୮ ରାଜ୍ୟରେ ନୂଆ ରାଜ୍ୟପାଳ: ଥାୱରଚାନ୍ଦଙ୍କୁ ରାଜ୍ୟପାଳ କରାଯିବା ପଛରେ ସୁଚିନ୍ତିତ ରଣନୀତି

ନୂଆଦିଲ୍ଳୀ : ଚଳିତ ସପ୍ତାହରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ହେବାନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଆଜି ୮ ରାଜ୍ୟ ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। କର୍ଣ୍ଣାଟକରେ ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି ଏବଂ ୭ ରାଜ୍ୟରେ ରାଜ୍ୟପାଳ ବଦଳି ହୋଇଛନ୍ତି। ୭୩ ବର୍ଷୀୟ ଥାୱରଚାନ୍ଦ ଗେହଲଟ କର୍ଣ୍ଣାଟକର ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ସେ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥିଲେ। ସେହିପରି ଅନ୍ୟ ୭ଟି ରାଜ୍ୟ ତଥା ମିଜୋରାମ୍‌, ଗୋଆ, ହରିୟାଣା, ତ୍ରିପୁରା, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ରାଜ୍ୟପାଳ ବଦଳି ହୋଇଛନ୍ତି। ମିଜୋରାମ ରାଜ୍ୟପାଳ ପିଏସ୍‌ ଶ୍ରୀଧରନ ପିଲ୍ଲାଇଙ୍କୁ ଗୋଆ ବଦଳି କରାଯାଇଥିବା ବେଳେ ହରିୟାଣା ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ତ୍ରିପୁରା ରାଜ୍ୟପାଳ କରାଯାଇଛି। ତ୍ରିପୁରା ରାଜ୍ୟପାଳ ରମେଶ ବୈସଙ୍କୁ ଝାଡ଼ଖଣ୍ଡ ବଦଳି କରାଯାଇଛି। ଝାଡ଼ଖଣ୍ଡରେ ୨୦୧୫ରୁ ରାଜ୍ୟପାଳ ଥିବା ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳ ଗତବର୍ଷ ଶେଷ ହୋଇଥିଲା। ତାଙ୍କ ସ୍ଥାନରେ ଆଜି ବୈସଙ୍କୁ ନିଯୁକ୍ତି ମିଳିଛି। ହିମାଚଳପ୍ରଦେଶ ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ହରିୟାଣା ରାଜ୍ୟପାଳ ହୋଇଛନ୍ତି। ହରିବାବୁ କମ୍ଭମପତି ମିଜୋରାମ ରାଜ୍ୟପାଳ ହୋଇଥିବା ବେଳେ ମଙ୍ଗୁଭାଇ ଚଗନଭାଇ ପଟେଲ୍‌ ମଧ୍ୟପ୍ରଦେଶ ରାଜ୍ୟପାଳ ହୋଇଛନ୍ତି। ରାଜେନ୍ଦ୍ର ବିଶ୍ବନାଥ ଆଲେରକର ହିମାଚଳପ୍ରଦେଶ ରାଜ୍ୟପାଳ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର‌ ମୋଦୀ ସବୁ ବର୍ଗଙ୍କୁ ଧ୍ୟାନରେ ରଖି ଏହି ନୂଆ ନିଯୁକ୍ତି ଦେଇଛନ୍ତି। ଅନୁସୂଚିତ ଜାତି, ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗର ଅନେକ ନେତାଙ୍କୁ ରାଜ୍ୟପାଳ କରାଯାଇଛି। ଏଥିସହ ମହିଳା, ମୁସଲିମ୍ ଏବଂ ଜାଟ୍‌ ସମ୍ପ୍ରଦାୟରୁ ମଧ୍ୟ ପୂର୍ବରୁ ରାଜ୍ୟପାଳ ହୋଇଛନ୍ତି।

