ନୂଆଦିଲ୍ଲୀ: ଜିଏସ୍ଟି (ସାମଗ୍ରୀ ଓ ସେବା ଟିକସ)ରେ ସଂସ୍କାର ଦରଦାମ୍ କମାଇବ। ମଧ୍ୟମ ଆୟବର୍ଗର ଲୋକଙ୍କ ସଞ୍ଚୟକୁ ବଢ଼ାଇବ। ଯୁବବର୍ଗଙ୍କୁ ଲାଭ ଦେବ ଏବଂ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବ। ଦେଶରେ ସେପ୍ଟେମ୍ବର ୨୨ରୁ ନୂଆ ଜିଏସ୍ଟି କାର୍ଯ୍ୟକାରୀ ହେବାକୁ ଯାଉଛି। ଏହାର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ନବରାତ୍ରିର ଶୁଭେଚ୍ଛ ଜଣାଇବା ସହିତ ଜିଏସ୍ଟି ସଂସ୍କାର କିଭଳି ସମାଜର ବିଭିନ୍ନ ବର୍ଗର ଲୋକଙ୍କ ହିତରେ ଆସିବ ତାର ଅବତାରଣା କରିଛନ୍ତି। ବିକଶିତ ଭାରତର ସ୍ବପ୍ନ ପୂରଣ ପାଇଁ ଆତ୍ମନିର୍ଭର ଭାରତ ଏବଂ ‘ମେଡ୍ ଇନ୍ ଇଣ୍ଡିଆ’ ଉପରେ ଗୁରୁତ୍ବାରୋପ କରିଛନ୍ତି। ୧୯ ମିନିଟ୍ର ଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି ନବରାତ୍ରିର ପ୍ରଥମ ଦିନରୁ ଦେଶ ଆତ୍ମନିର୍ଭର ଭାରତ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଉଛି। ଆସନ୍ତାକାଲିର ସୂର୍ଯ୍ୟୋଦୟରୁ ଦେଶରେ ନୂଆ ଜିଏସ୍ଟି ସଂସ୍କାର କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ପରିବାର ପାଇଁ ଜିଏସ୍ଟି ସଂସ୍କାର ଖୁସି ଆଣିବ ଏବଂ ଭାରତର ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବ। ଅତୀତରେ ଟିକସ ଜାଲରେ ଲୋକମାନେ କିଭଳି ଛନ୍ଦି ହୋଇଯାଇଥିଲେ ତାହା ମନେ ପକାଇ ଦେବା ସହିତ ଜିଏସ୍ଟି ପାଇଁ ଗୋଟିଏ ଦେଶ ଗୋଟିଏ ଟିକସ ସ୍ବପ୍ନ ବାସ୍ତବ ରୂପ ନେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
୨୦୧୭ରେ ଯେତେବେଳେ ଦେଶରେ ଜିଏସ୍ଟି ଆରମ୍ଭ ହେଲା ସେତେବେଳେ ଇତିହାସ ପରିବର୍ତ୍ତନର କ୍ଷଣ ଆରମ୍ଭ ହେଲା। ଦୀର୍ଘ ଦଶନ୍ଧି ଧରି ଭାରତର ଲୋକ ଏବଂ ବ୍ୟବସାୟୀମାନେ ବିଭିନ୍ନ ପ୍ରକାର ଟିକସରେ ଛନ୍ଦି ହୋଇ ରହିଥିଲେ। ଅକ୍ଟ୍ରାଇ, ପ୍ରବେଶ କର, ବିକ୍ରି କର, ଉତ୍ପାଦ ଶୁଳ୍କ, ଭାଟ୍, ସେବା ଟିକସ ଭଳି ଡଜନେ ଟିକସ ଦେଶରେ ରହିଥିଲା। ଗୋଟିଏ ସହରରୁ ଅନ୍ୟ ସହରକୁ ସାମଗ୍ରୀ ପଠାଇବା ପାଇଁ ଆମକୁ ଅସୀମିତ ଚେକ୍ ପଏଣ୍ଟ ଅତିକ୍ରମ କରିବାକୁ ପଡ଼ୁଥିଲା। ଜିଏସ୍ଟି ସଂସ୍କାର କେବଳ ଦରଦାମ ହ୍ରାସ କରିବାକୁ ନୁହେଁ, ନୂଆ ସୁଯୋଗ ସୃଷ୍ଟି କରିବା ପାଇଁ ମଧ୍ୟ ଉଦ୍ଦିଷ୍ଟ।
