କରୋନା ଚିକିତ୍ସା ପାଇଁ ନୂଆ ଔ‌ଷଧ: ଜାଇଡସ୍‌ର ‘ଭିରାଫିନ୍‌’କୁ ଡିସିଜିଆଇର ମଂଜୁରି

କମ୍ପାନିର ଦାବି: ୭ ଦିନରେ ସୁସ୍ଥ ହେବେ ରୋଗୀ

ନୂଆଦିଲ୍ଲୀ : କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆଜି ଜାଇଡସ୍‌ କେଡିଲାର ନୂଆ ଔଷଧ ‘ଭିରାଫିନ୍‌’କୁ ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ମଂଜୁରି ଦେଇଛନ୍ତି। ଦେଶରେ ସଂକ୍ରମଣ ଅନିୟନ୍ତ୍ରିତ ହୋଇପଡ଼ିଥିବା ବେଳେ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଏହି ଔଷଧର ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି। କମ୍ପାନି ଦାବି କରିଛି ଏହି ଔଷଧ ସେବନ କରିବାର ୭ ଦିନରେ ୯୧.୧୫ ପ୍ରତିଶତ କରୋନା ରୋଗୀଙ୍କ ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ଆସିଛି। କରୋନାରୁ ଶୀଘ୍ର ଆରୋଗ୍ୟ ହେବା ଦିଗରେ ଏହି ଔଷଧ ବିଶେଷ ଫଳପ୍ରଦ ସାବ୍ୟସ୍ତ ହୋଇଛି ବୋଲି ଜାଇଡସ୍‌ ଦାବି କରିଛି। ଏହି ଔଷଧକୁ ଭାରତର ୨୫ଟି କେନ୍ଦ୍ରରେ ୨୫୦ ରୋଗୀଙ୍କ କ୍ଷେତ୍ରରେ ପରୀକ୍ଷା କରାଯାଇଥିଲା। ଭିରାଫିନ୍‌ ଏକ ସିଙ୍ଗଲ ଡୋଜ୍‌ ମେଡିସିନ୍‌ ଏବଂ ପ୍ରେସ୍‌କ୍ରିପ୍‌ସନ୍‌ ମାଧ୍ୟମରେ ହିଁ ଏହା ଉପଲବ୍ଧ ହେବ।

ଗୋଟିଏ ଡୋଜ୍‌ ଟିକା ବି ସଂକ୍ରମଣ ହାର କମାଇ ପାରିବ: ବ୍ରିଟେନ୍‌ ଅଧ୍ୟୟନ
ଲଣ୍ଡନ୍‌ : ବ୍ରିଟେନ୍‌ରେ ବର୍ତ୍ତମାନ ଦିଆଯାଉଥିବା ଅକ୍ସଫୋର୍ଡ/ଆଷ୍ଟ୍ରାଜେନେକା, ଫାଇଜର୍‌/ବାୟୋଏନ୍‌ଟେକ୍‌ ଟିକାର ସିଙ୍ଗଲ୍‌ ଡୋଜ୍‌ ବି ସଂକ୍ରମଣ ହାରକୁ ପ୍ରାୟ ୬୫ ପ୍ରତିଶତ କମାଇ ଦେଉଛି। ୟୁନିଭର୍ସିଟି ଅଫ୍‌ ଅକ୍ସଫୋର୍ଡ ଏବଂ ଅଫିସ୍‌ ଅଫ୍‌ ନ୍ୟାସନାଲ୍‌ ଷ୍ଟାଟିଷ୍ଟିକ୍‌ସ (ଓଏନ୍‌ଏସ) ଦ୍ବାରା ହୋଇଥିବା ୨ଟି ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ, ଏହି ୨ଟି ଟିକାର ସିଙ୍ଗଲ୍‌ ଡୋଜ୍‌ ବି ବୟସ୍କମାନଙ୍କୁ ଏବଂ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଥିବା ଲୋକଙ୍କୁ ସୁରକ୍ଷା ଦେଉଛି। ତେବେ ବିଶେଷଜ୍ଞମାନେ ଏହା ସତର୍କ କରାଇ ଦେଇଛନ୍ତି ଯେ, ଟିକା ନେଲେ ମଧ୍ୟ ଜଣେ ବ୍ୟକ୍ତି ପୁଣିଥରେ ସଂକ୍ରମିତ ହୋଇପାରିବେ ଏବଂ ଲକ୍ଷଣ ନଥାଇ ସଂକ୍ରମଣ ବ୍ୟାପିବ।

ସମ୍ବନ୍ଧିତ ଖବର