଜିରେ ଭାରତର ଆଦ୍ୟ ସଦସ୍ୟତାକୁ ପୁଣି ଦୃଢ଼ ସମର୍ଥନ କରିଛି।
ବୈଠକ ସମୟରେ ଦୁଇ ଦେଶ ବିଶ୍ୱ ନିରାପତ୍ତା ଏବଂ ବିଭିନ୍ନ ଦେଶ ମଧ୍ୟରେ ବଢ଼ି ଚାଲିଥିବା ଆଣବିକ ଅସ୍ତ୍ରଶସ୍ତ୍ର କ୍ଷମତା ପ୍ରତିହତ କରିବା ସଂକ୍ରାନ୍ତରେ ମତ ଆଦାନପ୍ରଦାନ କରିଥିଲେ।