୨୦୧୭ର ନୂଆ ମୁହଁ

ଦେଶର ପ୍ରଥମ ନାଗରିକ ତଥା ସର୍ବୋଚ୍ଚ ଆସନ ସମେତ ବିଭିନ୍ନ ପଦପଦବିରେ ୨୦୧୭ ମସିହା ଦେଶବାସୀଙ୍କୁ ନୂଆ ମୁହଁ ଭେଟିଦେବାର ଅନନ୍ୟ ରେକର୍ଡ ରଖିଛି। ଏପରିକି ବର୍ଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନୂଆ ମୁରବିଙ୍କୁ ଖୋଜିବାରେ ୨୦୧୭ ସତେ ଯେପରି ବ୍ୟସ୍ତ ରହିଥିବା ମନେ ହେଉଥିଲା। ବର୍ଷ ଆରମ୍ଭ ହେଉ ହେଉ ଜାନୁଆରି ୪ରେ ସଂଯୁକ୍ତ ଲୋକସେବା ଆୟୋଗ(ୟୁପିଏସ୍‌ସି)ର ଅଧ୍ୟକ୍ଷ ଭାବେ ଡେଭିଡ୍‌ ଆର୍‌ ସିମିଲିଏ ଦାୟିତ୍ୱ ନେଇଥିଲେ। ପରେ ମାର୍ଚ୍ଚ ୧୪ରେ ଗୋଆର ଜନସାଧାରଣ ମନୋହର ପାରିକରଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଆପଣେଇଥିଲେ। ମାର୍ଚ୍ଚ ୧୫ରେ ମଣିପୁରବାସୀ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଏନ୍‌ ବୀରେନ୍‌ ସିଂହଙ୍କ ଶପଥଗ୍ରହଣ ଦେଖିଥିଲେ। ମାର୍ଚ୍ଚ୧୬ରେ ପଞ୍ଜାବୀମାନେ ସେମାନଙ୍କ ନୂଆ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ ନେତା କ୍ୟାପ୍ଟେନ୍‌ ଅମରିନ୍ଦର ସିଂହଙ୍କୁ ପାଇଥିଲେ। ମାର୍ଚ୍ଚ ୧୮ରେ ବିଜେପି ନେତା ତ୍ରିଭେନ୍ଦ୍ର ସିଂହ ରାଓ୍ଵତ୍‌ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ। ସେହିପରି ସମସ୍ତ କଳ୍ପନା ଜଳ୍ପନାକୁ ଆଡ଼ କରି ମାର୍ଚ୍ଚ ୧୯ରେ ଯୋଗୀ ଆଦିତ୍ୟ ନାଥ ଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଆସନରେ ଅଭିଷିକ୍ତ ହୋଇଥିଲେ। ସେହିପରି ଜୁନ୍‌ ୩୦ରେ କେ କେ ବେଣୁଗୋପାଳ ନୂତନ ଆଟର୍ଣି ଜେନେରାଲ୍‌ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ଅପରପକ୍ଷେ, ଜୁଲାଇ ୬ରେ ଦେଶର ନୂତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ଅଚଳ କୁମାର ଜ୍ୟୋତିଙ୍କୁ ଦେଖିବାକୁ ମିଳିଥିଲା। ସେହି ମାସ ୨୫ରେ ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ଭାବେ ଦେଶବାସୀ ରାମନାଥ କୋବିନ୍ଦଙ୍କୁ ପାଇଥିଲେ। ଅଗଷ୍ଟ ୧୧ରେ ଏମ୍‌ ଭେଙ୍କୟା ନାଇଡୁ ଦେଶବାସୀଙ୍କ ପାଇଁ ତ୍ରୟୋଦଶ ଉପରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ। ସେହିପରି ଅଗଷ୍ଟ ୨୮ରେ ଓଡ଼ିଆ ପୁଅ ଜଷ୍ଟିସ୍‌ ଦୀପକ ମିଶ୍ର ଦେଶର ସର୍ବୋଚ୍ଚ ନ୍ୟାୟାଳୟର ପଞ୍ଚଚତ୍ୱାରିଂଶତ୍‌ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ସାଉଁଟିଥିଲେ।

ଅନ୍ୟ ଏକ ଘଟଣାକ୍ରମରେ ସେପ୍ଟେମ୍ବର ୩ରେ ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳର ତୃତୀୟ ସମ୍ପ୍ରସାରଣରେ ୯ ଜଣ ନୂଆ ମନ୍ତ୍ରୀଙ୍କୁ ଦେଖିବାକୁ ମିଳିଥିଲା। ତେବେ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ପରେ ଦେଶର ଦ୍ୱିତୀୟ ମହିଳା ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିର୍ମଳା ସୀତାରମଣଙ୍କ ଦାୟିତ୍ୱଗ୍ରହଣ ହିଁ ଚର୍ଚ୍ଚାର ବିଷୟ ଥିଲା। ସେହିପରି ସେପ୍ଟେମ୍ବର ୨୫ରେ ରାଜୀବ ମହର୍ଷି ନୂତନ କଂପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ୍‌ ଭାବେ ଦାୟିତ୍ୱ ନେଇଥିଲେ। ଦେଶର ଶେଷ ଭାଗରେ ହିମାଚଳପ୍ରଦେଶ ଓ ଗୁରାଟବାସୀ ଯଥାକ୍ରମେ ଜୟରାମ ଠାକୁର୍‌ ଓ ବିଜୟ ରୂପାନିଙ୍କୁ ସେମାନଙ୍କ ନୂଆ ମୁଖ୍ୟନ୍ତ୍ରୀ ଭାବେ ସ୍ୱାଗତ କରିବାର ସୁଯୋଗ ପାଇଥିଲେ।

ସମ୍ବନ୍ଧିତ ଖବର