ନବରାତ୍ରିର ସୂର୍ଯ୍ୟୋଦୟରୁ ଜିଏସ୍ଟି ସଂସ୍କାର ଆରମ୍ଭ
୨.୫ ଲକ୍ଷ କୋଟିର ସଞ୍ଚୟ ଦେବ
ଦରଦାମ୍ ହ୍ରାସ ସହ ନୂଆ ସୁଯୋଗ ସୃଷ୍ଟି
ନାଗରିକ ଦେବୋ ଭବ ମନ୍ତ୍ରକୁ ଅନୁସରଣ
ସ୍ବଦେଶୀ ଉତ୍ପାଦ କିଣି ଗର୍ବ ଅନୁଭବ କର
୧୧ ବର୍ଷରେ ୨୫ କୋଟି ଲୋକ ଦାରିଦ୍ର୍ୟମୁକ୍ତ
ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ପାଇଁ ଆମକୁ ଆତ୍ମନିର୍ଭର ପଥ ଅନୁସରଣ କରିବାକୁ ପଡ଼ିବ। ଭାରତକୁ ଆତ୍ମନିର୍ଭର କରିବା ଦିଗରେ ଏମ୍ଏସ୍ଏମ୍ଇର ବଡ଼ ଦାୟିତ୍ବ ରହିଛି। ଆମ ଦେଶର ଲୋକେ ଯାହା ଆବଶ୍ୟକ କରନ୍ତି ଏବଂ ଆମେ ଯାହା ଉତ୍ପାଦନ କରିପାରିବା ସେସବୁ ଭାରତରେ ଉତ୍ପାଦନ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆସନ୍ତାକାଲିଠାରୁ ‘ଜିଏସ୍ଟି ସଞ୍ଚୟ ଉତ୍ସବ’ ଆରମ୍ଭ ହେବ। ଆପଣମାନଙ୍କର ସଞ୍ଚୟ ବଢ଼ିବ ଏବଂ ଆପଣମାନେ ମନପସନ୍ଦର ସାମଗ୍ରୀ କିଣିପାରିବେ। ଜିଏସ୍ଟି ସଞ୍ଚୟ ଉତ୍ସବ ସମାଜର ସବୁବର୍ଗର ଲୋକଙ୍କ ପାଇଁ ଲାଭ ପହଞ୍ଚାଇବ ବୋଲି ସେ କହିଛନ୍ତି।
ନୂଆ ଜିଏସ୍ଟିରେ କେବଳ ୫ ପ୍ରତିଶତ ଏବଂ ୧୮ ପ୍ରତିଶତ ଟିକସ ସ୍ଲାବ୍ ରହିବ। ଅର୍ଥାତ୍ ଅଧିକାଂଶ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଶସ୍ତା ହେବ। ଖାଦ୍ୟ ସାମଗ୍ରୀ, ଔଷଧ, ସାବୁନ, ବ୍ରସ୍, ପେଷ୍ଟ୍, ସ୍ବାସ୍ଥ୍ୟ ଓ ଜୀବନବୀମା ଭଳି ଅନେକ ସାମଗ୍ରୀ, ସେବା ଟିକସମୁକ୍ତ ହେବ କିମ୍ବା କେବଳ ୫ ପ୍ରତିଶତ ଟିକସ ଦେବାକୁ ପଡ଼ିବ। ପୂର୍ବରୁ ଯେଉଁସବୁ ସାମଗ୍ରୀ ଉପରେ ୧୨ ପ୍ରତିଶତ ଜିଏସ୍ଟି ଦେବାକୁ ପଡ଼ୁଥିଲା ସେଥିରୁ ୯୯ ପ୍ରତିଶତ ସାମଗ୍ରୀକୁ ୫ ପ୍ରତିଶତ ଜିଏସ୍ଟିକୁ ଅଣାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଜିଏସ୍ଟି ସଂସ୍କାର ଭାରତର ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବ। ସଂସ୍କାର