ରାଜଧାନୀ ନୂଆଦିଲ୍ଲୀର ରାଜରାସ୍ତା; ସଞ୍ଜ ଗଡ଼ିଲେ ପାଲଟି ଯାଉଛି ଦେହ ବେପାରର ହାଟ !

ନୂଆଦିଲ୍ଲୀ: ଏହା କୌଣସି ଏକ ଅନ୍ଧାରୀମୂଲକ ଅବା ଅଖ୍ୟାତ ଅଜଣାଅଶୁଣା ସହରର କାହାଣୀ ନୁହେଁ। ଏ କାହାଣୀ ହେଉଛି ଖୋଦ୍‌ ଆମ ଦେଶର ରାଜଧାନୀ ମହାନଗରୀ ନୂଆଦିଲ୍ଲୀର କାହାଣୀ। କାନକୁ ଶୁଣିବାକୁ ଅପ୍ରିୟ, ଅସତ୍ୟ ଲାଗୁଥିଲେ ବି ଏ ଘଟଣା ସଂପୂର୍ଣ୍ଣ ସତ୍ୟ ଓ ତଥ୍ୟ ଆଧାରିତ। କାରଣ, ଏ ଘଟଣା ଉପରେ ଦୀର୍ଘଦିନ ଧରି ଅନୁସନ୍ଧାନ କରିବା ପରେ ଏବେ ଏହି ସତ୍ୟକୁ ଲୋକଲୋଚନକୁ ଆଣିଛି ଦିଲ୍ଲୀର ଏକ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା ‘ମେଲ୍‌ ଟୁଡେ’।

ରିପୋର୍ଟ କହୁଛି, ଏବେ ସଞ୍ଜ ଗଡ଼ିଲେ ରାଜଧାନୀ ଦକ୍ଷିଣ ଦିଲ୍ଲୀର କେତେକ ପ୍ରମୁଖ ରାସ୍ତା ଉପରେ ଆରମ୍ଭ ହୋଇଯାଉଛି ଖୁଲମ୍‌ଖୁଲା ଦେହବେପାର। ସଞ୍ଜ ଯେତେ ବଢ଼ୁଛି ବେପାର ସେତେ ଜମୁଛି। ରାଜରାସ୍ତାକୁ ନିଜ କବ୍‌ଜାକୁ ନେଇ ଯାଉଛନ୍ତି ଦେହଜୀବୀମାନେ; ଆଉ ତା’ ଉପରେ ମେଲି ଦେଉଛନ୍ତି ନିଜର ପସରା। ହାଉଜ୍‌ଖାସ୍‌ ଓ ଗ୍ରିନ୍‌ ପାର୍କ ଅଞ୍ଚଳରେ ଥିବା ବଡ଼ ବଡ଼ ସୋ’ରୁମ୍‌ଗୁଡ଼ିକର ସର୍ଟର ପଡ଼ିଯିବା ପରେ, ରାଜଧାନୀ ଦିଲ୍ଲୀର ଏହି ସବୁ ରାଜରାସ୍ତାର ଦୃଶ୍ୟକୁ ଦେଖିଲେ ଲାଗୁଛି ଏସବୁ ଦିଲ୍ଲୀର ରାସ୍ତା ନୁହେଁ ବରଂ ବ୍ୟାଙ୍କକକର କୌଣସି ଏକ ରେଡ୍‌ଲାଇଟ୍‌ ଏରିଆ।

