ନୂଆ ଶିକ୍ଷାନୀତି : ୬ଷ୍ଠ ଶ୍ରେଣୀରୁ ଆରମ୍ଭ ହେବ ପିଲାଙ୍କ ଦକ୍ଷତା ବିକାଶ ତାଲିମ, ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ ଆଜି ନୂଆ ଶିକ୍ଷା ନୀତି ୨୦୨୦କୁ ମଂଜୁରୀ ଦେଇଛନ୍ତି । ଗତ ୩୪ ବର୍ଷରେ ପ୍ରଥମ ଥର ପାଇଁ ଦେଶର ଶିକ୍ଷା ନୀତିରେ ପରିବର୍ତ୍ତନ ଅଣାଯାଇଛି । ଆଧୁନିକ ସମୟ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଶିକ୍ଷାନୀତି ପ୍ରସ୍ତୁତ କରାଯାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଓ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡ଼େକର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଏହି ଶିକ୍ଷାନୀତିରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ଶିକ୍ଷା ମନ୍ତ୍ରାଳୟ ଭାବେ ନାମିତ କରାଯାଇଛି । ୨୦୩୫ ସୁଦ୍ଧା ମୋଟ ନାମଲେଖା ଅନୁପାତକୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଶିକ୍ଷାରେ ଦକ୍ଷତା ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ୬ଷ୍ଠ ଶ୍ରେଣୀରୁ ପିଲାଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯିବ ଓ ପ୍ରାକ୍ଟିକାଲ ପରୀକ୍ଷା ରହିବ । ମାତୃଭାଷାରେ ପିଲାଙ୍କୁ ଶିକ୍ଷା ଦେବା ଉପରେ ଗୁରୁତ୍ୱ ଦିଆଯିବ । ଅତି କମରେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଓ ସାଧାରଣତଃ ୮ମ ଶ୍ରେଣୀ ପର୍ଯ୍ୟନ୍ତମାତୃଭାଷା କିମ୍ବା ଆଞ୍ଚଳିକ ଭାଷାରେ ଶିକ୍ଷାଦାନ କରାଯିବ ।

ନୂଆ ଶିକ୍ଷାନୀତିରେ ପିଲାଙ୍କ ଘୋଷା ପାଠ ଉପରେ ନୁହେଁ, ବାସ୍ତବିକ ଜ୍ଞାନ ଉପରେ ଗୁରୁତ୍ୱ ଦିଆଯିବ । ସ୍କୁଲ ପିଲାଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରାର ବିକାଶ କରାଯିବ ।

ଅନ୍ୟପକ୍ଷରେ ଆଜି ଡିଜିଟାଲ ଯୁଗକୁ ଦୃଷ୍ଟିରେ ରଖି ଆଞ୍ଚଳିକ ଭାଷାରେ ଇ-ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯିବ । ଉଚ୍ଚଶିକ୍ଷା ପାଇଁ ଦେଶରେ ଏକ ନିୟାମକ ଗଠନ କରାଯିବ । ଉଚ୍ଚଶିକ୍ଷା ଅନୁଷ୍ଠାନରେ ନାମ ଲେଖାଇବା ପାଇଁ ଏକ ଜାତୀୟ ଟେଷ୍ଟିଂ ଏଜେନ୍ସି ଖୋଲାଯିବ ।

ସମ୍ବନ୍ଧିତ ଖବର