ଏକ ନିରନ୍ତର ପ୍ରକ୍ରିୟା। ସମୟ ବଦଳିବା ଏବଂ ଦେଶର ଆବଶ୍ୟକତା ବଦଳିବା ସହିତ ଜିଏସ୍ଟିରେ ସଂସ୍କାରର ଆବଶ୍ୟକତା ଥିଲା। ଏହି ସଂସ୍କାର ଦେଶର ଅଭିବୃଦ୍ଧିକୁ ଆଗକୁ ନେବ, ବ୍ୟବସାୟ ଏବଂ ନିବେଶକୁ ସହଜ କରିବ, ସମସ୍ତ ରାଜ୍ୟକୁ ଆଗକୁ ବଢ଼ିବାର ସୁଯୋଗ ଦେବ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଚଳିତବର୍ଷଠାରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଟିକସମୁକ୍ତ ହେବ। ନବରାତ୍ରିର ପ୍ରଥମ ଦିନରୁ ଜିଏସ୍ଟି ହ୍ରାସ କାର୍ଯ୍ୟକାରୀ ହେବ। ଦେଶର ସାଧାରଣ ଲୋକ ଓ ମଧ୍ୟମ ଆୟବର୍ଗଙ୍କ ପାଇଁ ଏହା ଡବଲ୍ ଖୁସି। ଗତ ୧୧ ବର୍ଷ ମଧ୍ୟରେ ଦେଶର ୨୫ କୋଟି ଲୋକ ଦାରିଦ୍ର୍ୟକୁ ପରାହତ କରି ନୂଆ ମଧ୍ୟମ ଆୟବର୍ଗ ଭାବେ ବିବେଚିତ ହୋଇଛନ୍ତି। ଦେଶପାଇଁ ସେମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଛନ୍ତି। ଏହି ନୂଆ ମଧ୍ୟମ ଆୟବର୍ଗ ଲୋକଙ୍କ ନିଜସ୍ବ ଅଭିଳାଷ ଓ ସ୍ବପ୍ନ ରହିଛି। ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆୟକର ଛାଡ଼ କରାଯିବା ଦ୍ବାରା ମଧ୍ୟମ ଆୟବର୍ଗର ଲୋକଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବ। ବର୍ତ୍ତମାନ ଗରିବ, ନୂଆ ମଧ୍ୟମ ଆୟବର୍ଗ ଏବଂ ମଧ୍ୟମ ଆୟବର୍ଗର ଲୋକମାନେ ମଧ୍ୟ ସୁବିଧା ପାଇବେ। ନାଗରିକ ଦେବୋ ଭବ ମନ୍ତ୍ରକୁ ଅନୁସରଣ କରି ଆମେ ଆଗକୁ ବଢ଼ୁଛୁ। ଜିଏସ୍ଟି ସଂସ୍କାରରେ ଆମେ ଏହାର ପ୍ରତିଫଳନ ଦେଖୁଛୁ। ଯଦି ଆମେ ଗୋଟିଏ ବର୍ଷରେ ଦିଆଯାଇଥିବା ଆୟକର ରିହାତି ଓ ଜିଏସ୍ଟି ହ୍ରାସକୁ ମିଶାଇବା ଦେଶର ଲୋକଙ୍କ ପାଇଁ ଏହା ୨.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ସଞ୍ଚୟ ଆଣିବ। ସେଥିପାଇଁ ମୁଁ ଏହାକୁ ସଞ୍ଚୟ ପର୍ବ କହୁଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆତ୍ମନିର୍ଭର ଆବଶ୍ୟକତା ସଂପର୍କରେ କହିଛନ୍ତି। ସ୍ବଦେଶୀ ସାମଗ୍ରୀ କିଣିବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି।