ଜନସାଂଖ୍ୟିକ ସମ୍ପଦର ଲାଭ ଉଠାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଆହ୍ବାନ
ନୂଆ ଶିକ୍ଷାନୀତି ମୋଦୀଙ୍କ ‘ନବଭାରତ’ ସ୍ବପ୍ନକୁ ଆଗକୁ ନେବ
ନୂଆଦିଲ୍ଲୀ : ଡେମୋଗ୍ରାଫିକ୍ ଡିଭିଡେଣ୍ଡ (ଜନସାଂଖ୍ୟିକ ସମ୍ପଦ)ର ଲାଭ ଉଠାଇବା ପାଇଁ ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ କରିବାକୁ ହେବ। ସବୁପ୍ରକାର ପରମ୍ପରାଗତ, ଅଣପରମ୍ପରାଗତ ଏବଂ ଅଭିଜ୍ଞତା ଆଧାରିତ ଜ୍ଞାନଭଣ୍ଡାରର ଚିହ୍ନଟ, ମୂଲ୍ୟାଙ୍କନ କରି ଔପଚାରିକ ଭାବେ ଏହି ଲକ୍ଷ୍ୟ ହାସଲ କରାଯାଇପାରିବ। ସୋମବାର ଆଇଆଇଟି ଦିଲ୍ଲୀଠାରେ ନ୍ୟାସନାଲ କ୍ରେଡିଟ୍ ଫ୍ରେମ୍ଓ୍ୱାର୍କ (ଏନ୍ସିଆର୍ଏଫ୍)ର ଖସଡା ଉପରେ ‘ଷ୍ଟେକହୋଲଡର ପରାମର୍ଶ’ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ରମନ୍ତ୍ରୀ କହିଲେ ଯେ ଜ୍ଞାନ, କୌଶଳ ଓ ରୋଜଗାର ମଧ୍ୟରେ ଥିବା ପ୍ରତିବନ୍ଧକ ଦୂର କରିବା ପାଇଁ ଜାତୀୟ ଶିକ୍ଷାନୀତିର କ୍ରେଡିଟ୍ ଫ୍ରେମ୍ଓ୍ୱାର୍କ ଏକ ବିଶ୍ୱସ୍ତରୀୟ କଳ୍ପନା। ଏନ୍ସିଆର୍ଏଫ୍ ଆମକୁ ଜ୍ଞାନ ଓ କୌଶଳର ବିଭିନ୍ନ ଦିଗକୁ ଚିହ୍ନଟ କରିବା ଲାଗି ସୁଯୋଗ ପ୍ରଦାନ କରିବ। ଜୀବନବ୍ୟାପୀ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ନୂଆ ସମ୍ଭାବନା ତିଆରି କରିବ। ଏନ୍ସିଆର୍ଏଫ୍ ମୁଣ୍ଡପିଛା ଉତ୍ପାଦନ ବୃଦ୍ଧି କରିବ, ସମସ୍ତଙ୍କୁ ସଶକ୍ତ କରିବ ଏବଂ ଏହି ଶତାବ୍ଦୀର ନେତୃତ୍ୱ ନେବା ଦିଗରେ ଭାରତ ପାଇଁ ଏକ ସୁଦୃଢ଼ ମୂଳଦୁଆ ପକାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ସେହିପରି ଭାରତୀୟ ଶିଳ୍ପ ସଂଘ (ସିଆଇଆଇ) ପକ୍ଷରୁ ଆୟୋଜିତ ‘ଜାତୀୟ ପରିଷଦ ବୈଠକ’ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ନବଭାରତ’ର କଳ୍ପନାକୁ ଆଗେଇ ନେବା ପାଇଁ ଜାତୀୟ ଶିକ୍ଷାନୀତି ପ୍ରଣୟନ କରାଯାଇଛି। ‘ନୂଆ ଭାରତ ନିର୍ମାଣ’ ଶୀର୍ଷକ ଆଲୋଚନାରେ ଶ୍ରୀ ପ୍ରଧାନ କହିଲେ ଯେ ଶିଳ୍ପସମୂହ, ଶିକ୍ଷାବିତ୍ ଏବଂ ନୀତି-ନିର୍ଦ୍ଧାରକମାନେ ଏକବିଂଶ ଶତାବ୍ଦୀର ମାନବ ସମ୍ବଳକୁ ପ୍ରସ୍ତୁତ କରିବା ସହ ଆର୍ଥିକ ଅଭିବୃଦ୍ଧି ଓ ସାମାଜିକ କଲ୍ୟାଣ ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ହେବ। ଶିଳ୍ପ ସମୂହର ସହଯୋଗରେ ହିଁ ଭାରତର ଯୁବବର୍ଗଙ୍କୁ ଶିକ୍ଷା ଏବଂ କୌଶଳ ମାନବ ସମ୍ବଳ ଭିତରେ ଅଣାଯାଇପାରିବ।
ଆଇଆଇଟି,ଏନଆଇଟି, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବୈଜ୍ଞାନିକ ପ୍ରତିଭା ଭରପୁର ଅଛି। କେବଳ ଆଇଆଇଟି ନୁହେଁ, ଅନ୍ୟ ଶିକ୍ଷାନୁଷ୍ଠାନ ସହ ଶିଳ୍ପସମୂହ ସହଯୋଗୀ ହୋଇ ଗବେଷଣା ଏବଂ ଅନ୍ୱେଷଣକୁ ତ୍ୱରାନିତ କରିବା ଦରକାର। ଏକବିଂଶ ଶତାବ୍ଦୀର ମାନବ ସମ୍ବଳକୁ ପ୍ରସ୍ତୁତ କରିବା ସହ ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତି ଭାବରେ ପ୍ରସ୍ତୁତ କରିବା ପାଇଁ ଦକ୍ଷତା ବିକାଶକୁ ସଂସ୍ଥାଗତ କରିବାକୁ ହେବ। ଶ୍ରୀ ପ୍ରଧାନ ଏହି ଅବସରରେ ସିଆଇଆଇର ସଦସ୍ୟ ତଥା ଶିଳ୍ପସମୂହର ନେତୃବୃନ୍ଦଙ୍କୁ ନ୍ୟାସନାଲ କ୍ରେଡିଟ୍ ଫ୍ରେମ୍ଓ୍ୱାର୍କର ଖସଡାକୁ ସମୀକ୍ଷା କରିବା ସହ ନିଜର ମତାମତ ଦେବା ପାଇଁ ପରାମର୍ଶ ଦେଇଥିଲେ।