ଥାୱରଚାନ୍ଦ ଗେହଲଟ୍‌ ବିଜେପିର ଜଣେ ଟାଣୁ୍ଆ ଏସ୍‌ସି ନେତା। ଏସ୍‌ସି ସମ୍ପ୍ରଦାୟରୁ ସେ କର୍ଣ୍ଣାଟକର ନୂଆ ରାଜ୍ୟପାଳ ହୋଇଛନ୍ତି। ଅନ୍ୟ ଜଣେ ଏସ୍‌ସି ନେତା ରାଜେନ୍ଦ୍ର ଆଲେରକର ହିମାଚଳପ୍ରଦେଶ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ। ତ୍ରିପୁରା ରାଜ୍ୟପାଳ ନିଯୁକ୍ତ ହୋଇଥିବା ନାରାୟଣ ଆର୍ଯ୍ୟ ଏବଂ ବର୍ତ୍ତମାନର ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟ ବି ଏସ୍‌ସି ସମ୍ପ୍ରଦାୟର। ସେହିପରି ଆଦିବାସୀ ସମ୍ପ୍ରଦାୟର ଜଣେ ଟାଣୁଆ ନେତା ହେଉଛନ୍ତି ମଙ୍ଗୁଭାଇ ପଟେଲ୍‌। ଗୁଜରାଟରେ ତାଙ୍କର ଯଥେଷ୍ଟ ପ୍ରଭାବ ରହିଛି। ଛତିଶଗଡ଼ରେ ବର୍ତ୍ତମାନ ରାଜ୍ୟପାଳ ଥିବା ଅନୁସୁୟା ଉଇକେ ମଧ୍ୟ ଆଦିବାସୀ ସମ୍ପ୍ରଦାୟର। ଅନ୍ୟାନ୍ୟ ପଛୁ୍ଆ ବର୍ଗରୁ ଫଗୁ ଚୌହାନ, ରମେସ ବୈସ, ବନ୍ଦାରୁ ଦତ୍ତାତ୍ରୟ, ଗଙ୍ଗା ପ୍ରସାଦ ଚୌରାସିୟା, ତାମିଲିସାଇ ସୌନ୍ଦରରାଜନ୍‌ ପ୍ରମୁଖ ରାଜ୍ୟପାଳ ହୋଇଛନ୍ତି। ଭାରତ ଇତିହାସରେ ପ୍ରଥମ ଥର ପାଇଁ ଜାଠ ସମ୍ପ୍ରଦାୟରୁ ୩ ଜଣ ରାଜ୍ୟପାଳ ତଥା ଜଗଦୀପ ଧନକଡ଼, ଆଚାର୍ଯ୍ୟ ଦେବବ୍ରତ ଏବଂ ସତ୍ୟପାଲ୍‌ ମଲିକ ରାଜ୍ୟପାଳ ହୋଇଛନ୍ତି। ମୁସଲିମ୍‌ ସମ୍ପ୍ରଦାୟରୁ ଆରିଫ୍‌ ମହମ୍ମଦ ଖାନ୍‌ ଏବଂ ନଜ୍‌ମା ହେପତୁଲ୍ଲା ଯଥାକ୍ରମେ କେରଳ ଏବଂ ମଣିପୁରର ରାଜ୍ୟପାଳ।

ଥାୱରଚାନ୍ଦଙ୍କୁ ରାଜ୍ୟପାଳ କରାଯିବା ପଛରେ ସୁଚିନ୍ତିତ ରଣନୀତି
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଥାୱରଚାନ୍ଦ ଗେହଲଟଙ୍କୁ କର୍ଣ୍ଣାଟକର ନୂଆ ରାଜ୍ୟପାଳ ନିଯୁକ୍ତ କରାଯିବା ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଚିନ୍ତିତ ରଣନୀତି ରହିଛି। ଗେହଲଟ୍‌ ରାଜ୍ୟପାଳ ହେବା ସହ କ୍ୟାବିନେଟ, ରାଜ୍ୟସଭା ଏବଂ ବିଜେପି ସଂସଦୀୟ ବୋର୍ଡ‌୍‌ରେ ୩ଟି ପଦବୀ ଖାଲି ପଡ଼ିବ। ଏହାଦ୍ବାରା ଦଳ ତଥା ମେଣ୍ଟର ୩ ଜଣ ନେତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ରାସ୍ତା ଫିଟିଯାଇଛି। ଏହା ସହିତ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କୁ ଦଳର ଏକ ବଡ଼ ଗୋଷ୍ଠୀ ରାଜ୍ୟରେ ଚ୍ୟାଲେଂଜ କରୁଛନ୍ତି। ଏଭଳି ସ୍ଥିତିରେ ରାଜନୀତିରେ ମାହିର ଖେଳାଳି ଗେହଲଟ ଉଭୟ ଗୋଷ୍ଠୀଙ୍କୁ ଏକାଠି କରିବାରେ ସକ୍ଷମ ହେବେ ବୋଲି କୁହାଯାଉଛି। ଗେହଲଟ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥିଲେ। ୨୦୧୯ରୁ ସେ ରାଜ୍ୟସଭାରେ ଦଳର ନେତା ନିର୍ବାଚିତ ହୋଇଥିଲେ। ବିଜେପି ସଂସଦୀୟ ବୋର୍ଡ ଏବଂ କେନ୍ଦ୍ରୀୟ ନିର୍ବାଚନ କମିଟିର ସେ ଜଣେ ସଦସ୍ୟ। ୭୩ ବର୍ଷୀୟ କେନ୍ଦ୍ର ମନ୍ତ୍ରୀ ଗେହଲଟ୍‌ ଜଣେ ପ୍ରମୁଖ ଦଳିତ ନେତା। କର୍ଣ୍ଣାଟକର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଥିବା ଥାୱରଚାନ୍ଦ କହିଛନ୍ତି, ତାଙ୍କୁ ମିଳିଥିବା ନୂଆ ଦାୟିତ୍ବକୁ ସେ ସୁଚାରୁରୂପେ ସମ୍ପାଦନ କରିବେ। ସାମ୍ବିଧାନିକ ସୀମା ମଧ୍ୟରେ ରହି ଏବଂ ଆଲୋଚନା ମାଧ୍ୟମରେ ସେ ସମସ୍ତ ସମସ୍ୟାର ସମାଧାନ କରିବେ‌ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର