ପୁଣି ରାଫେଲ ଭୁତ ! ଭାରତୀୟ ମଧ୍ୟସ୍ଥିଙ୍କୁ ୨୦୦୭-୧୨ ମଧ୍ୟରେ ୬୫ କୋଟି ଟଙ୍କାର କମିଶନ ଦେଇଥିଲା ଡାସାଲ୍ଟ

 

ନୂଆଦିଲ୍ଲୀ : ପୁଣି ଥରେ ରାଫେଲ ମାମଲା ମୁଣ୍ଡ ଟେକିଛି । ଏହି ଲଢୁଆ ବିମାନ ବିକ୍ରି ପାଇଁ ଫ୍ରାନ୍ସ କମ୍ପାନି ଡାସାଲ୍ଟ ଆଭିଏସନ ଏକ ମଧ୍ୟସ୍ଥିଙ୍କୁ ୭.୫ ନିୟୁତ ୟୁରୋ ବା ପ୍ରାୟ ୬୫ କୋଟି ଟଙ୍କା ଲାଞ୍ଚ ଦେଇଥିଲା ବୋଲି ଫ୍ରାନ୍ସର ଏକ ନ୍ୟୁଜ ପୋର୍ଟାଲ ‘ମିଡିଆପାର୍ଟ’ ଅଭିଯୋଗ କରିଛି । ଏହି ରିପୋର୍ଟରେ ୟୁପିଏ ସରକାରଙ୍କ ଉପରେ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି ।

‘ମିଡିଆପାର୍ଟ’ରେ ପ୍ରକାଶତ ରିପୋର୍ଟ ଅନୁସାରେ ଏହି ଲାଞ୍ଚକାରବାର ସମ୍ପର୍କରେ ଯଥେଷ୍ଟ ତଥ୍ୟ ପ୍ରମାଣ ଥିଲେ ବି ଭାରତର ତଦନ୍ତକାରୀ ସଂସ୍ଥା ସିବିଆଇ  ଓ ଇଡି ପକ୍ଷରୁ କୌଣସି ତଦନ୍ତ କରାଯାଇନଥିଲା । ମିଡିଆପାର୍ଟ ନିଜର ରିପୋର୍ଟରେ କେତେକ ନକଲି ଇନଭଏସ ପ୍ରକାଶ କରିଛି । ଏସବୁ ନକଲି ଇନଭଏସ ମାଧ୍ୟମରେ ସଂଦିଗ୍ଧ ମଧ୍ୟସ୍ଥି ସୁଶେନ ଗୁପ୍ତାଙ୍କୁ କମିଶନ ପ୍ରଦାନ କରାଯାଇଥିଲା । ଏହି କମିଶନ କାରବାର ସମ୍ପର୍କରେ ସିବିଆଇ ଓ ଇଡି ପାଖରେ ଅକ୍ଟୋବର ୨୦୧୮ରୁ ପ୍ରମାଣ ଥିଲେ ବି କୌଣସି ତଦନ୍ତ କରାଯାଇନଥିଲା ।

ରିପୋର୍ଟରେ କୁହାଯାଇଛି ଯେ ଏସବୁ କମିଶନ ୨୦୦୭ରୁ ୨୦୧୨ ମଧ୍ୟରେ ସୁଶେନ ଗୁପ୍ତାଙ୍କୁ ପ୍ରଦାନ କରାଯାଇଥିଲା । ଏହି ସୁଶେନ ଗୁପ୍ତା ଅଗଷ୍ଟ ଓ୍ବେଷ୍ଟଲାଣ୍ଡ ହେଲିକାପ୍ଟର ଦୁର୍ନୀତି ମାମଲାରେ ବି ଜଣେ ଅଭିଯୁକ୍ତ ଅଛନ୍ତି ।  ଏହି ରିପୋର୍ଟ ଆସିବା ପରେ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ ।

ତେବେ ବିଜେପି ନେତା ଅମିତ ମାଲବ୍ୟ କହିଛନ୍ତି ଯେ ୟୁପିଏ ସରକାର ଡାସାଲ୍ଟଠାରୁ କମିଶନ ଖାଇଥିଲେ କିନ୍ତୁ ଡିଲ୍ ଚୂଡ଼ାନ୍ତ କରିପାରି ନଥିଲେ ।

ସମ୍ବନ୍ଧିତ ଖବର