ନୂତନ କୃଷି ଆଇନ ‘ଇଚ୍ଛାଧୀନ, ବାଧ୍ୟତାମୂଳକ ନୁହେଁ’; ଲୋକସଭାରେ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚାଷୀଙ୍କୁ ସମ୍ମାନ ଦେଉଛନ୍ତି ଏବଂ ତିନିଟି ବିବାଦୀୟ ଚାଷ ଆଇନ ଉପରେ ସେମାନଙ୍କର ଯୁକ୍ତିଯୁକ୍ତ ପରାମର୍ଶ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଘୋଷଣା କରିଛନ୍ତି। ଏଥିସହ ଏହି ଆଇନଗୁଡ଼ିକ ‘ଇଚ୍ଛାଧୀନ ଏବଂ ବାଧ୍ୟତାମୂଳକ ନୁହେଁ’ ବୋଲି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଅର୍ପଣ କରିବା ଅବସରରେ ସ୍ପଷ୍ଟ କରି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ଦୁଇ ମାସରୁ ଅଧିକ ସମୟ ଧରି ଜାତୀୟ ରାଜଧାନୀ ଦିଲ୍ଲୀର ସୀମାରେ ଚାଲିଥିବା ଚାଷୀଙ୍କ ଆନ୍ଦୋଳନର ପୃଷ୍ଠଭୂମିରେ ମୋଦୀ କହିଛନ୍ତି ଯେ ଏହି ନିୟମ ଚାଷୀଙ୍କ ବିରୁଦ୍ଧରେ ବୋଲି ଗୁଜବ ପ୍ରଚାରିତ ହେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୃଷି କ୍ଷେତ୍ରରେ ସଂସ୍କାରକୁ ଦୃଷ୍ଟିରେ ରଖି ଏହି ଆଇନ ସଂସଦରେ ପାରିତ ହୋଇଛି। ସଂସଦରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣରେ ଭାରତର ‘ସଙ୍କଳ୍ପ ଶକ୍ତି’ ପ୍ରତିଫଳିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶ୍ନ କରିଛନ୍ତି, ଏହି ତିନିଟି ଚାଷ ଆଇନ କୃଷକଙ୍କ ସୁବିଧାକୁ ଛଡ଼ାଇ ନେଇଛି କି? କାହା ଉପରେ କୌଣସି ପ୍ରକାରର ପ୍ରତିବନ୍ଧକ ନାହିଁ। ଏହି ଆଇନ କୃଷକଙ୍କ ଅଭିବୃଦ୍ଧିରେ ବାଧା ସୃଷ୍ଟି କରେ ନାହିଁ। ଏହି ନିୟମଗୁଡ଼ିକ ଇଚ୍ଛାଧୀନ, ବାଧ୍ୟତାମୂଳକ ନୁହେଁ। ଏହି ନୂତନ ଆଇନ ପୁରୁଣା ‘ମଣ୍ଡି’ ବ୍ୟବସ୍ଥାକୁ ବନ୍ଦ କରି ନଥିଲା କିମ୍ବା ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଉତ୍ପାଦ କ୍ରୟକୁ ପ୍ରଭାବିତ କରି ନଥିଲା।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ସର୍ବଦା କୃଷକମାନଙ୍କୁ ସମ୍ମାନିତ କରିଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ସେମାନଙ୍କୁ ସମ୍ମାନ ପ୍ରଦାନ ଜାରି ରଖିବେ ଏବଂ ସେମାନଙ୍କ ସହ ଅନେକ ରାଉଣ୍ଡ ଆଲୋଚନା ପରେ ମଧ୍ୟ ସରକାର ଏହି ଆଇନଗୁଡ଼ିକ ଉପରେ ସେମାନଙ୍କର ଯୁକ୍ତିଯୁକ୍ତ ପରାମର୍ଶ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି।

ସମ୍ବନ୍ଧିତ ଖବର