ହାଉଜ୍‌ ଖାସ୍‌ ମାର୍କେଟରୁ ଗ୍ରିନ୍‌ ପାର୍କ ପୁଣି ଗ୍ରିନ୍‌ ପାର୍କରୁ ଏମ୍‌ଏସ୍‌ ଓ ଅରବିନ୍ଦ ମାର୍ଗ ସମଗ୍ର ଅଞ୍ଚଳ ଏବେ ପାଲଟିଛି ଦେହଜୀବୀମାନଙ୍କ ପାଇଁ ନରାପଦ ଅଞ୍ଚଳ। ଶତାଧିକ ଦେହଜୀବୀ ଛୋଟ ଛୋଟ ଗ୍ରୁପ୍‌ରେ ବିଭକ୍ତ ହୋଇପଡ଼ି ସେମାନଙ୍କ ଦଲାଲମାନଙ୍କୁ ଧରି ଚାଲି ଆସୁଛନ୍ତି ରାସ୍ତା ଉପରକୁ। ବିଶେଷ କରି ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ପଥ, ବସ୍‌ ରହଣି ସ୍ଥଳୀ ପାଲଟି ଯାଉଛି ସେମାନଙ୍କ ମୁଖ୍ୟ ଆଡ୍ଡା। ଗରାଖବି ଜାଣିଛନ୍ତି ଠିକଣା ଏବଂ ବେପାରର ନୀତି ନିୟମ। ଆଗ ଦେହଜୀବୀଙ୍କୁ ପସନ୍ଦ କଲାପରେ ରେଟ୍‌ ନେଇ ମୂଲଚାଲ୍‌ କରୁଛନ୍ତି ସଂପୃକ୍ତ ଦେହଜୀବୀର ଦଲାଲ ସହ। ତା’ପରେ ଦଲାଲ ହାତରେ ଟଙ୍କା ଧରାଇ ଦେଇ ପସନ୍ଦର ଦେହଜୀବୀକୁ ସଙ୍ଗରେ ଧରି ବାହାରି ଯାଉଛନ୍ତି ନିଜର ଗନ୍ତବ୍ୟ ସ୍ଥଳ ଅଭିମୁଖେ। ଦେହଜୀବୀମାନେ ଏବେ ଦିଲ୍ଲୀର ପାଣ୍ଡବ ନଗର ଓ ଛତ୍ରପୁର ପ୍ରଭୃତି ଅଞ୍ଚଳରେ ଘରଭଡ଼ା ନେଇ ରହୁଛନ୍ତି। ଗରାଖ ସହିତ ମୂଲ୍‌ଚାଲ୍‌ ହେବାପରେ ସେମାନେ ଗରାଖକୁ ଧରି ନିଜର ଗଡ଼ା ଘରକୁ ଯାଉଛନ୍ତି। କାରଣ, ସେମାନଙ୍କ ନିଜ ଘର ସେମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ। ଦେହଜୀବୀମାନଙ୍କର ରେଟ୍‌ ୨ ହଜାରରୁ ଆରମ୍ଭ କରି ରହିଛି ୧୦ ହଜାର ପର୍ଯ୍ୟନ୍ତ। ରାତି ୧୧ରୁ ଭୋର ୪ ପର୍ଯ୍ୟନ୍ତ ଚାଲୁଛି ବେପାର ପୂରାଦମ୍‌ରେ। ଏସବୁ ଦୃଶ୍ୟ ଦିଲ୍ଲୀବାସୀଙ୍କ ପାଇଁ ଦେହସୁହା ହୋଇ ଯାଇଥିବା ବେଳେ ସେମାନେ ମଧ୍ୟ ଆଉ ଏସବୁ ଦିଗ ପ୍ରତି ସେତେଟା ଗୁରୁତ୍ୱ ପ୍ରଦାନ କରୁନାହାନ୍ତି। କାରଣ, ବେଶୀ ଗୁରୁତ୍ୱ ପ୍ରଦାନ କଲେ ନିଜ ପ୍ରତି ବିପଦ ଅଛି। ତେଣୁ, ଏସବୁକୁ ଏଡ଼ାଇ ଦେଇ ନିଜ ବାଟରେ ଚାଲିଯିବାଟା ହିଁ ହେଉଛି ବୁଦ୍ଧିମାନର କାମ।

ତେବେ, ଏହି ସବୁ ଅଞ୍ଚଳରେ ମାତ୍ରାଧିକ ପରିମାଣରେ ବିଦେଶୀ ଦେହଜୀବୀଙ୍କୁ ଦେଖିବାକୁ ମିଳୁଛି। ଥାଇଲାଣ୍ଡ, ବାଂଲାଦେଶ, ନେପାଳ, ୟୁକ୍ରେନ୍‌ ଆଦି ଦେଶର ଶତାଧିକ ଦେହଜୀବୀ ରାସ୍ତା ଉପରେ ଖୁଲମ୍‌ଖୁଲା ଦେହ ବେପାର ଚଲାଇଥିବା ବେଳେ ପୁଲିସ୍‌ ସାଜିଛି ନିରବ ଦ୍ରଷ୍ଟା। ଦକ୍ଷିଣ ଦିଲ୍ଲୀର ଡେପୁଟି କମିଶନର ରୋମିଲ ବନିଆ ନିଜେ ସ୍ୱୀକାର କରି କହିଛନ୍ତି ଯେ ଦେହବେପାର ଦିଲ୍ଲୀର ରାଜରାସ୍ତା ଉପରେ ଚାଲିଛି ଏବଂ ବହୁ ବିଦେଶୀ ଦେହଜୀବୀ ଏଥିରେ ସଂପୃକ୍ତ। ଏମାନଙ୍କୁ ଧରିବା ପାଇଁ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ତେବେ, ଅସଲ କଥା ହେଲା ବିଦେଶୀ ଦେହଜୀବୀମାନଙ୍କୁ ଥରେ ଗିରଫ କରିଦେଲେ ତା’ର କାଗଜ ପତ୍ର କାମରେ ପୂରା ଛନ୍ଦି ହୋଇଯିବାକୁ ପଡ଼ିବ। ପୁଲିସ୍‌କୁ ବାର ଦୁଆର ତେର ପିଣ୍ଡା ହେବାକୁ ପଡ଼ିବ। ସେଥିପାଇଁ କାଦୁଅରେ ପଶିବି କାହିଁକି ଗୋଡ଼ ଧୋଇବି କାହିଁକି ନ୍ୟାୟରେ ପୁଲିସ୍‌ ମଧ୍ୟ ଏମାନଙ୍କ ଠାରୁ ଦୂରେଇ ରହିବାକୁ ବୁଦ୍ଧିମାନର କାମ ବୋଲି ଭାବୁଛି।

ସମ୍ବନ୍ଧିତ ଖବର