ପୁଣେ: ପ୍ରଥମ ଥର ପାଇଁ ଭାରତରେ ଏକ ନୂତନ ଡେଙ୍ଗୁ ଭୂତାଣୁ ଚିହ୍ନିତ କରାଯାଇଛି।

ଏହାକୁ ଚିହ୍ନଟ କରି ଅନୁଧ୍ୟାନ କରୁଥିବା ପୁଣେସ୍ଥିତ ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲଜି (ଏନ୍‌ଆଇଭି)ର ବୈଜ୍ଞାନିକଗଣ କହିଛନ୍ତି ଯେ ୨୦୦୫ରେ ସିଙ୍ଗାପୁର ଏବଂ ୨୦୦୯ରେ ଶ୍ରୀଲଙ୍କାରେ ସାଙ୍ଘାତିକ ଏବଂ ବ୍ୟାପକ ମହାମାରୀ ସହ ସମ୍ପୃକ୍ତ ଏସୀୟ ଜେନୋଟଇପ୍‌ର ଏହି ନୂତନ ଭୂତାଣୁ ଏକ ଉଦ୍‌ବେଗର ବିଷୟ ଥିଲା।

Advertisment

୨୦୧୨ରେ ତାମିଲନାଡୁ ଏବଂ ୨୦୧୩ରେ କେରଳରେ ବ୍ୟାପିଥିବା ଡେଙ୍ଗୁ ପାଇଁ ଏହି ଭୂତାଣୁ ଜାତି ଦାୟୀ ବୋଲି ବିଜ୍ଞାନୀମାନେ କହିଛନ୍ତି।
‘ଇମର୍ଜେନ୍‌ସ୍‌ ଅଫ୍‌ ଦି ଏସିଆନ୍‌ ଜେନୋଟାଇପ୍‌ ଅଫ୍‌ ଡିଇଏନ୍‌ଭି- ଓ୍ଵାନ୍‌ ଇନ୍‌ ସାଉଥ୍‌ ଇଣ୍ଡିଆ’ ଶୀର୍ଷକ ଗବେଷଣା ପତ୍ରରେ ମିଳିଥିବା ତଥ୍ୟଗୁଡ଼ିକ ଏ ମାସର ‘ଭାଇରୋଲଜି’ ଜର୍ଣ୍ଣାଲ୍‌ରେ ପ୍ରକାଶ ପାଇଛି।

ଭାରତରେ ଚାରିଟି ଭିନ୍ନ ଭିନ୍ନ କିସମର ଡେଙ୍ଗୁ ଭୂତାଣୁ ବିଚରଣ କରୁଛନ୍ତି। ସେଗୁଡ଼ିକ ହେଉଛି: ଡେଙ୍ଗୁ ଭାଇରସ୍‌ ଟାଇପ୍‌ ଓ୍ଵାନ୍‌ (ଡିଇଏନ୍‌ଭି-ଓ୍ଵାନ୍‌), ଡିଇଏନ୍‌ଭି-ଟୁ, ଡିଇଏନ୍‌ଭି-ଥ୍ରି ଏବଂ ଡିଇଏନ୍‌ଭି-ଫୋର୍‌। ଦକ୍ଷିଣ ଭାରତର ଡେଙ୍ଗୁ ଆକ୍ରାନ୍ତ ରୋଗୀମାନଙ୍କ ଠାରୁ ନିଆ ଯାଇଥିବା ରକ୍ତ ନମୁନାରେ ଏସିଆନ୍‌ ଜେନୋଟାଇପ୍‌ ଡିଇଏନ୍‌ଭି-ଓ୍ଵାନ୍‌ ଥିବାର ଜଣା ପଡ଼ିଛି।

ଏହାର ଅର୍ଥ ନୁହେଁ ଯେ, ୧୯୪୦ରୁ ଭାରତରେ ବିଚରଣ କରୁଥିବା ଆମେରିକୀୟ-ଆଫ୍ରିକୀୟ ଜେନୋଟାଇପ୍‌ ଡିଇଏନ୍‌ଭି-ଓ୍ଵାନ୍‌ ଠାରୁ ଏସୀୟ ଜେନୋଟାଇପ୍‌ ଅଧିକ ହୋଇଯାଇଛନ୍ତି। ବିଜ୍ଞାନୀମାନେ କହିଛନ୍ତି ଯେ ଉଭୟ କିସମର ଡିଇଏନ୍‌ଭି-ଓ୍ଵାନ୍‌ ଏବେ ମଧ୍ୟ ତାମିଲନାଡୁ ଏବଂ କେରଳରେ ବିଚରଣ କରୁଛନ୍ତି।

ମହାରାଷ୍ଟ୍ର, ଦିଲ୍ଲୀ ଏବଂ ଅନ୍ୟ କେତେକ ରାଜ୍ୟରୁ ନମୁନା ସଂଗ୍ରହ କରି ବିଶେଷଜ୍ଞମାନେ ଅଧ୍ୟୟନ କରି ଦେଖୁଛନ୍ତି ସମ୍ପୃକ୍ତ ଅଞ୍ଚଳରେ ଏସିଆନ୍‌ ଜେନୋଟାଇପ୍‌ ଡିଇଏନ୍‌ଭି-ଓ୍ଵାନ୍‌ ଉପସ୍ଥିତ ଅଛି କି, ନାହିଁ।