ବେଜିଂ : ଉତ୍ତର ପୂର୍ବ ଚୀନ୍ର ଗାଁସୁ ପ୍ରଦେଶର ରାଜଧାନୀ ଲାଞ୍ଝଉରେ ଗତବର୍ଷ ଜୁଲାଇ ଓ ଅଗଷ୍ଟରେ ହଜାର ହଜାର ନାଗରିକ ‘ବ୍ରୁସେଲୋସିସ୍’ ନାମକ ଏକ ନୂତନ ବୀଜାଣୁ ଦ୍ବାରା ସଂକ୍ରମଣର ଶିକାର ହୋଇଛନ୍ତି। ଏହା ପୁରୁଷଙ୍କ ଅଣ୍ଡକୋଷକୁ ଫୁଲାଇ ସେମାନଙ୍କୁ ନପୁଂସକ କରିଦେଉଛି। ‘ବ୍ରୁସେଲା’ ନାମକ ବୀଜାଣୁକୁ ବହନ କରୁଥିବା ଗୃହପାଳିତ ପଶୁଙ୍କ ସଂସ୍ପର୍ଶରେ ଆସି ପ୍ରାୟ ୩,୨୪୫ ଜଣ ସଂକ୍ରମିତ ହୋଇଥିବା ସରକାରୀ ଭାବେ ଜଣାଯାଇଛି। ପ୍ରଥମେ ଅଳ୍ପ ଲୋକ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲେ ହେଁ ୨୧,୦୦୦ ଲୋକଙ୍କୁ ପରୀକ୍ଷା କରାଯିବାରେ ଏତେ ଅଧିକ ସଂଖ୍ୟକ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି। ମାଲ୍ଟା ଜ୍ବର ବା ଭୂମଧ୍ୟସାଗରୀୟ ଜ୍ବର ଭାବେ ପରିଚିତ ଏହି ରୋଗରେ ମୁଣ୍ଡବିନ୍ଧା, ମାଂସପେଶୀ ପୀଡ଼ା, କ୍ଳାନ୍ତ ଲାଗିବା ଏବଂ ତାପମାତ୍ରା ବଢ଼ିବା ପରି ଲକ୍ଷଣ ଦେଖାଦେଇଥାଏ। ବେଳେ ବେଳେ ଏହି ଲକ୍ଷଣ ସବୁ ଦୀର୍ଘସ୍ଥାୟୀ ହୋଇ ବିଭିନ୍ନ ପ୍ରତ୍ୟଙ୍ଗ କିମ୍ବା ଆଣ୍ଠୁଗଣ୍ଠି ଫୁଲା(ଆର୍ଥ୍ରାଇଟିସ୍) କରିଥାଏ ବୋଲି ଆମେରିକୀୟ ରୋଗ ନିୟନ୍ତ୍ରଣ ଓ ନିବାରଣ କେନ୍ଦ୍ର(ସିଡିସି) ପକ୍ଷରୁ ଜଣାଯାଇଛି। ସାଧାରଣତଃ ଏହି ରୋଗ ମନୁଷ୍ୟରୁ ମନୁଷ୍ୟ ଦେହକୁ ସଂକ୍ରମଣ ଖୁବ୍ କ୍ବଚିତ୍ ହୋଇଥିବା ବେଳେ ତାହା ମୁଖ୍ୟତଃ ଦୂଷିତ ଖାଦ୍ୟ ଅଥବା ଶ୍ବାସକ୍ରିୟା ଦ୍ବାରା ବ୍ୟାପିଥାଏ। ଲାଞ୍ଝଉ ସ୍ଥିତ ଝୋଙ୍ଗମୁ ଜୈବଭେଷଜ କାରଖାନାରେ ପଶୁଙ୍କ ପାଇଁ ‘ବ୍ରୁସେଲା’ ଟିକା ପ୍ରସ୍ତୁତିରେ ବ୍ୟବହୃତ ସମୟ ଅତିକ୍ରାନ୍ତ(ଏକ୍ସପାୟାର୍ଡ) ନିଃସଂକ୍ରାମକ (ଡିସ୍ଇନ୍ଫେକ୍ଟାଣ୍ଟ୍) ଓ ପ୍ରକ୍ଷାଳକ (ସାନିଟାଇଜର) ଯୋଗୁଁ ଏଭଳି ସଂକ୍ରମଣ ବ୍ୟାପିଥିବା କୁହାଯାଉଛି।
ଚୀନ୍ରେ ପୁରୁଷଙ୍କୁ ନପୁଂସକ କରାଉଛି ନୂଆ ବୀଜାଣୁ ସଂକ୍ରମଣ
/sambad/media/post_attachments/wp-content/uploads/2020/09/china-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)